ଉପକୃତ ହେବେ ୪ ବ୍ଲକ୍ର ୩ ଲକ୍ଷରୁ ଊଦ୍ଧ୍ୱର୍ ପରିବାର
ଲୁଣାବନ୍ଧ ପ୍ରକଳ୍ପକୁ କ୍ୟାବିନେଟ୍ ମଞ୍ଜୁରି: ଜିଲ୍ଲା ବିଜେଡିର ସ୍ୱାଗତ
ପୁରୀ (ବୁ୍ୟରୋ): ପୁରୀ ଜିଲ୍ଲାରେ ପ୍ରାକୃତିକ ବିପର୍ଯ୍ୟୟରେ ୪ଟି ବ୍ଲକ୍ ବିଶେଷ ଭାବେ କ୍ଷୟକ୍ଷତି ହୁଏ । ଫଳରେ ବାତ୍ୟା, ବନ୍ୟା ଭଳି ପରିସ୍ଥିତି ସମୟରେ ଉକ୍ତ ୪ ବ୍ଲକ୍ର ଲକ୍ଷ ଲକ୍ଷ ଲୋକ ଚିନ୍ତାରେ ରହିଥାନ୍ତି । ଏପରିକି ସେମାନେ ନିଜ ଘରକୁ ମଧ୍ୟ ଛାଡ଼ିବାକୁ ପଡ଼ିଥାଏ । ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଦୃଢ଼ ପଦକ୍ଷେପ ଗ୍ରହଣ କରିଛନ୍ତି । ଗତ କ୍ୟାବିନେଟ୍ରେ ପୁରୀ ଜିଲ୍ଲାର ୪ଟି ବ୍ଲକ୍ର ୧୩୬ ଖଣ୍ଡ ଗାଁରେ ବସବାସ କରୁଥିବା ପ୍ରାୟ ୩ଲକ୍ଷରୁ ଉଦ୍ଧ୍ୱର୍ ପରିବାରର ଧନଜୀବନ ସୁରକ୍ଷିତ ରହିପାରିବା ନେଇ ଲୁଣାବନ୍ଧର ମରାମତି ଓ ସୁଦୃଢ଼ୀକରଣ କାର୍ଯ୍ୟ ଖୁବ୍ଶୀଘ୍ର ଆରମ୍ଭ ହେବ । ଏଥିଲାଗି ଗତ ଶୁକ୍ରବାର ରାଜ୍ୟ କ୍ୟାବିନେଟ୍ରେ ଏଭଳି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତିରେ ମୋହର ଲାଗିଛି ।
ଏଥିଲାଗି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜିଲ୍ଲାର ୪ଟି ବ୍ଲକ୍ର ୪୦.୮୪ କିମି ବେଳାଭୂମି ରାସ୍ତାରେ ବାତ୍ୟା ପ୍ରତିରୋଧକ ଲୁଣାବନ୍ଧ ପ୍ରକଳ୍ପ କାର୍ଯ୍ୟକାରୀ କରିବା ଲାଗି ୧୩୨.୪୧ କୋଟି ଟଙ୍କା ମଞ୍ଜୁର କରିଛନ୍ତି । ମୁଖ୍ୟମନ୍ତ୍ରୀ ପୁରୀ ଜିଲ୍ଲାକୁ ଏହି ପ୍ରକଳ୍ପ କାର୍ଯ୍ୟକାରୀ କରିବା ପାଇଁ ମଞ୍ଜୁର ଦେଇଥିବାରୁ ପୁରୀ ଜିଲ୍ଲା ବିଜେଡି, ଜିଲ୍ଲାବାସୀଙ୍କ ପକ୍ଷରୁ ତାଙ୍କୁ କୃତଜ୍ଞତା ଓ ଧନ୍ୟବାଦ ଅର୍ପଣ କରାଯାଇଛି ।
ଏନେଇ ସ୍ଥାନୀୟ ଏକ ହୋଟେଲ୍ରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ପୂର୍ବତନ ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ କୁମାର ଦାସବର୍ମା ସୂଚନା ଦେଇଛନ୍ତି । ଶ୍ରୀ ଦାସବର୍ମା ଆହୁରି କହିଛନ୍ତି, ମୁଖ୍ୟମନ୍ତ୍ରୀଙ୍କ ଯୁଗାନ୍ତକାରୀ ନିଷ୍ପତ୍ତି ଦ୍ୱାରା ଜିଲ୍ଲାର ବ୍ରହ୍ମଗିରି ନିର୍ବାଚନମଣ୍ଡଳୀର କୃଷ୍ଣପ୍ରସାଦ ବ୍ଲକ୍, ବ୍ରହ୍ମଗିରି ବ୍ଲକ୍ ଓ କାକଟପୁର ନିର୍ବାଚନମଣ୍ଡଳୀର କାକଟପୁର ଓ ଅସ୍ତରଙ୍ଗ ବ୍ଲକ୍ର ଲକ୍ଷାଧିକ ପରିବାର ସମୁଦ୍ର ଓ ଚିଲିକା ଜୁଆରରୁ ସୁରକ୍ଷିତ ରହିପାରିବେ । ବାତ୍ୟା ସମୟରେ ଏକ ଘଣ୍ଟା ପ୍ରତି ୨୫୦ କିମି ବେଗରେ ପବନ ପ୍ରବାହିତ ହେଲେ ସୁଦ୍ଧା ଏହି ପ୍ରକଳ୍ପ ତାହାକୁ ପ୍ରତିରୋଧ କରିପାରିବ । ତତ୍ସହିତ ଉଚ୍ଚ ଜୁଆର ଲୁଣାପାଣି ମାଡ଼ିଯିବା ଓ ବନ୍ୟା ଦାଉରୁ ସ୍ଥାନୀୟ ସ୍ଥଳଭାଗ ଓ ଜନବସତିକୁ ସୁରକ୍ଷା ପ୍ରଦାନ କରିବାରେ ଏହା ଅତ୍ୟନ୍ତ ସହାୟକ ହେବ ।
ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେବା ଫଳରେ ବିଶେଷ ଭାବେ ବ୍ରହ୍ମଗିରି ଓ କୃଷ୍ଣପ୍ରସାଦ ବ୍ଲକ୍ର ଅରଖକୁଦା ଘେରି ଅନ୍ତର୍ଗତ ଭଗବାନପୁର, ମୋଟୋ, ହାସିନପୁର, ବାଲି ହରଚଣ୍ଡୀ, ନଡ଼ିଆଖିଆ ଘେରି ଅନ୍ତର୍ଗତ ପଦନପୁର, ରାୟପୁର, ଗବକୁଣ୍ଡ, ସେବକପୁର, ମିର୍ଜାପୁର, ଆନନ୍ଦପୁର, ସିଆଣ୍ଡି, ମାଣିକପାଟଣା, ପଣସପଦା ଏବଂ ସାତପଡ଼ା ଘେରି ଅନ୍ତର୍ଗତ ବାଉରିସାହି, ଆଳୁପାଟଣା, ବଉଳପାଟଣା, ବାଘମୁଣ୍ଡା, ନୂଆଗାଁ, ସିପକୁଦା, ବନମାଳିପୁର, ପିରିଜିପୁର, ଗଙ୍ଗାଧରପୁର ଓ ଗୋରାପୁର ଗ୍ର୍ରାମର ଅଧିବାସୀମାନେ ଉପକୃତ ବା ସୁରକ୍ଷିତ ରହିପାରିବେ ।
କାକଟପୁର ଓ ଅସ୍ତରଙ୍ଗ ବ୍ଲକ୍ର ୫ ଗୋଟି ଲୁଣାବନ୍ଧ ପ୍ରକଳ୍ପ ଦ୍ୱାରା ନଗର, ବାଲିଡିହା, ଆଳସାହି, ଅନନ୍ତ, ପୋଚାଡ଼ିଆ, ପତିରା, ହରିପୁର, ଦେଉଳକଣ, ଆନାକଣ, ମୁଦୁଲିସାହି, ତେନ୍ତୁଳିଆ, ଶିଶୁଆ, ବେହେରାସାହି, ଇନାୟତପୁର, ରତନପୁର, ଉଦୟପୁର, ତେଣ୍ଡାଖାଇ, ନଡ଼ିଆ ଓ ଉଷାପଡ଼ା ଗାଁ ଗ୍ରାମବାସୀ ସୁରକ୍ଷିତ ଭାବେ ରହିପାରିବେ । ଜିଲ୍ଲାର ଏହି ୪ଟି ବ୍ଲକ୍ର ୧୩୬ଟି ଗ୍ରାମବାସୀ ଦୀର୍ଘବର୍ଷ ହେଲା ଦୁଃଖ କଷ୍ଟ ମଧ୍ୟରେ ରହିଆସୁଥିଲେ । ଆଜି ସେମାନଙ୍କର ଦୁଃଖକଷ୍ଟ ଲାଘବ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଗାମୀ ଦିନରେ ସେମାନଙ୍କୁ ବାତ୍ୟା ଓ ବନ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟରେ ଆତଙ୍କିତ ହେବାର ନାହିଁ । ତେଣୁ ମୁଖ୍ୟମନ୍ତ୍ରୀଙ୍କ ଲୋକାଭିମୁଖି ପ୍ରକଳ୍ପ ପାଇଁ ପୁରୀ ଜିଲ୍ଲାବାସୀଙ୍କ ତରଫରୁ ଧନ୍ୟବାଦ ଜଣାଯାଇଛି । ଏହି ସାମ୍ବାଦିକ ସମ୍ମିଳନୀରେ ପୂର୍ବତନ ବାଚସ୍ପତି ତଥା ଜିଲ୍ଲା ବିଜେଡି ସଭାପତି ମହେଶ୍ୱର ମହାନ୍ତି, ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ, କ୍ରୀଡ଼ା ମନ୍ତ୍ରୀ ତୁଷାରକାନ୍ତି ବେହେରା, ପୁରୀ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ସ୍ୱାଧୀନ କୁମାର ନାଏକ ପ୍ରମୁଖ ଉପସ୍ଥିତ ଥିଲେ ।