୨ଠ୨୪ରେ ପୁଣି ମୋଦି

ମୁଡ୍ ଅଫ୍ ଦ ନେସନ୍: ଇଣ୍ଡିଆ-ଟୁ’ଡେ ଓ ସି ଭୋଟର ସର୍ଭେ ରିପୋର୍ଟ
ନୂଆଦିଲ୍ଲୀ (ଏଜେନ୍ସି): ୨ଠ୨୪ରେ ଲୋକସଭା ନିର୍ବାଚନ ଅନୁଷ୍ଠିତ ହେବ । ସାମ୍ପ୍ରତିକ ସ୍ଥିତିରେ ମୋଦିଙ୍କ ବିପକ୍ଷରେ ବିପକ୍ଷ ଦଳର କୌଣସି ନେତା ପ୍ରଧାନମନ୍ତ୍ରୀ ପଦ ପାଇଁ ଯୋଗ୍ୟ ଦାବିଦାର ନଥିବା ନେଇ କୁହାଯାଉଛି । ଅନ୍ୟପକ୍ଷେ ବିହାରରେ ଜେଡିୟୁ ସୁପ୍ରିମୋ, ନୀତିଶ କୁମାର ଏନ୍ଡିଏରୁ ବାହାରି ଆସିବା ପରେ ଭିନ୍ନ ଏକ ସମୀକରଣ ମୁଣ୍ଡ ଟେକିବାରେ ଲାଗିଛି । ନୀତିଶ ଇତି ମଧ୍ୟରେ ସବୁ ବିରୋଧୀ ଦଳଙ୍କୁ ଏକଜୁଟ୍ କରିବାର ପ୍ରୟାସ ମଧ୍ୟ ଆରମ୍ଭ କରିଦେଇଛନ୍ତି । ସୁତରାଂ ୨ଠ୨୪ ଲୋକସଭା ନିର୍ବାଚନରେ ମୋଦିଙ୍କ ବିପକ୍ଷରେ ନୀତିଶ ବିରୋଧୀ ଏକତା ପକ୍ଷରୁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ହେବାର ସମ୍ଭାବନା ଅଧିକ ରହିଛି । ଅବଶ୍ୟ ନୀତିଶ ନିଜେ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଦୌଡରେ ନଥିବା ନେଇ ସ୍ପଷ୍ଟ କରିସାରିଛନ୍ତି କିନ୍ତୁ ଏହାକୁ ରାଜନୈତିକ ପାଣିପାଗ ଉପରେ ଛାଡିଦିଆଯାଉଛି । ଏସବୁ ମଧ୍ୟରେ ଦେଶର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ କିଏ ହେବ ସେସମ୍ପର୍କରେ ଦେଶବାସୀଙ୍କ ମୁଡ୍ କିପରି ରହିଛି ସେନେଇ ଏକ ସର୍ଭେ ରିପୋର୍ଟ ସାମ୍ନାକୁ ଆସିଛି । ଇଣ୍ଡିଆ-ଟୁ’ଡେ ଏବଂ ସି-ଭୋଟର ପକ୍ଷରୁ ମିଳିତ ସହଭାଗିତାରେ କରାଯାଇଥିବା ଏହି ସର୍ଭେରେ ମୋଦିଙ୍କୁ ୨ଠ୨୪ ନିର୍ବାଚନ ପରେ ଅର୍ଥାତ୍ ପୁଣିଥରେ ପ୍ରଧାନମନ୍ତ୍ରୀ ଭାବେ ଦେଖିବାକୁ ଦେଶର ୫୩% ଜନତା ଚାହୁଁଥିବା ସ୍ପଷ୍ଟ ହୋଇଛି । ଦୀର୍ଘ ୮ବର୍ଷର ଶାସନ ପରେ ମଧ୍ୟ ମୋଦିଙ୍କ ଲୋକପ୍ରିୟତା ହ୍ରାସ ପାଇନାହିଁ । ବିପକ୍ଷ ଦଳର ଯେକୌଣସି ନେତାଙ୍କ ତୁଳନାରେ ମୋଦି ଆଜି ବି ଲୋକପ୍ରିୟ ରହିଛନ୍ତି । ଲୋକପ୍ରିୟତା କ୍ଷେତ୍ରରେ କୌଣସି ନେତା ତାଙ୍କ ପାଖାପାଖି ମଧ୍ୟ ସ୍ଥାନିତ ହୋଇପାରିନାହାନ୍ତି । ଜନମତ ସର୍ଭେ ଆଧାରରେ ପ୍ରସ୍ତୁତ ଏହି ରିପୋର୍ଟରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ପ୍ରଧାନମନ୍ତ୍ରୀତ୍ୱକୁ ଦେଶର ମାତ୍ର ୯% ଜନତା ସମର୍ଥନ କରିଥିବା ବେଳେ ଆମ୍ ଆଦ୍ମୀ ପାର୍ଟି ନେତା ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କୁ ୭% ଜନସମର୍ଥନ ମିଳିଛି । କଂଗ୍ରେସ ସରକାରରେ ଦୁଇ ଦୁଇ ଥର ପ୍ରଧାନମନ୍ତ୍ରୀ ରହିସାରିଥିବା ମନମୋହନ ସିଂହଙ୍କୁ କଂଗ୍ରେସର ନେତୃତ୍ୱ ନେବା କ୍ଷେତ୍ରରେ ୧୬% ସମର୍ଥନ ମିଳିଛି । ସେହିପରି ଯୁବ କଂଗ୍ରେସ ନେତା ସଚିନ୍ ପାଇଲଟ୍ଙ୍କୁ ୧୪% ଏବଂ ପ୍ରିୟଙ୍କା ଗାନ୍ଧୀଙ୍କୁ ମାତ୍ର ୯% ଜନତା ସମର୍ଥନ କରିଛନ୍ତି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *