ସ୍କୁଲ୍ ଯିବାକୁ କାଠପୋଲ ଭରସା

ମୋହନା (ଆପ୍ର): ଛାତ୍ରଛାତ୍ରୀଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ କରି ସ୍ମାର୍ଟ କରାଇବା ଉଦେ୍ଦଶ୍ୟରେ ଅନେକ ଯୋଜନା ମାଧ୍ୟମରେ ସରକାର ରାଜକୋଷରୁ ବ୍ୟୟ କରୁଛନ୍ତି ଅମାପ ସମ୍ପତ୍ତି । ହେଲେ ବିଭିନ୍ନ ଅଞ୍ଚଳରେ ସୁଧୁରି ପାରୁନି ଶିକ୍ଷା ବ୍ୟବସ୍ଥା । ଆଉ ସେପଟେ ଏସି ରୁମ୍ରେ ବସି ତମାସା ଦେଖୁଛନ୍ତି ଶିକ୍ଷା ବିଭାଗର ନେତା ଓ ଅଧିକାରୀ । ଗଜପତି ଜିଲ୍ଲା ମୋହନା ବ୍ଲକ୍ କଟାମା ପଞ୍ଚାୟତ ଖଣ୍ଡବା ସରକାରୀ ପ୍ରାଥମିକ ବିଦ୍ୟାଳୟ ସମ୍ମୁଖରେ ଥିବା କାଠପୋଲରେ କୋମଳମତି ଛାତ୍ରଛାତ୍ରୀଙ୍କ ବିପଦପୂର୍ଣ୍ଣ ଯାତାୟାତକୁ ନେଇ ଶିକ୍ଷା ବିଭାଗ ସମେତ ଅନ୍ୟ ବିଭାଗର ପାରିବା ପଣିଆ ଉପରେ ପ୍ରଶ୍ନ ଉଠିଛି । ଆଉ କାଠପୋଲ ଉପରେ ଚାଲିବା ବେଳେ ତଳ ଉପର ହୋଇ ଦୋହଲୁଛି କାଠ । ଟିକିଏ ଅସାବଧାନତା ହେଲେ ପିଲାମାନେ ପଡ଼ି କ୍ଷତି ହେବାର ସମ୍ଭାବନାକୁ ଏଡ଼ାଇ ଦିଆଯାଇ ନପାରେ ।
ଏହି ଗାଁଟି ଦୁର୍ଗମ ଅଞ୍ଚଳ ହୋଇଥିବାରୁ ଅଞ୍ଚଳର ଛାତ୍ରଛାତ୍ରୀଙ୍କୁ ଶିକ୍ଷାଦାନ ଲାଗି ୨୦୧୩ରେ ଏଠାରେ ଗୋଟିଏ ସରକାରୀ ପ୍ରାଥମିକ ବିଦ୍ୟାଳୟ ସ୍ଥାପିତ ହୋଇଥିଲା । ପ୍ରଥମରୁ ୫ମ ଶ୍ରେଣୀ ପର୍ଯ୍ୟନ୍ତ ଗାଁର ୨୦ରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀ ଏଠାରେ ଶିକ୍ଷା ଗ୍ରହଣ କରୁଥିବା ବେଳେ ଶିକ୍ଷା ଦାନ ପାଇଁ ଦୁଇ ଜଣ ଶିକ୍ଷକ ମଧ୍ୟ ନିଯୁକ୍ତ ଅଛନ୍ତି । ହେଲେ ସ୍କୁଲ୍ ଯିବା ପୂର୍ବରୁ ନାଳ ଡେଇଁ ଯିବାକୁ ପଡ଼ୁଥିବାରୁ ବର୍ଷା ହେଲେ ସ୍କୁଲ୍ ଯିବା ବନ୍ଦ ହେଉଥିଲା । ଏହାକୁ ଆଖି ଆଗରେ ରଖି ଗାଁଲୋକଙ୍କ ଉଦ୍ୟମରେ ଏଠାରେ କାଠ ପୋଲ ନିର୍ମାଣ କରାଯାଇଥିଲା । ହେଲେ ଏହି ଅସୁରକ୍ଷିତ ପୋଲର ସ୍ଥାୟୀତ୍ୱ ଏବଂ ସୁରକ୍ଷା କେତେ ତାହା ଦେଖିଲେ ବେଶ୍ ବାରି ହୋଇପଡ଼େ । ଏ ସମ୍ପର୍କରେ ଗାଁଲୋକେ ପ୍ରଶାସନକୁ ଅଭିଯୋଗ କରିଥିଲେ ମଧ୍ୟ ପଦକ୍ଷେପ ଶୂନ ।
ଅନ୍ୟପଟେ ସ୍କୁଲ୍ ପରିସରରେ ଲଟା ବୁଦା ମାଡିଗଲାଣି । ନା ଅଛି ରୋଷେଇ ଘର ନା ଅଛି ଶୌଚାଳୟ ବ୍ୟବସ୍ଥା । ବର୍ଷା ଦିନେ ଛାତରୁ ଗଳୁଛି ପାଣି । ପାନୀୟଜଳ କଥା ନକହିବା ଭଲ । ଏମିତି ପାହାଡିଆ ଝରଣା ଜଳକୁ ସଞ୍ଚୟ କରି ସ୍କୁଲ ପରିସରରେ ପାଣି ଟାଙ୍କି ବ୍ୟବସ୍ଥା କରାଯାଇ ଅସ୍ୱଚ୍ଛ ପରିବେଶରେ ଷ୍ଟାଣ୍ଡ ପୋଷ୍ଟ ବସାଯାଇଛି । ଆଉ ସେଥିରୁ ନିର୍ଗତ ଅସ୍ୱଚ୍ଛ ପାଣି ବ୍ୟବହାର କରି ଗାଁରେ କେତେବେଳେ ଯେ ମହାମାରୀ ନ ବ୍ୟାପିବ ତାହା କହିବା ମୁସ୍କିଲ୍ । ସ୍ଥାନୀୟ ପ୍ରଶାସନ ତଥା ଜିଲ୍ଲାପାଳ ଏଥିପ୍ରତି ଦୃଷ୍ଟି ଦେଇ ଉଚିତ୍ ପଦକ୍ଷେପ ଗ୍ରହଣ କରିବାକୁ ଦୃଢ଼ ଦାବି ହେଉଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *