୧୬ ପ୍ରସ୍ତାବକୁ କ୍ୟାବିନେଟ୍ ମଞ୍ଜୁରି
ଭୁବନେଶ୍ୱର, ୧୨ା୮ (ବୁ୍ୟରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ରାଜ୍ୟ କ୍ୟାବିନେଟ୍ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ କୃଷି ଓ କୃଷକ ସଶକ୍ତିକରଣ, ପଞ୍ଚାୟତରାଜ ଏବଂ ପାନୀୟ ଜଳ, ଯୋଜନା ଏବଂ ସମ୍ମିଶ୍ରଣ, ରାଜସ୍ୱ ଏବଂ ବିପର୍ଯ୍ୟୟ ପରିଚାଳନା, ଇସ୍ପାତ ଏବଂ ଖଣି ଏବଂ ଜଳ ସମ୍ପଦ ବିଭାଗ ସମ୍ବନ୍ଧୀୟ ୧୬ ପ୍ରମୁଖ ପ୍ରସ୍ତାବକୁ ମଞ୍ଜୁର କରାଯାଇଛି । ଯାହାଦ୍ୱାରା ଖୁବ୍ଶୀଘ୍ର ସମ୍ପୃକ୍ତ ପ୍ରକଳ୍ପଗୁଡ଼ିକର ବିକାଶ କାର୍ଯ୍ୟ ତ୍ୱରାନ୍ୱିତ ହେବ ବୋଲି ପ୍ରକାଶ ପାଇଛି । ପଞ୍ଚାୟତରାଜ ଏବଂ ପାନୀୟ ଜଳ, ଜଙ୍ଗଲ ଏବଂ ପରିବେଶ ତଥା ସୂଚନା ତଥା ଜନସମ୍ପର୍କ ମନ୍ତ୍ରୀ ପ୍ରଦୀପ କୁମାର ଅମାତ ଏବଂ ମୁଖ୍ୟ ଶାସନ ସଚିବ ସୁରେଶଚନ୍ଦ୍ର ମହାପାତ୍ର ଗଣମାଧ୍ୟମକୁ ଉକ୍ତ ନିଷ୍ପତ୍ତି ସମ୍ପର୍କରେ ସୂଚନା ଦେଇଛନ୍ତି । ମିଲେଟ ମିଶନ ସଂପ୍ରସାରିତ ହେବ, ମିଲେଟ ମିଶନ ପାଇଁ ସ୍ୱତନ୍ତ୍ର କାର୍ଯ୍ୟକ୍ରମକୁ ବୈଠକରେ ମଞ୍ଜୁରୀ ମିଳିଛି । ଏହି ଯୋଜନା ଆହୁରି ୬ ବର୍ଷ ଲାଗି ସମ୍ପ୍ରସାରିତ କରାଯାଇଛି । ଏଥିପାଇଁ ୨୮୦୮ କୋଟି ଟଙ୍କା ଖର୍ଚ୍ଚ କରାଯିବ । ୧୯ ଜିଲ୍ଲାର ୧୪୨ ବ୍ଲକରେ ଏହା କାର୍ଯ୍ୟକାରୀ କରାଯିବ । ଆଦିବାସୀ ଅଧୁଷିତ ଅଞ୍ଚଳବାସୀ ଓ କ୍ଷୁଦ୍ର ଏବଂ ନାମକୁ ମାତ୍ର ଚାଷୀ ମିଲେଟ ମିଶନ ଦ୍ୱାରା ଉପକୃତ ହେବ । ଜିଲ୍ଲା ଯୋଜନା କମିଟି ଆଇନ ୧୯୯୮ର ସଂଶାଧନ ପ୍ରସ୍ତାବକୁ କ୍ୟାବିନେଟ ମଞ୍ଜୁର କରିଛି । ରାଜ୍ୟ ରାଜସ୍ୱ ସେବା କ୍ୟାଡର ସଂଖ୍ୟା ବୃଦ୍ଧିକୁ କ୍ୟାବିନେଟ ମୋହର ମାରିଛି । ସେହିପରି ୪ ଜିଲ୍ଲାରେ ବାତ୍ୟା ନିରୋଧୀ ଲୁଣାବନ୍ଧ ଓ ସୁନ୍ଦରଗଡ଼ ଜିଲ୍ଲାରେ କୋଏଲ ନଦୀରେ ଇନଷ୍ଟ୍ରିମ ବ୍ୟାରେଜକୁ ମଞ୍ଜୁରୀ ମିଳିଛି । ସେହିପରି କ୍ୟାବିନେଟ୍ ବୈଠକରେ ଏକାଧିକ ଗ୍ରାମ୍ୟ ପାନୀୟ ଜଳ ପ୍ରକଳ୍ପକୁ ଅନୁମୋଦନ ମିଳିଛି । କାମାକ୍ଷାନଗର, ପରଜଙ୍ଗ, କଙ୍କଡ଼ାହାଡ଼, ପଟ୍ଟାମୁଣ୍ଡାଇ, ରାଜନଗର, ଗରଦପୁର, ବାଲେଶ୍ୱର, ରେମୁଣାରେ ପାନୀୟ ଜଳ ପ୍ରକଳ୍ପକୁ ମଞ୍ଜୁରୀ ମିଳିଛି । ଓଏମ୍ସି ସହ କଳିଙ୍ଗ ଆଇରନ ୱାର୍କ୍ସ ଓ ଫେରୋକ୍ରମର ମିଶ୍ରଣକୁ ମଧ୍ୟ ବୈଠକରେ ଅନେୁମାଦନ ମିଳିଛି । ମାଇନ୍ସ ଓ ମିନେରାଲ୍ସ ଉପରେ ନଜର ରଖିବା ପାଇଁ ଆଇ୩ଏମ୍ଏସ୍କୁ ଏକ୍ସଟେଣ୍ଡ କରାଯାଇଛି । ଯାହାପାଇଁ ୩୨୬.୭୯ କୋଟି ଟଙ୍କା ମଞ୍ଜୁର ହୋଇଛି । ଏହାର ଅବଧିକୁ ୨୦୨୭ ଯାଏ ବୃଦ୍ଧି କରାଯାଇଛି । ଓଆର୍ଏସ୍ ଗ୍ରୁପ୍ ବି କ୍ୟାଡରରେ ଅତିରିକ୍ତ ପଦବୀ ସୃଷ୍ଟି କରିଯିବାକୁ ପ୍ରସ୍ତାବ ପାରିତ ହୋଇଛି । ୨୯ହଜାର ୫୦୦ ବର୍ଷା ଜଳ ସଂରକ୍ଷଣ ପ୍ରକଳ୍ପ କରିବାକୁ ଯୋଜନା ରଖାଯାଇଛି । ଏନେଇ ୨୭୦ କୋଟି ଅର୍ଥ ବ୍ୟୟ ଅଟକଳ ଧାର୍ଯ୍ୟ କରାଯାଇଥିବାବେଳେ ଆର୍ଥିକ ବର୍ଷ ୨୦୨୨-୨୩ରୁ ୨୦୨୬-୨୭ ମଧ୍ୟରେ ଏହାକୁ ସାରିବାକୁ ଲକ୍ଷ ରଖାଯାଇଛି । ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା ଓ ପୁରୀର ପ୍ରାୟ ୧୯୮ କିମି ଉପକୂଳରେ ୩୬ ବାତ୍ୟା ନିରୋଧୀ ଲୁଣାବନ୍ଧ କରାଯିବ । ଆର୍ଥିକବର୍ଷ ୨୦୨୨-୨୩ରୁ ୨୦୨୪-୨୫ ମଧ୍ୟରେ ଏହାର ନିର୍ମାଣ କାର୍ଯ୍ୟ ଶେଷ କରାଯିବା । ଏଥିପାଇଁ ୭୬୩.୪୮ କୋଟି ଟଙ୍କାର ବ୍ୟୟ ଅଟକଳ ଧାର୍ଯ୍ୟ କରାଯାଇଛି । ଏହାଦ୍ୱାରା ୨୧୬୯୦ ହେକ୍ଟର ଚାଷ ଜମି ବନ୍ୟା ବାତ୍ୟାରୁ ରକ୍ଷା ପାଇବା ସହ ୧୩୬ ଗ୍ରାମର ୨,୯୨,୫୦୦ ଲୋକେ ଏଥିରେ ଲାଭାନ୍ୱିତ ହେବେ ବୋଲି ଏହି ଅବସରରେ ପ୍ରକାଶ ପାଇଛି ।