‘ବର୍ମିଂହାମ୍ରେ ତ୍ରିରଙ୍ଗାର ମାନ ବଢ଼ାଇଛନ୍ତି ଭାରତୀୟ ଖେଳାଳି’
ରାଜ୍ୟଗୋଷ୍ଠୀ ପଦକ-ବିଜେତାଙ୍କ ସହ ବିଜୟ ଉତ୍ସବ ପାଳିଲେ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ, ୧୩ା୮ (ଏଜେନ୍ସି): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ପୂର୍ବାହ୍ଣରେ ତାଙ୍କ ସରକାରୀ ବାସଭବନରେ ରାଜ୍ୟଗୋଷ୍ଠୀ କ୍ରୀଡ଼ା ୨୦୨୨ର ପଦକ-ବିଜେତାମାନଙ୍କୁ ଭେଟିଛନ୍ତି । ବର୍ମିଂହାମ୍ରେ ଭାରତୀୟ ଦଳ ୨୨ ସ୍ୱର୍ଣ୍ଣ ସହ ୬୧ ପଦକ ପାଇ ପ୍ରତ୍ୟାବର୍ତ୍ତନ କରିଥିଲା । ପ୍ରଧାନମନ୍ତ୍ରୀ ଖେଳାଳିମାନଙ୍କୁ ସମ୍ମାନିତ କରିଥିଲେ ।
ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି – ଆପଣମାନେ ସ୍କୁଲ୍କୁ ଯାଆନ୍ତୁ, ଆଜିର ଯୁବଗୋଷ୍ଠୀ ଆପଣମାନଙ୍କୁ ରୋଲ୍ ମଡେଲ୍ ଭାବରେ ଦେଖୁଛନ୍ତି । ଆପଣମାନଙ୍କ ଠାରୁ ପ୍ରେରିତ ହୋଇ ଆପଣମାନଙ୍କ ଭଳି ହେବାକୁ ଚେଷ୍ଟା କରୁଛନ୍ତି, ଏଥିପାଇଁ ସ୍କୁଲ୍କୁ ନିଶ୍ଚୟ ଯାଆନ୍ତୁ । ଆପଣମାନେ ବର୍ମିଂହାମ୍ରେ ତ୍ରିରଙ୍ଗାର ମାନ ବଢ଼ାଇଛନ୍ତି । ଜଗତ ତ୍ରିରଙ୍ଗାର ଶକ୍ତି ୟୁକ୍ରେନ୍ରେ ଦେଖିଥିଲା । ତ୍ରିରଙ୍ଗା ଯୁଦ୍ଧକ୍ଷେତ୍ରରୁ ବାହାରକୁ ବାହାରିବାରେ କେବଳ ଭାରତୀୟମାନଙ୍କର ନୁହେଁ, ଅନ୍ୟ ଦେଶର ଲୋକମାନଙ୍କ ପାଇଁ ମଧ୍ୟ ସୁରକ୍ଷା କବଚ ହୋଇଥିଲା ।
ହକି ଟିମ୍ ଓ ମହିଳା ଖେଳାଳିଙ୍କୁ ପ୍ରଶଂସା
ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି – ଆମେ ଯେଉଁଭଳି ହକିରେ ନିଜ ପୂର୍ବ ପ୍ରତିଷ୍ଠା ହାସଲ କରୁଛୁ, ତାହା ପ୍ରଶଂସାଯୋଗ୍ୟ । ପୁରୁଷ ଓ ମହିଳା ଉଭୟ ଟିମ୍ ଶୁଭେଚ୍ଛାର ପାତ୍ର । ଆମେ ଖୁସି ଯେ ଅନେକ ଖେଳରେ ପଦକ ଜିତିବାର ନିକଟତର ଥିଲୁ । ଝିଅମାନେ ଉତ୍ତମ ପ୍ରଦର୍ଶନ କରିଥିଲେ । ପୂଜା ରୌପ୍ୟ ପଦକ ଜିତିବା ପରେ ଦେଶକୁ କ୍ଷମା ମାଗିଥିଲେ ଏବଂ ଭାବବିହ୍ୱଳ ହୋଇଯାଇଥିଲେ । ଏହା ସହିତ ସାରା ଦେଶ ଭାବବିହ୍ୱଳ ହୋଇଯାଇଥିଲା ଏବଂ ସୋଶାଲ୍ ମିିଡିଆରେ ଲୋକମାନେ କହିଥିଲେ ଯେ ସେ କ୍ଷମତା ମାଗିବାର ଆବଶ୍ୟକତା ନାହିଁ ।
ପ୍ରଧାନମନ୍ତ୍ରୀ ଆହୁରି ମଧ୍ୟ କହିଥିଲେ – ରାଜ୍ୟଗୋଷ୍ଠୀରେ ଝିଅମାନଙ୍କ ପ୍ରଦର୍ଶନ ଚମକ୍ପ୍ରଦ ଥିଲା । ମୁଁ ଅଲିମ୍ପିକ୍ କ୍ରୀଡ଼ା ପରେ ଭିନେଶଙ୍କୁ କହିଥିଲି ଯେ ନିରାଶ ହେବାର ଆବଶ୍ୟକତା ନାହିଁ । ମୁଁ ଖୁସି ଯେ ଭିନେଶ ନିରାଶାକୁ ଆଶାରେ ବଦଳାଇବାରେ ସଫଳ ହୋଇଛନ୍ତି । ଜୁଡ଼ୋ, କୁସ୍ତି, ବକ୍ସିଂ ପ୍ରତି କ୍ଷେତ୍ରରେ ଝିଅମାନେ ମାନ ବଢ଼ାଇଛନ୍ତି ।
ପ୍ରଧାନମନ୍ତ୍ରୀଙ୍କ କହିବାନୁଯାୟୀ, ଗର୍ବର ବିଷୟ ହେଉଛି ଯେ ଆପଣମାନଙ୍କ ପରିଶ୍ରମ ଓ ପ୍ରେରଣାଦାୟକ ଉପଲବ୍ଧି ଦ୍ୱାରା ଦେଶ ସ୍ୱାଧୀନତାର ଅମୃତକାଳରେ ପ୍ରବେଶ କରୁଛି । ଗତ କିଛି ସପ୍ତାହ ମଧ୍ୟରେ ଦେଶ କ୍ରୀଡ଼ା କ୍ଷେତ୍ରରେ ଦୁଇଟି ପ୍ରମୁଖ ଉପଲବ୍ଧି ହାସଲ କରିଛି । ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଐତିହାସିକ ପ୍ରଦର୍ଶନ ଛଡ଼ା ଦେଶ ପ୍ରଥମ ଥର ଚେସ୍ ଅଲିମ୍ପିଆଡ୍ର ଆୟୋଜନ କରିଥିଲା । ଏହା ଆରମ୍ଭ ମାତ୍ର ଏବଂ ଆମେ ନିରବରେ ବସିବୁ ନାହିଁ । ଭାରତୀୟ କ୍ରୀଡ଼ାର ସୁବର୍ଣ୍ଣ ସମୟ କବାଟ ବାଡ଼ଉଛି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦି ।