ବୁମ୍ରାଙ୍କ ଆଘାତ ଗୁରୁତର!

ମୁମ୍ବାଇ, ୧୨ା୮ (ଏଜେନ୍ସି): ଆଘାତ ଯୋଗୁଁ ଏସିଆ କପ୍ ପାଇଁ ଟିମ୍ରେ ସାମିଲ୍ ହୋଇ ନ ଥିବା ପେସର୍ ଯଶପ୍ରୀତ ବୁମ୍ରାଙ୍କ ଆଘାତ ଗୁରୁତର ଥିବା ଜଣାପଡ଼ିଛି । ଏପରିସ୍ଥଳେ ଟି-୨୦ ବିଶ୍ୱକପ୍ରେ ତାଙ୍କ ଖେଳିବାକୁ ନେଇ ସନେ୍ଦହ ରହିଛି । ସେ ପିଠି ଯନ୍ତ୍ରଣା ଭୋଗୁଥିବାରୁ ସେ ଅଗଷ୍ଟ ୨୭ରୁ ୟୁଏଇରେ ଆରମ୍ଭ ହେବାକୁ ଥିବା ଏସିଆ କପ୍ରୁ ବାଦ୍ ପଡ଼ିଛନ୍ତି ।
ଟି-୨୦ ବିଶ୍ୱକପ୍ ଆରମ୍ଭ ହେବାକୁ ଦୁଇ ମାସ ବାକି ଅଛି । ବୁମ୍ରାଙ୍କ ଆଘାତକୁ ନେଇ ଏବେ ଭାରତୀୟ କ୍ରିକେଟ୍ ନିୟନ୍ତ୍ରଣ ବୋର୍ଡ (ବିସିସିଆଇ) ପକ୍ଷରୁ କୌଣସି ବିଧିବଦ୍ଧ ସୂଚନା ଦିଆଯାଇ ନାହିଁ । ବୁମ୍ରାଙ୍କୁ ରିହାବ୍ ପାଇଁ ବେଙ୍ଗାଲୁରୁସ୍ଥିତ ଜାତୀୟ କ୍ରିକେଟ୍ ଏକାଡେମୀକୁ ଯିବା ପାଇଁ ବୋର୍ଡ ପକ୍ଷରୁ କୁହାଯାଇଛି । ମିଡିଆ ରିପୋର୍ଟ ଅନୁଯାୟୀ ବୁମ୍ରାଙ୍କ ଆଘାତ ଗୁରୁତର । ତାଙ୍କୁ ଫିଟ୍ ହେବା ପାଇଁ ଅଧିକ ସମୟ ଲାଗିପାରେ । ତାଙ୍କ ଆଘାତ ଉପରେ ବିସିସିଆଇ ନଜର ରଖିଛି ।
ପୂର୍ବରୁ ବି ଯନ୍ତ୍ରଣା ଯୋଗୁଁ କ୍ରିକେଟ୍ରୁ ଦୂରରେ ଥିଲେ ବୁମ୍ରା
ଯଶପ୍ରୀତ ବୁମ୍ରା ପୂର୍ବରୁ ବି ଆଘାତ ଯୋଗୁଁ କ୍ରିକେଟ୍ରୁ ଦୂରରେ ରହିସାରିଛନ୍ତି । ୨୦୧୯ରେ ବିଶ୍ୱକପ୍ ପରେ ପିଠିରେ ଆଘାତ ଲାଗିଥିଲା । ତାଙ୍କ ପିଠିର ନିମ୍ନ ଅଂଶରେ ଷ୍ଟ୍ରେସ୍ ଫ୍ୟାକ୍ଚର ଥିଲା । ଏହାପରେ ସେ ଅନେକ ଦିନ ଧରି ଟିମ୍ରୁ ବାହାରେ ଥିଲେ । ପ୍ରତ୍ୟାବର୍ତ୍ତନ ପରେ ବି ତାଙ୍କୁ ପୂର୍ବ ଫର୍ମକୁ ଫେରିବା ପାଇଁ ଯଥେଷ୍ଟ ସମୟ ଲାଗିଥିଲା ।
ବୁମ୍ରା ଆହତ ହେବାର ସବୁଠାରୁ ବଡ଼ କାରଣ ତାଙ୍କ ଅନନ୍ୟ ବୋଲିଂ ଆକ୍ସନ୍ । ଯେଉଁଭଳି ଭାବେ ସେ ବଲ୍ ପକାନ୍ତି, ତଦ୍ଦ୍ୱାରା ତାଙ୍କ ପିଠି ଉପରେ ଅଧିକ ଚାପ ପଡ଼ିଥାଏ ।
ଏସିଆ କପ୍ରେ ଆଘାତ ଯୋଗୁଁ ବୁମ୍ରା ଓ ହର୍ଷଲ ବାଦ୍
ଏସିଆ କପ୍ରେ ବୁମ୍ରା ଓ ହର୍ଷଲ ପଟେଲ୍ ଆଘାତ ଜନିତ କାରଣରୁ ଏସିଆ କପ୍ରୁ ବାଦ୍ ପଡ଼ିଛନ୍ତି । ଏପରିସ୍ଥଳେ ୟୁଏଇରେ ହେବାକୁ ଥିବା ଟୁର୍ଣ୍ଣାମେଣ୍ଟ ପାଇଁ ଭାରତୀୟ ଟିମ୍ରେ ତିନି ଜଣ ବୋଲର୍ – ଭୁବନେଶ୍ୱର କୁମାର, ଯୁବ ଅର୍ଶଦୀପ ସିଂହ ଓ ଅଭେଶ ଖାଁଙ୍କୁ ସାମିଲ୍ କରାଯାଇଛି ।
ଟି-୨୦ ଯୋଗୁଁ ଆଘାତ ସମସ୍ୟା ବଢ଼ିଛି
ଅଧିକ ଟି-୨୦ ମ୍ୟାଚ୍ ଖେଳାଯାଉଥିବାରୁ ଖେଳାଳିମାନଙ୍କ ଆଘାତ ହେବା ସମସ୍ୟା ବୃଦ୍ଧି ପାଇଛି । ଏକ ଗବେଷଣା ଅନୁଯାୟୀ ଟି-୨୦ ଆସିବା ପରେ ଖେଳାଳିମାନଙ୍କ ଆଘାତ ସମସ୍ୟାରେ ୧୦ ପ୍ରତିଶତ ବୃଦ୍ଧି ଘଟିଛି । ସର୍ବାଧିକ କ୍ଷତି ପେସର୍ମାନଙ୍କୁ ଭୋଗିବାକୁ ପଡ଼ିଛି, ଯେଉଁମାନଙ୍କ ମଧ୍ୟରେ ଆଘାତ ମାମଲା ୧୮ ପ୍ରତିଶତ ବଢ଼ିଛି ।
ଏବେ ଆନ୍ତର୍ଜାତିକ କ୍ରିକେଟ୍ରେ ୨୮ ଜଣ ଖେଳାଳି ଆଘାତ ଯୋଗୁଁ ପଡ଼ିଆରୁ ବାହାରେ ଅଛନ୍ତି । କ୍ରିକେଟ୍ ଅଷ୍ଟ୍ରେଲିଆର ଗବେଷଣା ଅନୁଯାୟୀ, ପେସର୍ଙ୍କ ମଧ୍ୟରେ ଆଘାତ ମାମଲା ଅନ୍ୟ ଖେଳାଳିଙ୍କ ତୁଳନାରେ ଅଢ଼େଇ ଗୁଣରୁ ଛଅ ଗୁଣ ଯାଏଁ ଅଧିକ । ପୂର୍ବତନ ପାକିସ୍ତାନୀ ପେସର୍ ସୋଏବ ଅଖତାରଙ୍କ କହିବାନୁଯାୟୀ ଆଣ୍ଠୁରେ ଆଘାତ ଯୋଗୁଁ ତାଙ୍କ କ୍ୟାରିଅର ଶୀଘ୍ର ଶେଷ ହୋଇଯାଇଥିଲା, ନଚେତ୍ ସେ ଆଉ ଚାରି-ପାଞ୍ଚ ବର୍ଷ ଅଧିକ ଖେଳିପାରିଥାନ୍ତେ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *