ରାଜ୍ୟସାରା ବର୍ଷିବ

ରେଡ୍ ୱାର୍ଣ୍ଣିଂ: ୧ଠ ଜିଲ୍ଲାରେ ୨ଠ ସେମି ବର୍ଷା ଆଶଙ୍କା
ଭୁବନେଶ୍ୱର, ୧୩ା୮ (ବୁ୍ୟରୋ): ଉତ୍ତର ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ରାଜ୍ୟର ଅଧିକାଂଶ ଜିଲ୍ଲାରେ ବର୍ଷା ଲାଗି ରହିଛି । ଆସନ୍ତାକାଲି ରବିବାର ଓ ସୋମବାର ରାଜ୍ୟର କେତେକ ଜିଲ୍ଲା ପ୍ରବଳରୁ ଅତି ପ୍ରବଳ ଅର୍ଥାତ ୨୦ ସେମିରୁ ଅଧିକ ବର୍ଷା ହେବାର ସମ୍ଭାବନା ରହିଛି । ଏଥିପାଇଁ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ରେଡ୍, ଅରେଞ୍ଜ ଓ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।
ପାଣିପାଗ କେନ୍ଦ୍ର ପକ୍ଷରୁ ଜାରି ବୁଲେଟିନ୍ ଅନୁସାରେ ଆସନ୍ତାକାଲି ନୂଆପଡ଼ା, ବଲାଙ୍ଗିର, କଳାହାଣ୍ଡି, ସୋନପୁର, ବୌଦ୍ଧ, ବରଗଡ଼, ଅନୁଗୋଳ, ସମ୍ୱଲପୁର, ଝାରସୁଗୁଡ଼ା ଓ ଦେବଗଡ଼ ଜିଲ୍ଲାର ସ୍ଥାନେ ସ୍ଥାନେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏହି ସବୁ ଜିଲ୍ଲାରେ ୨୦ ସେମିରୁ ଅଧିକ ବର୍ଷା ହୋଇପାରେ । ସେଥିପାଇଁ ରେଡ୍ ୱାର୍ଣ୍ଣିଂ ଜାରି କରାଯାଇଛି । ଏହାଛଡ଼ା ସୁନ୍ଦରଗଡ଼, କେନ୍ଦୁଝର, ଢେଙ୍କାନାଳ, ଯାଜପୁର, କଟକ, ନୟାଗଡ଼, କନ୍ଧମାଳ, ରାୟଗଡ଼ା, ନବରଙ୍ଗପୁର, କୋରାପୁଟ ଓ ମାଲକାନଗିରି ଜିଲ୍ଲାର ଗୋଟିଏରୁ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏହି ସବୁ ଜିଲ୍ଲାରେ ୭ରୁ ୨୦ ସେମି ପର୍ଯ୍ୟନ୍ତ ବର୍ଷା ହୋଇପାରେ । ସେଥିପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ଖୋର୍ଦ୍ଧା, ପୁରୀ, ଗଜପତି ଓ ଗଞ୍ଜାମ ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ ।
ଏହି ସବୁ ଜିଲ୍ଲାରେ ୭ରୁ ୧୧ ସେମି ପର୍ଯ୍ୟନ୍ତ ବର୍ଷା ହେବାର ସମ୍ଭାବନା ରହିଛି । ସେଥିପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଥିବା ପାଣିପାଗ କେନ୍ଦ୍ର ପକ୍ଷରୁ ପ୍ରକାଶ ପାଇଛି ।
ଏଯାବତ୍ ରାଜ୍ୟରେ ବର୍ଷା ପରିମାଣ ସ୍ୱାଭାବିକ ହୋଇଛି । ଗୋଟିଏ ଜିଲ୍ଲା ସୁବର୍ଣ୍ଣପୁରରେ ନିଅଣ୍ଟିଆ ବର୍ଷା ସ୍ଥିତି ରହିଥିବାବେଳେ ୩ ଜିଲ୍ଲାରେ ଆବଶ୍ୟକଠାରୁ ଅଧିକ ବର୍ଷା ହୋଇଛି । ବାକି ୨୬ ଜିଲ୍ଲାରେ ସ୍ୱାଭାବିକ ବର୍ଷା ରେକର୍ଡ କରାଯାଇଛି । ଶନିବାର ସକାଳୁ ରାଜ୍ୟର ଅନେକ ସ୍ଥାନରେ ବ୍ୟାପକ ବର୍ଷା ରେକର୍ଡ ହୋଇଛି । ସମ୍ବଲପୁରରେ ସର୍ବାଧିକ ୧୨୯.୨ ମିମି ବର୍ଷା ରେକର୍ଡ ହୋଇଥିବାବେଳେ ହୀରାକୁଦରେ ୮୦.୮ ମିମି, ବରଗଡରେ ୭୯.୬ ମିମି, ଜଗତସିଂହପୁରରେ ୭୫.୮ ମିମି ଓ ପୁରୀରେ ୬୦.୯ ମିମି ବର୍ଷା ରେକର୍ଡ କରାଯାଇଛି । ବର୍ଷା ପରିମାଣ ବଢ଼ିବାକୁ ଥିବାବେଳେ ଏଥିପ୍ରତି ସତର୍କତା ଅବଲମ୍ବନ କରିବାକୁ ପାଣିପାଗ ବିଶେଷଜ୍ଞ ଉମାଶଙ୍କର ଦାସ ପରମାର୍ଶ ଦେଇଛନ୍ତି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *