ମା’ ରାମଚଣ୍ଡୀଙ୍କ କୋଶଳା ଯାତ୍ରା ଆରମ୍ଭ
ଛେଣ୍ଡିପଦା (ଆପ୍ର): ଛେଣ୍ଡିପଦା ବ୍ଲକ୍ ଅନ୍ତର୍ଗତ କୋଶଳାର ଅଧିଷ୍ଠାତ୍ରୀ ଦେବୀ ମା’ ରାମଚଣ୍ଡୀଙ୍କ ୪ ଦିନିଆ ବାର୍ଷିକ ପୂଜା ଓ ଯାତ୍ରା ଶନିବାର ଅନୁଷ୍ଠିତ ହୋଇଛି । କୋଶଳା ଗ୍ରାମ୍ୟ କମିଟି ସଭାପତି ବ୍ରଜକିଶୋର ସାହୁ, ରାମଚଣ୍ଡି ମନ୍ଦିର ଟ୍ରଷ୍ଟର ସଭାପତି ଉଦିତ ପ୍ରଧାନ, ସମ୍ପାଦକ ସିଦ୍ଧାର୍ଥ ଶଙ୍କର ସାହୁଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଯାତ୍ରା ପରିଚାଳିତ ହୋଇଥିଲା । ସକାଳୁ ୧୨ଟା ପର୍ଯ୍ୟନ୍ତ ଭକ୍ତମାନେ ମା’ଙ୍କ ଦର୍ଶନ କରିଥିଲେ । ପରେ ଦିନ ୨ଟାରେ ରୀତିନୀତି ଅନୁଯାୟୀ ଦିଆଣୀ ଢ଼ୋଲ, ନିଶାଣ, ଘଣ୍ଟ, ଘଣ୍ଟିି, ଛତି, ତରାସ, ସହ ଏକ ବିରାଟ ପଟୁଆରରେ ପୀଠକୁ ଆସିଥିଲେ । ପ୍ରଥମେ ଛାଟ ଖୁମ୍ବ ଓ ଖୁମ୍ବେଶ୍ୱରୀଙ୍କ ପୂଜାପରେ ଦିଆଣି ଦେହରେ ଠାକୁରାଣୀ ଆବିର୍ଭାବ ହୋଇଥିଲେ । ବେଢ଼ା ଭିତରେ ଅଧିଆ ପଡିଥିବା ଭକ୍ତ ମାନଙ୍କୁ ଉଠାଇ ଦିଆଣୀ ପ୍ରସାଦ ସହ ବର ପ୍ରଦାନ କରିଥିଲେ । ଏହି ଅବସରରେ ମନ୍ଦିର ବେଢ଼ା ସମେତ ଆଖପାଖ ସମ୍ପୁର୍ଣ୍ଣ ଲୋକାରଣ୍ୟ ହୋଇପଡିଥିଲ । ସ୍ୱାଧୀନତା ସଂଗ୍ରାମୀ ସ୍ୱର୍ଗତ ଲୋକନାଥ ପ୍ରଧାନଙ୍କ ପତ୍ନୀ ଗୌରୀ ପ୍ରଧାନ ସକାଳ ୮ଟାରେ ଜାତୀୟ ପତାକା ଉତ୍ତୋଳନ କରିଥିଲେ ।
ପୂଜାକୁ ସରସ ସୁନ୍ଦର ଶାନ୍ତି ଶୃଙ୍ଖଳାର ସହ କରିବା ପାଇଁ ମା’ ରାମଚଣ୍ଡୀ ଠାକୁରାଣୀ ଟ୍ରଷ୍ଟବୋର୍ଡ ପକ୍ଷରୁ ବ୍ୟାପକ କାର୍ଯ୍ୟକ୍ରମ ହାତକୁ ନିଆଯାଇଥିଲା । ସ୍ୱାସ୍ଥ୍ୟ ବିଭାଗର ଅଧିକାରୀ ମାନେ ଉପସ୍ଥିତ ରହି ସ୍ୱାସ୍ଥ୍ୟ ସେବା ଉପରେ କାର୍ଯ୍ୟ କରିଥିଲେ । ଲଘୁଚାପ ବର୍ଷା ପାଗ ହେତୁ ସକାଳ ସମୟରେ ଯାତ୍ରା ଟିକେ ଫିକା ପଡିଥିବା ଭେଳେ ମଧ୍ୟାହ୍ନ ୧୨ଟାପର ଠାରୁ ଭକ୍ତଙ୍କ ଭିଡ ଲାଗିରହିଥିଲା । ମନ୍ଦିର ଟ୍ରଷ୍ଟ ପକ୍ଷରୁ ସ୍ୱାସ୍ଥ୍ୟସେବା, ପାନୀୟଜଳ, ସୂଚନା କେନ୍ଦ୍ର, ଚୁଟି ମୁଣ୍ଡନ, ଧାରଣା ଓ ଆଲୋକ ବ୍ୟବସ୍ଥା ସହ ଶାନ୍ତି ଶୃଙ୍ଖଳା ପାଇଁ ସ୍ୱେଛାସେବି ସଂଗଠନଙ୍କୁ ନିୟୋଜିତ କରାଯାଇଛି । ଅନୁଗୋଳ ଅତିରିକ୍ତ ଅରକ୍ଷୀ ଅଧିକାରୀ ପ୍ରଶନ୍ନ କୁମାର ବିଶ୍ୱାଳ, ଏସଡିପିଓ ଭବାନୀଶଙ୍କର ଉଦ୍ଗାତା, ଛେଣ୍ଡିପଦା ଥାନା ଅଧିକାରୀ ଧୀରେନ କୁମାର ବେହେରା, ଅନୁଗୋଳ ସଦରଥାନା ସହକାରୀ ଇନିସପେକ୍ଟର ବି.ବି. ଜୟପୁରିଆଙ୍କ ସମେତ ୮ଜଣ ଏସଆଇ,୯ଜଣ ଏଏସଆଇ ସମେତ ୩ପ୍ଲାଟୁନ ପୁଲିସ ଫୋସ ଓ ହୋମଗାର୍ଡଙ୍କୁ ମୃତୟନ କରାଯାଇଛି ।