୨ ଭାଇ ପିନ୍ଧିଲେ ପାଟ ରାକ୍ଷୀ
ଶ୍ରୀମନ୍ଦିରରେ ଗହ୍ମାପୂର୍ଣ୍ଣିମା ଓ ବଳଭଦ୍ର ଜନ୍ମନୀତି
ପୁରୀ (ବୁ୍ୟରୋ): ଗହ୍ମା ପୂର୍ଣ୍ଣିମା ତିଥିରେ ଶ୍ରୀମନ୍ଦିରରେ ବଳଭଦ୍ର ଜନ୍ମନୀତି ଓ ରାକ୍ଷୀ ଲାଗି ନୀତି ସମ୍ପନ୍ନ ହୋଇଛି । ଜଗନ୍ନାଥ ଓ ବଡ଼ଠାକୁରଙ୍କ ଶ୍ରୀଭୂଜରେ ପାଟ ରାକ୍ଷୀ ଏବଂ ଗୁଆମାଳ ପିନ୍ଧି ଭକ୍ତଙ୍କୁ ଦର୍ଶନ ଦେଇଥିଲେ । ଏହି ବିଶେଷ ନୀତି ପାଇଁ ଶୁକ୍ରବାର ଶ୍ରୀମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗି ରହିଥିଲା । ଆଜି ଭୋଗମଣ୍ଡପ ନୀତି ସମ୍ପନ୍ନ ହେବା ପରେ ତିନିବାଡ଼ରେ ମଇଲମ ହୋଇ ମହାଶୁଦ୍ଧ ହୋଇଥିଲା । ଠାକୁର ସର୍ବାଙ୍ଗ ହୋଇ ବୋଇରାଣୀ କଟନୀ ନୂଆ ଲୁଗା ଲାଗି ହୋଇଥିଲେ । ଦ୍ୱିପ୍ରହର ଧୂପ ବେଶରେ ମହାପ୍ରଭୁ ଦକ୍ଷିଣ ଭୂଜରେ ଗୋଟିଏ ଓ ଉତ୍ତର ଭୂଜରେ ଦୁଇଟି ଆଜ୍ଞାମାଳ ଲାଗି ହୋଇଥିଲା । ପରେ ପାଟରା ବିଶୋୟୀ ସେବକଙ୍କ ଦ୍ୱାରା ବାସୁଙ୍ଗା ପାଟରେ ପ୍ରସ୍ତୁତ ହୋଇଥିବା ୪ଟିି ରାକ୍ଷୀ ଏବଂ ୪ଟି ଗୁଆମାଳକୁ ଜଗନ୍ନାଥ ଓ ବଡ଼ଠାକୁରଙ୍କ ଶ୍ରୀଭୂଜରେ ପୁଷ୍ପାଳକ ସେବକ ଲାଗି କରାଇଥିଲେ । ମହାଜନ ସେବକମାନେ ମଦନ ମୋହନଙ୍କୁ ଦକ୍ଷିଣ ଘରୁ ରତ୍ନସିଂହ୍ନାସନ ବିଜେ କରାଇଥିଲେ । ମଦନମୋହନ, ଶ୍ରୀଦେବୀ ଓ ଭୂଦେବୀ ଆଜ୍ଞାମାଳ ପାଇବା ପରେ ଝୁଲଣ ମଣ୍ଡପକୁ ବିଜେ ହୋଇଥିଲେ । ଚକ୍ରରାଜ ସୁଦର୍ଶନ ମହାପ୍ରଭୁଙ୍କଠାରୁ ଆଜ୍ଞାମାଳ ପାଇବା ପରେ ଦଇତାପତିମାନେ ସୁଦର୍ଶନଙ୍କୁ ଜଗମୋହନସ୍ଥିତ ଚଉଦଳକୁ ବିଜେ କରାଇଥିଲେ । ସୁଦର୍ଶନଙ୍କୁ ପାଟପତନୀ ଓ ଚୂଳ ଲାଗି ହୋଇଥିଲା । ବିମାନ ବଡ଼ୁମାନେ ଚଉଦଳରେ ସୁଦର୍ଶନଙ୍କୁ ନେଇ ଝୁଲଣ ମଣ୍ଡପକୁ ନେଇଥିଲେ । ସେଠାରେ ସୁଦର୍ଶନଙ୍କୁ ସୁବର୍ଣ୍ଣ ଓଡ଼ିଆଣି ଓ ସୁନା ହରଡ଼ମାଳି ଲାଗି କରାଯାଇଥିଲା ।
ଅପରାହ୍ଣରେ ସୁଦର୍ଶନଙ୍କୁ ମାର୍କଣ୍ଡ ପୁଷ୍କରିଣୀକୁ ବିମାନବଡ଼ୁ ସେବକମାନେ ନେଇ ସେଠାରେ ବିଜେ କରାଇଥିଲେ । କୁମ୍ଭାର ବିଶୋୟୀ ଦେଇଥିବା ଚିକିଟା ମାଟିରେ ଶୁଦ୍ଧସୁଆର ସେବାୟତ ବଳଭଦ୍ରଙ୍କ ମୂର୍ତ୍ତି ନିର୍ମାଣ କରିଥିଲେ । ପରେ ପୂଜାପଣ୍ଡା ତାହାକୁ ଜୀବନ୍ୟାସ ଦେଇ ଜାତକର୍ମ କରିଥିଲେ । ମୁଦିରସ୍ତ ପ୍ରସାଦ ଲାଗି କରିବା ପରେ ପୂଜାପଣ୍ଡା ପଞ୍ଚୋପଚାରରେ ପୂଜା କରି ଶୀତଳ ମଣୋହି କରିଥିଲେ । ବନ୍ଦାପନା ହୋଇ ବଳଭଦ୍ର ପିତୁଳାକୁ ଜଳରେ ବିଶୋଧନ କରାଯାଇଥିଲା । ପରେ ସୁଦର୍ଶନ ଚାରି ଆଶ୍ରମ ପରିକ୍ରମା କରି ସିଂହଦ୍ୱାରରେ ପହଞ୍ଚôଥିଲେ । ସେଠାରେ ବନ୍ଦାପନା କରିବା ପରେ ଶ୍ରୀମନ୍ଦିରକୁ ପ୍ରବେଶ କରିଥିଲେ । ପରେ ମହାପ୍ରଭୁଙ୍କର ମହାସ୍ନାନ ହୋଇ ଅନ୍ୟାନ୍ୟ ନୀତି ବଢ଼ିଥିଲା ।