ନବୀନ ପୁଣି ନମ୍ବର ୱାନ୍
ଇଣ୍ଡିଆ ଟୁଡେ
‘ମୁଡ୍ ଅଫ୍ ଦ ନେସନ୍’ ସର୍ଭେ
ଓଡ଼ିଶାରେ ମୁଖ୍ୟମନ୍ତ୍ରୀଙ୍କ ଲୋକପ୍ରିୟତା କ୍ରମାଗତ ବଢୁଛି
୨୦୨୧ରେ ଲୋକପ୍ରିୟତା ଥିଲା ୫୧%, ଏବେ ୭୮%
ବିରୋଧୀ ନିଷ୍କ୍ରିୟ ଥିବାରୁ ଲୋକପ୍ରିୟତା ବଢ଼ିଛି: ପଞ୍ଚାନନ
ସର୍ଭେରେ ନଂ ୧, ବିକାଶ ଦେଖାଯାଉନି: ପୃଥୀରାଜ
ଲୋକାଭିମୁଖୀ ସ୍ୱଚ୍ଛ ଶାସନ ସହ ଜନକଲ୍ୟାଣକାରୀ ଯୋଜନା ଲୋକପ୍ରିୟତାର କାରଣ: ଅମର
ଭୁବନେଶ୍ୱର, ୧୨ା୮ (ବୁ୍ୟରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁଣି ନମ୍ବର ୱାନ୍ । ନିଜ ରାଜ୍ୟରେ ନବୀନ ପଟ୍ଟନାୟକ ସବୁଠାରୁ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ । ସେହିପରି ଦେଶରେ ସର୍ବାଧିକ ଲୋକପ୍ରିୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଇଣ୍ଡିଆ ଟୁଡେ ମୁଡ୍ ଅଫ୍ ନେସନ୍ ପୋଲ୍ ସର୍ଭରେ ଏଭଳି ତଥ୍ୟ ପ୍ରକାଶ ପାଇଛି । ଚଳିତ ବର୍ଷ ଫେବ୍ରୁଆରୀରୁ ଅଗଷ୍ଟ ମଧ୍ୟରେ ଇଣ୍ଡିଆ ଟୁଡେ ଓ ସି-ଭୋଟର୍ ପକ୍ଷରୁ ସର୍ଭେ କରାଯାଇଥିଲା । ଏଥିରେ ୧ ଲକ୍ଷ ୨୨ ହଜାର ୧୬ ଜଣ ଲୋକ ସାମିଲ ହୋଇଥିଲେ ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜନପ୍ରିୟତାରେ ନିଜ ସ୍ଥିତିକୁ ଆହୁରି ଦୃଢ଼ କରିଛନ୍ତି । ତାଙ୍କ ଶାସନକୁ ନେଇ ରାଜ୍ୟର ୭୮ ପ୍ରତିଶତ ଲୋକ ସନ୍ତୁଷ୍ଟ । ସର୍ଭେ ରିପୋର୍ଟ ଅନୁଯାୟୀ, ଜନପ୍ରିୟତା ତାଲିକାର ଦ୍ୱିତୀୟ ଓ ତୃତୀୟ ସ୍ଥାନରେ ଅଛନ୍ତି ଯଥାକ୍ରମେ- ଆସାମ ମୁଖ୍ୟମନ୍ତ୍ରୀ ହେମନ୍ତ ବିଶ୍ୱଶର୍ମା ଓ ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ଏମ୍ କେ ଷ୍ଟାଲିନ୍ । ହେମନ୍ତଙ୍କ ଉପରେ ୬୩% ଲୋକ ଏବଂ ଷ୍ଟାଲିନ୍ଙ୍କ ଉପରେ ୬୧% ଲୋକ ସନ୍ତୁଷ୍ଟ ।
ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ରାଜ୍ୟରେ ଲୋକପ୍ରିୟତାରେ ଶୀର୍ଷରେ ରହିଛନ୍ତି । ନିର୍ମଳ ଭାବମୂର୍ତ୍ତି ଓ ସୁଶାସନ ତାଙ୍କ ପାଇଁ ଏହି ସଫଳତା ଆଣିଦେଇଛି । କେବଳ ରାଜ୍ୟ ପାଇଁ ନୁହେଁ, ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଦେଶ ହିତକାରୀ ପ୍ରସଙ୍ଗରେ ଉଚିତ ଦାୟିତ୍ୱ ନିର୍ବାହ କରି ନବୀନ ଜାତୀୟ ସ୍ତରରେ ମଧ୍ୟ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି । ଫଳରେ ରାଜ୍ୟର ଜନସାଧାରଣ ମୁଖ୍ୟମନ୍ତ୍ରୀ ଭାବେ ନବୀନଙ୍କ ପ୍ରତି ଆସ୍ଥା ଓ ବିଶ୍ୱାସ ଅତୁଟ ରଖିଛନ୍ତି । ୨୦୨୧ ଜାନୁୟାରୀରେ ମଧ୍ୟ ଇଣ୍ଡିଆ ଟୁଡେ ଗ୍ରୁପ୍-କାର୍ଭି ଇନ୍ସାଇଟ୍ସର “ମୁଡ୍ ଅଫ୍ ଦ ନେସନ୍’ ସର୍ଭେରେ ନବୀନ ଲୋକପ୍ରିୟତା ବର୍ଗରେ ପ୍ରଥମ ସ୍ଥାନ ହାସଲ କରିଥିଲେ । ଶ୍ରୀ ପଟ୍ଟନାୟକ ସେହି ସମୟରେ ରାଜ୍ୟର ୫୧% ଲୋକଙ୍କ ସମର୍ଥନ ପାଇ ନିଜ
ରାଜ୍ୟରେ ସର୍ବାଧିକ ପସନ୍ଦଯୋଗ୍ୟ ମୁଖ୍ୟମନ୍ତ୍ରୀ ଭାବେ ଉଭା ହୋଇଥିଲେ । ଏହି ସର୍ଭେରେ ସେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଏବଂ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଭଳି ହେଭିୱେଟଙ୍କୁ ପଛରେ ପକାଇ ଦେଇଥିଲେ ।
ସେହିପରି ଜାନୁୟାରୀ ୨୦୨୨ରେ ମଧ୍ୟ ନବୀନ ମୁଡ୍ ଅଫ୍ ଦ ନେସନ୍ ସର୍ଭେରେ କ୍ରମାଗତ ଦ୍ୱିତୀୟ ଥର ଏକ ନମ୍ବର ସ୍ଥାନ ବଜାୟ ରଖିଥିଲେ । ଏହି ସର୍ଭେରେ ନବୀନଙ୍କ ପଛକୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ୍ କେ ଷ୍ଟାଲିନ୍ ଦ୍ୱିତୀୟ ଏବଂ ତୃତୀୟ ସ୍ଥାନରେ ରହିଥିଲେ । ଉକ୍ତ ସର୍ଭେରେ ନବୀନଙ୍କୁ ରାଜ୍ୟର ୭୧% ଲୋକ ନିଜର ସମର୍ଥନ ଜଣାଇଥିଲେ ଯାହା ପୂର୍ବ ସର୍ଭେ ତୁଳନାରେ ୨୦% ଅଧିକ ଥିଲା । ଚଳିତ ସର୍ଭେରେ ନବୀନ ନିଜ ରାଜ୍ୟରେ ପୂର୍ବ ଲୋକପ୍ରିୟତା ବଜାୟ ରଖିବା ସହ ସମର୍ଥନ ହାରକୁ ଆହୁରି ୭% ବୃଦ୍ଧି କରିପାରିଛନ୍ତି । ଏହିପରି ଭାବେ ଗତ ୩ଟି ସର୍ଭେରେ କ୍ରମାଗତ ଭାବେ ନବୀନ ନମ୍ବର ୱାନ୍ ହୋଇ ଆସୁଥିବାବେଳେ ଅନ୍ୟ କୌଣସି ରାଜ୍ୟର ମୁଖ୍ୟମନ୍ତ୍ରୀ ଲୋକପ୍ରିୟତା କ୍ଷେତ୍ରରେ ଏପରି ସ୍ଥିତି ବଜାୟ ରଖପାରିନାହାନ୍ତି । କେବଳ ଇଣ୍ଡିଆ ଟୁଡେ ନୁହେଁ, ନିକଟ ଅତୀତରେ ଏବିପି-ସିଭୋଟର୍ର ଦେଶବ୍ୟାପୀ ସର୍ଭେରେ ମଧ୍ୟ ନବୀନ ନିଜ ରାଜ୍ୟରେ ସବୁଠାରୁ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ବିବେଚିତ ହୋଇଥିଲେ ।
ମୁଖ୍ୟମନ୍ତ୍ରୀ ପୁଣି ଥରେ ଦେଶର ୧ ନଂ ମୁଖ୍ୟମନ୍ତ୍ରୀ ହୋଇଥିବାବେଳେ ରାଜ୍ୟରେ ଏନେଇ ରାଜନୀତି ଜୋର ଧରିଛି । ଏହାକୁ ନେଇ କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ ଅର୍ଥମନ୍ତ୍ରୀ ପଞ୍ଚାନନ କାନୁନଗା କହିଛନ୍ତି, ଏହା ପଛରେ ୨ଟି କାରଣ ରହିଛି । ବିଜେପି ବିରୋଧି ଦଳ ଭାବେ ଯେପରି ଉଭା ହେବା କଥା ସେପରି ହୋଇନାହିଁ ଏବଂ କଂଗ୍ରେସ ଦୁର୍ବଳ ହୋଇଥିଲେ ବି ବ୍ରଜରାଜନଗର ଉପ ନିର୍ବାଚନ ପରେ ନିଜକୁ ସୁଧାରିବାକୁ ଚେଷ୍ଟା କରିଛି । ତଥାପି ଏକ ଶକ୍ତ ବିରୋଧୀ ଭାବେ କଂଗ୍ରେସ ଦଳ ଉଭା ହୋଇପାରିନାହିଁ । ଯାହା ନବୀନଙ୍କୁ ଲୋକପ୍ରିୟ କରୁଛି । ପୁଣି ଚେଞ୍ଜ ଅଫ ଫେସ୍ ଆଣ୍ଡ ଚେଞ୍ଜ ଅଫ ପ୍ଲେସ୍ ନିର୍ବାଚନୀ ରଣନୀତି ନବୀନଙ୍କ ଲୋକପ୍ରିୟ ହେବାର ଆଉ ଏକ କାରଣ ବୋଲି ପଞ୍ଚାନନ କହିଛନ୍ତି ।
ସେପଟ ସାରା ଦେଶରେ ହର ଘର ତ୍ରିରଙ୍ଗା ଯାତ୍ରାରେ ମାତିଥିବା ବିଜେପି ଏହି ପ୍ରସଙ୍ଗକୁ ଏଡାଇ ଯିବାକୁ ଚେଷ୍ଟା କରିଛି । ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି କହିଛନ୍ତି, ରାଜ୍ୟରେ କିଏ ଏକ ନମ୍ବର ହେଲା ସେଥିରେ ତାଙ୍କର କିଛି ଯାଆସ ନାହିଁ । ଏବେ ସାରା ଦେଶ ତ୍ରିରଙ୍ଗାର ଧୁନରେ ଅଛି । କିନ୍ତୁ ଦଳୀୟ ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି, ରାଜ୍ୟରେ ଅର୍ଥନୈତିକ ମାପଦଣ୍ଡ, ଲୋକଙ୍କ ଆର୍ଥିକ ବ୍ୟବସ୍ଥା ଓ ବିକାଶ ପ୍ରତିଫଳିତ ହେଇନାହିଁ । ପ୍ରଧାନମନ୍ତ୍ରୀଙ୍କ ବିକାଶ ଦେଖାଯାଉଛି । କିନ୍ତୁ ଓଡ଼ିଶାର ବିକାଶ ପ୍ରତିଫଳିତ ହେଉନାହିଁ । ଖାଲି ସର୍ବେକ୍ଷଣରେ ୧ ନମ୍ବର ମୁଖ୍ୟମନ୍ତ୍ରୀ ନ ହୁଅନ୍ତୁ । ଓଡ଼ିଶାରେ ବିକାଶ ଦେଖାଯିବା ଆବଶ୍ୟକ । ଉତ୍ତରପ୍ରଦେଶରେ ଦାରିଦ୍ର୍ୟ ଭିତ୍ତିଭୂମି, ଶିଳ୍ପାୟନ ଅଭିବୃଦ୍ଧି ହୋଇଛି । ବିକାଶର ହାର ଉତ୍ତରପ୍ରଦେଶରେ ଆଗରେ ରହିଛି । ଆଖିକୁ ବିକାଶ ଦେଖାଯିବା ଆବଶ୍ୟକ ବୋଲି ସେ କହିଛନ୍ତି ।
ଅନ୍ୟପଟେ ବିଜେଡି ତାର ଚିରାଚରିତ ଢଙ୍ଗରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକଙ୍କୁ ପ୍ରଶଂସା କରିଛି । ଦଳୀୟ ସାଂସଦ ଅମର ପଟ୍ଟନାୟକ କହିଛନ୍ତି, ଲୋକାଭିମୁଖୀ, ସ୍ୱଚ୍ଛ ଶାସନ ସହ ଜନକଲ୍ୟାଣକାରୀ ଯୋଜନା ଲୋକପ୍ରିୟତା ପଛର କାରଣ । ଏହାସହ ନବୀନ ଜାତୀୟସ୍ତରରେ ନେଇଥିବା ପଦକ୍ଷେପ ମଧ୍ୟ ଅନ୍ୟତମ କାରଣ । ମୁଖ୍ୟମନ୍ତ୍ରୀ ଯେଉଁଭଳି ଭାବେ ଜାତୀୟ ହକିକୁ ପ୍ରୋତ୍ସାହନ ଦେଲେ ଓ ପରବର୍ତ୍ତୀ ସମୟରେ ତାହା ପ୍ରତିଫଳନ ହେଲା । ଏଥିରୁ ମୁଖ୍ୟମନ୍ତ୍ରୀଙ୍କ ଲୋକପ୍ରିୟତା ବୃଦ୍ଧି ହୋଇଛି । ବଡ଼ କଥା ହେଲା ୨୦୦୩ ମସିହାରେ ଯେତେବେଳେ ଏହି ସର୍ଭେ ପ୍ରଥମେ ଆରମ୍ଭ ହୋଇଥିଲା ସେତେବେଳେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ନମ୍ବର ୧ ଥିଲେ । କିନ୍ତୁ ପରବର୍ତ୍ତି ସମୟରେ ଦ୍ୱିତୀୟ ସ୍ଥାନକୁ ମଧ୍ୟ ଖସିଥିଲେ । ହେଲେ ଏବେ ପୁଣି ଥରେ ନମ୍ବର ୧କୁ ଫେରିଛନ୍ତି ।