‘ସରକାର ଓ ପ୍ରଶାସନ ଚାହିଁଲେ ଖୋଲାଯିବ ରତ୍ନଭଣ୍ଡାର’

ରତ୍ନଭଣ୍ଡାର ଖୋଲିବା ଘଟଣା
ପୁରୀ (ବୁ୍ୟରୋ): ବହୁଚର୍ଚ୍ଚିତ ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାର ଖୋଲିବା ଲାଗି ଏଏସ୍ଆଇ ପକ୍ଷରୁ ଶ୍ରୀମନ୍ଦିର ପ୍ରଶାସନକୁ ଚିଠି ଲେଖିବା ପରେ ରତ୍ନଭଣ୍ଡାର ଖୋଲିବା ନେଇ ଚର୍ଚ୍ଚା ଜୋର୍ ଆରମ୍ଭ ହୋଇଛି । ଭିତର ରତ୍ନଭଣ୍ଡାରରେ ପାଣି ଗଳିବା ସହ ଅସୁରକ୍ଷିତ ରହିଥିବା ଏଏସ୍ଆଇ ପ୍ରଶ୍ନ କରିଛି । ତେଣୁ ଏହାର ମରାମତି ନିତ୍ୟାନ୍ତ ଆବଶ୍ୟକ । ଶ୍ରୀମନ୍ଦିର ପ୍ରଶାସନ ଅନୁମତି ଦେଲେ ରତ୍ନଭଣ୍ଡାର ମରାମତି କାମ ହେବ ବୋଲି ଏଏସ୍ଆଇ ଚିଠିରେ ଉଲ୍ଲେଖ କରିଛି । ଫଳରେ ଶୁକ୍ରବାର ଏଏସ୍ଆଇର ଚିଠି ପ୍ରଶାସନର ହସ୍ତକ୍ଷେପ ହେବା ପରେ ରତ୍ନଭଣ୍ଡାର ତୁରନ୍ତ ଖୋଲିବାକୁ ବିଭିନ୍ନ ମହଲରେ ଦାବି ହୋଇଛି । ଏନେଇ ରତ୍ନଭଣ୍ଡାରର ମେକାପ ନାରାୟଣ ମେକାପ ଆଜି ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, ଭିତର ରତ୍ନଭଣ୍ଡାର ଖୋଲିବାର ଆବଶ୍ୟକତା ରହିଛି । ୩ଟି ବିମ୍ରେ ଫାଟ ସହ ପାଣି ଗଳୁଛି । ତାହା ମଧ୍ୟରେ ମହାପ୍ରଭୁଙ୍କ ରଘୁନାଥ ବେଶ ଲାଗି ଦୁର୍ଲ୍ଲଭ ସୁନା ଅଳାଙ୍କାର ରହିଛି, ଯାହାକି କ୍ଷତିଗ୍ରସ୍ତ ହେବା ସୁନିଶ୍ଚିତ । ତେଣୁ ରାଜ୍ୟ ସରକାର ଓ ଶ୍ରୀମନ୍ଦିର ପ୍ରଶାସନ ଚାହିଁଲେ ଭିତର ରତ୍ନଭଣ୍ଡାର ଖୋଲାଯାଇ ମରାମତି ହୋଇପାରନ୍ତି । ଏହା ଖୋଲିବାରେ କୌଣସି ଅସୁବିଧା ନାହିଁ ବୋଲି ଭଣ୍ଡାର ମେକାପ ସ୍ପଷ୍ଟ କରିଛନ୍ତି ।
ଏ ସମ୍ପର୍କରେ ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ଅଜୟ କୁମାର ଜେନା କୁହନ୍ତି, ଆଜି ଆମେ ଚିଠି ପାଇଛୁ । ରତ୍ନଭଣ୍ଡାର ଖୋଲିବା ନେଇ ଶ୍ରୀମନ୍ଦିର ପରିଚାଳନା ବୈଠକରେ ଆଲୋଚନା କରାଯିବ । ତାହାର ନିଷ୍ପତ୍ତିକୁ ଆଇନ ବିଭାଗ ଓ ରାଜ୍ୟ ସରକାରଙ୍କୁ ଅବଗତ କରାଯିବ । ପରେ ରାଜ୍ୟ ସରକାର ନିଷ୍ପତ୍ତି ନେବେ ସେହିଭଳି କାର୍ଯ୍ୟ କରାଯିବ ବୋଲି ଶ୍ରୀ ଜେନା ସ୍ପଷ୍ଟ କରିଛନ୍ତି । ସୂଚନାଥାଉକି ଗତ ୨୦୧୮ ମସିହା ମାର୍ଚ୍ଚ ୨୨ରେ ହାଇକୋର୍ଟଙ୍କ ନିଦେ୍ର୍ଦଶ ମୁତାବକ ଏପ୍ରିଲ୍ ୪ରେ ଭିତର ରତ୍ନଭଣ୍ଡାର ଖୋଲିବାକୁ ପ୍ରଶାସନ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଥିଲା । ଏଥିରେ ୧୭ ଜଣିଆ କମିଟି ସାମିଲ୍ ହୋଇ ବାହାର ରତ୍ନଭଣ୍ଡାର ଚାବି ଖୋଲି ଭିତର ଚାବି ନାହିଁ ବୋଲି ତତ୍କାଳୀନ ଜିଲ୍ଲାପାଳ ଘୋଷଣା କରିଥିଲେ । ଏପରିକି ଚାବି ହଜିଯାଇଛି ବୋଲି କମିଟିକୁ ଅବଗତ କରାଇଥିଲେ । ପରେ କମିଟି ଭିତର ରତ୍ନଭଣ୍ଡାର ନ ଖୋଲିପାରି ନିରାଶରେ ଫେରିଥିଲେ । ଏବେ ପୁଣି ୪ ବର୍ଷ ପରେ ଭିତର ରତ୍ନଭଣ୍ଡାର ଖୋଲିବା ଲାଗି ଚର୍ଚ୍ଚା ଆରମ୍ଭ ହୋଇଛି । ବାସ୍ତବରେ ଭିତର ରତ୍ନଭଣ୍ଡାର ଚାବି ଖୋଲୁଛି କି ନାହିଁ ତାହା ଉପରେ ଅଗଣିତ ଶ୍ରଦ୍ଧାଳୁଙ୍କ ନଜର ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *