ଶବ ଜଗିରହିଲେ ମା’-ପୁଅ
ଢେଙ୍କାନାଳ, ୧୧ା୮ (ଆପ୍ର): କାମାକ୍ଷାନଗର ଉପଖଣ୍ଡ ଚିକିତ୍ସାଳୟରେ ଏକ ଅମାନବିକ ଘଟଣା ଦେଖିବାକୁ ମିଳିଛି । ସର୍ପାଘାତରେ ପ୍ରାଣ ହରାଇଥିବା ଜଣେ ଯୁବକଙ୍କ ଶବ ବ୍ୟବଛେଦ ନ ହୋଇ ପୂର୍ବାହ୍ନରୁ ହସ୍ପିଟାଲରେ ପଡ଼ିରହିଛି । ସବୁଠାରୁ ଦୁଃଖର ବିଷୟ ଯେ ମୃତକଙ୍କ ପତ୍ନୀ ଓ ୪ ବର୍ଷର ଶିଶୁପୁତ୍ର ବେଡ୍ ଉପରେ ବସି ଶବକୁ ଜଗି ରହିଛନ୍ତି । ରାତି ପର୍ଯ୍ୟନ୍ତ ପୁଲିସ କି ହସ୍ପିଟାଲ କର୍ତ୍ତୃପକ୍ଷ ଶବକୁ ସ୍ଥାନାନ୍ତର କରି ନ ଥିବା ଦେଖିବାକୁ ମିଳିିଛି । ପରଜଙ୍ଗ ଥାନା ଅଞ୍ଚଳର ଘଟଣା ବୋଲି କହି କାମାକ୍ଷାନଗର ପୁଲିସ ଶବ ବ୍ୟବଚ୍ଛେଦ ନିମିତ୍ତ ମୁଣ୍ଡ ଖେଳାଇ ନାହିଁ । ରାତି ହୋଇଯିବାରୁ ବ୍ୟବଚ୍ଛେଦ କରାଯାଇପାରିବ ନାହିଁ ଏବଂ ଶୁକ୍ରବାର ପରଜଙ୍ଗ ପୁଲିସ ଆସିଲେ ବ୍ୟବଚ୍ଛେଦ କରାଯିବ । ଅନ୍ୟପକ୍ଷରେ ମେଡିକାଲରେ ଶବାଗାର ନ ଥିôବାରୁ ମହିଳା ଓ ତାଙ୍କ ପୁଅ ରାତିସାରା ଶବ ନିକଟରେ ରହିବେ । ମୃତକଙ୍କ ପରିବାର ମଧ୍ୟ ଭୋକ ଉପାସରେ ରହିବେ ଯାହାକୁ ନେଇ ସାଧାରଣରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି ।
ପରଜଙ୍ଗ ଥାନା ଝିଲ୍ଲୀ ପଞ୍ଚାୟତ ତୋରଡାନାଳୀ ଗ୍ରାମର ଶ୍ରୀକୃଷ୍ଣ ବେହେରା (୩୦) ସର୍ପାଘାତରେ ଅସୁସ୍ଥ ହୋଇପଡ଼ିବାରୁ ଆତ୍ମୀୟସ୍ୱଜନ ତାଙ୍କୁ ଚିକିତ୍ସା ପାଇଁ ନିକଟସ୍ଥ କାମାକ୍ଷାନଗର ହସ୍ପିଟାଲରେ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ବିଡମ୍ବନାର ବିଷୟ ଯେ ପୂର୍ବାହ୍ନ ୧୦ଟାରେ ଡାକ୍ତର ମୃତ ଘୋଷଣା କରିବା ସହିତ ବ୍ୟବଚ୍ଛେଦ କରିବାକୁ ଲେଖିଥିଲେ । କାମାକ୍ଷାନଗର ପୁଲିସକୁ ଘଟଣା ସଂପର୍କରେ ଅବଗତ କରାଯାଇଥିଲା । କିନ୍ତୁ ଶ୍ରୀକୃଷ୍ଣ ପରଜଙ୍ଗ ଥାନା ଅଞ୍ଚଳର ହୋଇଥିବାରୁ ପରଜଙ୍ଗ ପୁଲିସ ଆସିଲେ ବ୍ୟବଚ୍ଛେଦ ହେବ ବୋଲି କହି କାମାକ୍ଷାନଗର ପୁଲିସ ଦାୟିତ୍ୱ ଖସାଇ ଦେଇଛନ୍ତି ।
ଫଳସ୍ୱରୂପ ମେଡିକାଲ ବେଡ୍ରେ ଶବ ୨୪ ଘଣ୍ଟା ପଡ଼ି ରହିବ ଓ ଗଳିତ ଅବସ୍ଥାରେ ବ୍ୟବଚ୍ଛେଦ କରାଯିବ । ସେହିପରି ଶିଶୁ ପୁତ୍ର, ପତ୍ନୀ ଓ ପରିବାର ଲୋକେ ଶବକୁ ଜଗି ରହିବେ । ଏଭଳି ଦାୟିତ୍ୱହୀନତାକୁ ସାଧାରଣରେ ନିନ୍ଦା କରାଯାଇଛି ।