ଏଣିକି ଧର୍ମପରିବର୍ତ୍ତନ କଲେ ଜେଲ
ହିମାଚଳରେ ଧର୍ମୀୟ ସ୍ୱାଧୀନତା ବିଲ୍ ପାରିତ
ଧର୍ମଶାଳା (ଏଜେନ୍ସି): ସାମୂହିକ ଧର୍ମାନ୍ତରିକରଣକୁ ନେଇ ହିମାଚଳ ସରକାର ଶକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ଏହିକ୍ରମେ ଶନିବାର ବିଧାନସଭାରେ ରାଜ୍ୟ ସରକାର ଏକ ନୂଆ ଆଇନ୍କୁ ପାରିତ କରାଇଛନ୍ତି । ଏଥିରେ ଜୋରଜବରଦସ୍ତି କିମ୍ବା କୌଣସି ପ୍ରକାର ପ୍ରଲୋଭନ ଆଳରେ ଗୋଟିଏ ଧର୍ମର ବ୍ୟକ୍ତିବିଶେଷଙ୍କୁ ଅନ୍ୟ ଧର୍ମକୁ ପରିବର୍ତ୍ତନ କରାଇବାକୁ ଅପରାଧ ଭାବେ ବିବେଚନା କରାଯାଇଛି । ଏଥିସହ ଏହି ଅପରାଧ ପାଇଁ ଅଭିଯୁକ୍ତଙ୍କୁ ୭ରୁ ୧ଠ ବର୍ଷ ପର୍ଯ୍ୟନ୍ତ ଜେଲ ଏବଂ ୨ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଅର୍ଥଦଣ୍ଡ ଦିଆଯିବାର ମଧ୍ୟ ପ୍ରାବଧାନ ରଖିଛନ୍ତି ରାଜ୍ୟ ସରକାର । ତେବେ ହିମାଚଳ ସରକାରଙ୍କ ଏପ୍ରକାର ପଦକ୍ଷେପ ଫଳରେ ରାଜ୍ୟରେ ବଳପୂର୍ବକ ହେଉଥିବା ବ୍ୟାପକ ସାମୁହିକ ଧର୍ମ ପରିବର୍ତ୍ତନ ପ୍ରକ୍ରିୟା ଉପରେ ଅଙ୍କୁଶ ଲାଗିପାରିବ ବୋଲି ଅନୁମାନ କରାଯାଉଛି ।
ରାଜ୍ୟ ସରକାରଙ୍କ ପ୍ରସ୍ତାବିତ ନୂଆ ଆଇନ୍ରେ ଅନୁସୂଚୀତ ଜାତି କିମ୍ବା ଅନ୍ୟ ଯେକୌଣସି ସଂରକ୍ଷିତ ବର୍ଗର ଲୋକମାନେ ଯଦି ନିଜ ମୂଳ ଧର୍ମ ପରିବର୍ତ୍ତନ କରନ୍ତି ତେବେ ସେମାନଙ୍କୁ କୌଣସି ପ୍ରକାର ସଂରକ୍ଷଣ ଦିଆଯିବ ନାହିଁ ବୋଲି ମଧ୍ୟ ଏଥିରେ ସ୍ପଷ୍ଟ ହୋଇଛି । ଏତଦ୍ବ୍ୟତୀତ ଯଦି ନିଜ ଧର୍ମ ପରିବର୍ତ୍ତନ ସମ୍ପର୍କରେ ସରକାରୀ ଅଧିକାରୀଙ୍କୁ ଲୁଚାଇବା ସହ ସଂରକ୍ଷଣ ପ୍ରକ୍ରିୟା ଅନ୍ତର୍ଗତ ମିଳୁଥିବା ସରକାରୀ ସହାୟତା ତଥା ସୁବିଧାର ଲାଭ ଉଠାଉଥିବାର ପରବର୍ତ୍ତୀ ସମୟରେ ଜଣାପଡେ ତେବେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ୩ରୁ ୫ବର୍ଷ ପର୍ଯ୍ୟନ୍ତ ଜେଲ୍ଦଣ୍ଡ ଏବଂ ୫ଠ ହଜାର ଟଙ୍କା ପର୍ଯ୍ୟନ୍ତ ଜରିମାନା ଲାଗୁ କରାଯିବା ଭଳି ନିୟମ କରାଯାଇଛି ।
ପ୍ରକାଶ, ହିମାଚଳରେ ଦୈନିକ ଧର୍ମାନ୍ତରିକରଣ ପ୍ରକ୍ରିୟା ଜାରି ରହିଛି । ନିର୍ଦ୍ଦିଷ୍ଟ ବର୍ଗର କିଛି ଲୋକ, ନିଜ ସମୁଦାୟର ସଂଖ୍ୟାକୁ ବଢ଼ାଇବା ଉଦେ୍ଦଶ୍ୟରେ ସବୁପ୍ରକାର ବଳ ପ୍ରୟୋଗପୂର୍ବକ ଲୋକମାନଙ୍କୁ ନିଜ ଧର୍ମରେ ସାମିଲ କରାଇବା ପାଇଁ ଗୁପ୍ତ ଅଭିଯାନ ଚଳାଇଛନ୍ତି । ଏନେଇ ବରାବର ଦୃଷ୍ଟିକୁ ଆସିବା ପରେ ରାଜ୍ୟ ସରକାର ଧାର୍ମିକ ସ୍ୱତନ୍ତ୍ରତା ଆଇନ୍-୨ଠ୧୯କୁ ଅଧିକ କଠୋର କରିଛନ୍ତି । ମୁଖ୍ୟମନ୍ତ୍ରୀ ଜୟରାମ ଠାକୁର ଗତକାଲି ଶୁକ୍ରବାର ବିଧାନସଭାରେ ଧର୍ମ ସ୍ୱତନ୍ତ୍ରତା ସଂଶୋଧନ ବିଧେୟକ -୨ଠ୨୨କୁ ଉପସ୍ଥାପନ କରିଥିଲେ । ଶନିବାର ଏହାକୁ ଗୃହରେ ପାରିତ କରାଯାଇଛି । ଉଲ୍ଲେଖଯୋଗ୍ୟ, ଚଳିତ ବର୍ଷ ଶେଷରେ ରାଜ୍ୟରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ । ଏହା ପୂର୍ବରୁ ବିଧାନସଭାରେ ‘ଦି ହିମାଚଳ ପ୍ରଦେଶ ଫ୍ରିଡମ୍ ଅଫ ରିଲିଜନ (ସଂଶୋଧିତ) ବିଲ୍ ୨ଠ୨୨ ନାମରେ ଏହି ବିଲ୍ ସର୍ବସମ୍ମତିକ୍ରମେ ପାରିତ ହୋଇଛି ।