ଆଣ୍ଠୁଏ କାଦୁଅରେ ସ୍କୁଲ୍ ଯାଉଛନ୍ତି ଛାତ୍ରଛାତ୍ରୀ
ବୈଶିଙ୍ଗା (ଆପ୍ର): ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ଆଜାଦୀ କି ଅମୃତ ମହୋତ୍ସବ ଦେଶ ପାଳନ କରୁଛି । କେନ୍ଦ୍ର ଠାରୁ ରାଜ୍ୟ ସରକାର ଉଭୟେ ଶିକ୍ଷା, ସ୍ୱାସ୍ଥ୍ୟ ଓ ଗମନାଗମନ ଉପରେ ଗୁରୁତ୍ୱ ଦେଉଥିବା ବେଳେ ବାସ୍ତବ ଚିତ୍ର କିନ୍ତୁ ଅଲଗା । କେବଳ କାଗଜକଲମରେ ବ୍ୟୟ ଅଟକଳ ଚାଲିଛି ସିନା କାର୍ଯ୍ୟକାରୀ କ୍ଷେତ୍ର ଶୂନ୍ୟ ।
ପ୍ରାଥମିକ ଶିକ୍ଷା ପାଇଁ ସର୍ବଶିକ୍ଷା ଅଭିଯାନ କାର୍ଯ୍ୟକ୍ରମ ସର୍ବଗିଳାରେ ପରିଣତ ହୋଇଛି । ଏବେ ବିଦ୍ୟାଳୟ ପରିବେଶ ବେସାହାରା ପାଲଟି ଯାଇଥିବା ଲକ୍ଷ୍ୟ କରାଯାଇଛି । ବିଦ୍ୟାଳୟର ଶ୍ରେଣୀଗୃହ, ରୋଷେଇ ଘର, ଶୌଚାଳୟ କଥା କହିଲେ ନସରେ । ବିଦ୍ୟାଳୟର ମୁଖ୍ୟ ରାସ୍ତା ଯେ କେତେ କଦର୍ଯ୍ୟ ତାହା କଦଳିଆ ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ଦେଖିଲେ ଜଣାପଡ଼େ ।
ଅମୃତ ମହୋତ୍ସବ ପାଳନର ନିଦେ୍ର୍ଦଶନାମା ପାଇ ଶିକ୍ଷକ ଶିକ୍ଷୟିତ୍ରୀ କାର୍ଯ୍ୟକ୍ରମ ପ୍ରସ୍ତୁତିରେ ଲାଗି ପଡ଼ିଥିଲେ । ସେପଟେ ପିଲାମାନେ ହାତରେ ଜାତୀୟ ପତାକା ଧରି ଆଣ୍ଠୁଏ କାଦୁଅ ପାରିହେବାକୁ ଡେଇଁ ଡେଇଁ ଚାଲିଥିଲେ । କିଛି ପିଲା କାଦୁଅରେ ପଡ଼ି ସର ସର ହୋଇ କାନ୍ଦି କାନ୍ଦି ଘରକୁ ଫେରିଗଲେ । ଏହା ଦେଖି ଶିକ୍ଷୟିତ୍ରୀ ପିଲାଙ୍କ ଘରକୁ ଯାଇ ଆଉ ଗୋଟିଏ ପୋଷାକ ପିନ୍ଧାଇ ବିଦ୍ୟାଳୟକୁ ଆଣି ଉତ୍ସବ ପାଳିଲେ । ଏହି ଭଳି ବହୁ ଶିକ୍ଷା ଅନୁଷ୍ଠାନରେ ଥିବା ଅବ୍ୟବସ୍ଥା ନଜରକୁ ଆସିଛି ।