ନିଯୁକ୍ତି ପାଇଁ ଆତ୍ମା ସହ ସାଲିସ୍ କରୁଛନ୍ତି
ମହିଳାଙ୍କ ସମ୍ପର୍କରେ କଂଗ୍ରେସ ନେତାଙ୍କ ଆପତ୍ତିଜନକ ମନ୍ତବ୍ୟ
ବେଙ୍ଗାଲୁରୁ (ଏଜେନ୍ସି): କର୍ଣ୍ଣାଟକ ପ୍ରଦେଶ କଂଗ୍ରେସର ବରିଷ୍ଠ ନେତା ପ୍ରିୟଙ୍କ ଖର୍ଗେ ପୁଣିଥରେ ଏପ୍ରକାର ଏକ ଅତ୍ୟନ୍ତ ଅଭଦ୍ରୋଚିତ ତଥା ଆପତ୍ତିଜନକ ମନ୍ତବ୍ୟ ଦେଇଛନ୍ତି । ଯେଉଁଥିପାଇଁ ସେ ନିଜ ପାଇଁ, ନିଜ ଦଳ ପାଇଁ ଏବଂ ସର୍ବୋପରି ନିଜ ବାପାଙ୍କ ପାଇଁ ଏକ ବୃହତ୍ ବିବାଦ ସୃଷ୍ଟି କରିଦେଇଛନ୍ତି । ପ୍ରାପ୍ତ ସୂଚନାନୁସାରେ ଶୁକ୍ରବାର ପ୍ରିୟଙ୍କ ବେଙ୍ଗାଲୁରୁ ଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ ବିଜେପି ନେତୃତ୍ୱାଧୀନ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଥିଲେ । ଏହି ପରିପ୍ରେକ୍ଷୀରେ ସେ ଉଦାହରଣ ଦେଇ କହିଥିଲେ ଯେ, ବିଜେପି ସରକାରରେ ସ୍ଥିତି ଏପରି ଯେ, ନିଯୁକ୍ତି ପାଇବା ପାଇଁ ଏଠାରେ ପୁରୁଷମାନେ ଲାଞ୍ଚ ଦେବାକୁ ବାଧ୍ୟ ହେଉଥିବା ବେଳେ ଏବଂ କମ୍ ବୟସର ମହିଳା, ଯୁବତୀଙ୍କୁ ସେହି ସମାନ କାରଣ ପାଇଁ ଜଣକ ସହ ଶୋଇବାକୁ ଆବଶ୍ୟକ ହେଉଛି । ବିଜେପି ସରକାରରେ ବିନା ଲାଞ୍ଚରେ ନିଯୁକ୍ତି ମିଳିବା ସମ୍ଭବ ନୁହେଁ । ବିନା ଉକ୍ରୋଚରେ ଏଠାରେ କିଛି ବି ହେଉନାହିଁ । ବିଜେପି ନେତୃତ୍ୱାଧୀନ ରାଜ୍ୟ ସରକାର ଲାଞ୍ଚ-କାଉଚ୍ ସରକାର ହୋଇଯାଇଛି ।
ଏହି ଅବସରରେ ପ୍ରିୟଙ୍କ, ରାଜ୍ୟ ବିଜେପିରୁ ନିକଟରେ ବହିଷ୍କାର ହୋଇଥବା ୨ ନେତାଙ୍କ ସମ୍ପର୍କରେ ମଧ୍ୟ ଉଦାହରଣ ଦେଇଛନ୍ତି । ପ୍ରିୟଙ୍କଙ୍କ କହିବାନୁସାରେ ବିଜେପି ନେତା ରମେଶ ଜାରକିହୋଲି (ପୂର୍ବତନ ମନ୍ତ୍ରୀ) ନାମକ ଜଣେ ନେତା ସରକାରୀ ଚାକିରି କରାଇ ଦେବାର ଲୋଭ ଦେଖାଇ ଯୁବତୀଙ୍କୁ ଶାରୀରିକ ସମ୍ପର୍କ ରଖିବାକୁ ବାଧ୍ୟ କରିଥିବା ଜଣାପଡ଼ିବା ପରେ ଦଳରୁ ବହିଷ୍କାର ହୋଇଛନ୍ତି । ସେହିପରି କେଏସ୍ ଈଶ୍ୱରପ୍ପା ନାମକ ଅନ୍ୟ ଜଣେ ବିଜେପି ନେତା ଏକ ସରକାରୀ କାମର ଟେଣ୍ଡର ଦେବା ପାଇଁ ଜଣେ କଣ୍ଟ୍ରାକ୍ଟରକୁ ୪ଠ% କମିଶନ (ଲାଞ୍ଚ) ମାଗିବା ଅଭିଯୋଗରେ ବହିଷ୍କାର ହୋଇଛନ୍ତି । ଏତଦ୍ବ୍ୟତୀତ ରାଜ୍ୟ ସରକାର ଖୁଲମଖୁଲ୍ଲା ସରକାରୀ ପଦ ପଦବୀ ପାଇଁ ପାଇଁ ଜାରି ହେଉଥିବା ନିଯୁକ୍ତି ବିଜ୍ଞପ୍ତି ଆଳରେ କୋଟି କୋଟି ଟଙ୍କା ଆୟ କରୁଛନ୍ତି । ନିକଟରେ ସରକାରୀ ଇଞ୍ଜିନିୟର ପାଇଁ ହୋଇଥିବା ପରୀକ୍ଷାରେ ସମସ୍ତ ୬ଠଠ ସିଟ୍କୁ ବିକ୍ରି କରିଦିଆଯାଇଛି । ସହକାରୀ ଇଞ୍ଜିନିୟର ପଦ ପାଇଁ ୫ଠ ଲକ୍ଷ ଏବଂ ଜୁନିଅର ଇଞ୍ଜିନୟର ପଦ ପାଇଁ ୩ଠ ଲକ୍ଷ ହିସାବରେ ସମସ୍ତ ସିଟ୍କୁ ବିକ୍ରି କରିଦିଆଯାଇଛି । କେବଳ ଏହି ଗୋଟିଏ ନିଯୁକ୍ତି ପ୍ରକ୍ରିୟାରୁ ରାଜ୍ୟ ସରକାରଙ୍କୁ ପ୍ରାୟ ୩ଠଠ କୋଟି ଟଙ୍କା ମିଳିଛି ବୋଲି ପ୍ରିୟଙ୍କ ଅଭିଯୋଗ କରିଛନ୍ତି ।
ଅନ୍ୟପକ୍ଷେ ପ୍ରିୟଙ୍କଙ୍କ ଏପ୍ରକାର ମନ୍ତବ୍ୟକୁ ନେଇ ବିଜେପି ଏବେ ପ୍ରତିକ୍ରିୟାଶୀଳ ହୋଇପଡିଛି । ଏହାକୁ ଏକ ରାଜନୈତିକ ପ୍ରସଙ୍ଗ ଭାବେ ରୂପାୟିତ କରିବା ପୂର୍ବକ ବିଜେପି ନେତାମାନେ କଂଗ୍ରେସକୁ ଘେରିବା ଆରମ୍ଭ କରିଦେଇଛନ୍ତି । ବିଜେପି ପ୍ରବକ୍ତା ସମ୍ବିତ ପାତ୍ର ଏପ୍ରକାର ମନ୍ତବ୍ୟ ପାଇଁ ପ୍ରିୟଙ୍କକୁ ତୀବ୍ର ଭର୍ତ୍ସନା କରିବା ସହ କଂଗ୍ରେସକୁ ମଧ୍ୟ ଏପ୍ରକାର ନୀତିହୀନ, ହାୟିତ୍ୱହୀନ ନେତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କହିଛନ୍ତି । ସମ୍ବିତ କହିଛନ୍ତି, ଦେଶର ଅନେକ ମହିଳା ନିଜ ଶିକ୍ଷା, ପରିଶ୍ରମ, ଅଧ୍ୟବସାୟ ବଳରେ ସରକାରୀ ନିଯୁକ୍ତି ପାଉଛନ୍ତି । କଂଗ୍ରେସ ନେତା ଏପ୍ରକାର ହୀନ ମନ୍ତବ୍ୟ ଦେଇ ଦେଶର ପ୍ରତ୍ୟେକ ମହିଳାଙ୍କୁ ଅପମାନିତ କରିଛନ୍ତି । କେନ୍ଦ୍ର ମହିଳା ଆୟୋଗ ଏହାକୁ ଗୁରୁତର ସହ ଗ୍ରହଣ କରିବା ସହ ମୟଙ୍କଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଉଚିତ୍ । ସେହିପରି ପ୍ରଦେଶ ବିଜେପି ପକ୍ଷରୁ ମଧ୍ୟ ପ୍ରିୟଙ୍କଙ୍କୁ ତୀବ୍ର ସମାଲୋଚନା କରାଯାଇଛି । କଂଗ୍ରେସ ସରକାର ସମୟରେ ହୋଇଥିବା ଜୟମାଲା ର୍ଦୁୂନୀତି ମାମଲାରେ କିଏ କିଏ ସମ୍ପୃକ୍ତ ସେସମ୍ପର୍କରେ ସମସ୍ତେ ଜାଣିଛନ୍ତି । ଏପ୍ରକାର ମନ୍ତବ୍ୟ ଦେବା ପୂର୍ବରୁ ପ୍ରିୟଙ୍କ ପ୍ରଥମେ ନିଜ ଘରକୁ ଥରେ ଦେଖିବା ଉଚିତ୍ । ପ୍ରକାଶ, ପ୍ରିୟଙ୍କ, କଂଗ୍ରେସର ବରିଷ୍ଠ ନେତା ମଲ୍ଲିକାର୍ଜୁନ୍ ଖର୍ଗେଙ୍କ ପୁଅ । ପ୍ରିୟଙ୍କ ସମ୍ପ୍ରତି କଂଗ୍ରେସରେ ସକ୍ରିୟ ଭୂମିକା ନିର୍ବାହ କରୁଛନ୍ତି । ତେବେ ଶନିବାର ଏଠାରେ ଏକ କାର୍ଯ୍ୟକ୍ରମରେ ସମ୍ବୋଧନ ରଖିବା ବେଳେ ସେ ଏପ୍ରକାର ବିବାଦୀୟ ତଥା ଉତ୍ତେଜନାପୂର୍ଣ୍ଣ ମନ୍ତବ୍ୟ ଦେଇଛନ୍ତି ।