ଏସିଆ କପ୍ରେ ବିରାଟଙ୍କ ପାଇଁ ପ୍ରତ୍ୟାବର୍ତ୍ତନ ସୁଯୋଗ

ମୁମ୍ବାଇ, ୧୧ା୮ (ଏଜେନ୍ସି): ବିଶ୍ୱ କ୍ରିକେଟ୍ରେ ଏବେ ଟିମ୍ ଇଣ୍ଡିଆର ପୂର୍ବତନ ଅଧିନାୟକ ବିରାଟ କୋହଲିଙ୍କ ଫର୍ମକୁ ନେଇ ଚର୍ଚ୍ଚା ହେଉଛି । ୨୦୧୯ ନଭେମ୍ବର ୨୩ ପରେ ଏହି ଖେଳାଳି ଗୋଟିଏ ବି ଶତକ ଲଗାଇ ପାରି ନାହାନ୍ତି । ଚଳିତ ବର୍ଷ ସେ ଖେଳିଥିବା ଚାରି ଟି-୨୦ ମ୍ୟାଚ୍ରେ ୨୦.୫୨ର ସାଧାରଣ ଆଭରେଜ୍ରେ ମାତ୍ର ୮୧ ରନ୍ ସଂଗ୍ରହ କରିଛନ୍ତି । ନିକଟରେ ଇଂଲଣ୍ଡ ବିପକ୍ଷରେ ଖେଳାଯାଇଥିବା ଶୃଙ୍ଖଳା ପରେ ବିରାଟ ବିଶ୍ରାମ ନେଇଥିଲେ ଏବଂ ୱେଷ୍ଟଇଣ୍ଡିଜ୍ ବିପକ୍ଷ ଦିନିକିଆ ଓ ଟି-୨୦ ଶୃଙ୍ଖଳାରେ ଟିମ୍ର ଅଂଶବିଶେଷ ନ ଥିଲେ ।
ଅଗଷ୍ଟ ୨୭ରୁ ଆରମ୍ଭ ହେବାକୁ ଥିବା ଏସିଆ କପ୍ ପାଇଁ ତାଙ୍କୁ ଟିମ୍ରେ ସାମିଲ୍ କରାଯାଇଛି । ଏପରିସ୍ଥଳେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି ଯେ ଏହି ମେଗା ଟୁର୍ଣ୍ଣାମେଣ୍ଟରେ ବିରାଟ ତାଙ୍କ ପୁରୁଣା ଫର୍ମ ଫେରିପାଇବେ କି? ମଇଦାନରେ ପୁଣି ଥରେ ତାଙ୍କ ବ୍ୟାଟ୍ ଗର୍ଜନ କରିବ କି?
ଏସିଆ କପ୍ରେ ବିରାଟ ଯେବେ ଯେବେ ଖେଳିଛନ୍ତି, ତାଙ୍କ ବ୍ୟାଟ୍ ଖୁବ୍ ଗର୍ଜିଛି । ଭାରତ ପ୍ରଥମ ମ୍ୟାଚ୍ରେ ୨୮ରେ ପାକିସ୍ତାନ ବିପକ୍ଷରେ ଖେଳିବ । ପଡ଼ୋଶୀ ଦେଶ ବିପକ୍ଷରେ ବି କୋହଲି ବହୁତ ରନ୍ କରିଛନ୍ତି । ୨୦୧୨ରୁ ୨୦୨୧ ଯାଏଁ ବିରାଟ ପାକିସ୍ତାନ ବିପକ୍ଷରେ ୭ ଟି-୨୦ ମ୍ୟାଚ୍ ଖେଳି ୭୭.୭୫ ଆଭରେଜ୍ରେ ୩୧୧ ରନ୍ ସଂଗ୍ରହ କରିଛନ୍ତି । ଏହି ସମୟରେ ସେ ତିନି ଅର୍ଦ୍ଧଶତକ ଲଗାଇଥିବା ବେଳେ ତାଙ୍କର ସର୍ବୋଚ୍ଚ ସ୍କୋର୍ ଥିଲା ଅପରାଜିତ ୭୮ ରନ୍ । ୨୦୨୧ ଟି-୨୦ ବିଶ୍ୱକପ୍ରେ ମଧ୍ୟ ଯେତେବେଳେ ପାକିସ୍ତାନ ବିପକ୍ଷରେ ଭାରତର ଶୀର୍ଷକ୍ରମ ବିଫଳ ହୋଇଥିଲା, ସେତେବେଳେ ବିରାଟ ୫୭ ରନ୍ର ଇନିଂସ୍ ଖେଳି ଟିମ୍ର ସ୍କୋର୍କୁ ୧୫୧ ରନ୍ ଯାଏଁ ପହଞ୍ଚାଇଥିଲେ । ଅବଶ୍ୟ ଭାରତ ସେହି ମ୍ୟାଚ୍ ହାରିଯାଇଥିଲା ।
ଦିନିକିଆରେ ବିରାଟଙ୍କ ସର୍ବଶ୍ରେଷ୍ଠ ଇନିଂସ୍ ୧୮୩ ରନ୍ । ସେ ଏସିଆ କପ୍ରେ ପାକିସ୍ତାନ ବିପକ୍ଷରେହିଁ ଏହି ଇନିଂସ୍ ଖେଳିଥିଲେ । ୨୦୧୧ରେ ଏହି ମେଗା ଟୁର୍ଣ୍ଣାମେଣ୍ଟର ପଞ୍ଚମ ମ୍ୟାଚ୍ରେ ପ୍ରଥମେ ବ୍ୟାଟିଂ କରି ପାକିସ୍ତାନୀ ଟିମ୍ ୬ ୱିକେଟ୍ ହରାଇ ୩୨୯ ରନ୍ ସଂଗ୍ରହ କରିଥିଲା । ଏହି ବଡ଼ ଟାର୍ଗେଟ୍କୁ ବିରାଟ ନିଜ ଇନିଂସ୍ ବଳରେ ଛୋଟ କରିଦେଇଥିଲେ ।
ଟିମ୍ ଇଣ୍ଡିଆ ପାଇଁ ବିରାଟ ୧୪୮ ବଲ୍ରୁ ୧୮୩ ରନ୍ର ଦମ୍ଦାର ଇନିଂସ୍ ଖେଳିଥିଲେ । ଏହି ଇନିଂସ୍ରେ ସେ ୨୨ ଚୌକା ଓ ୧ ଛକା ମାରିଥିଲେ । ଭାରତ ଏହି ମ୍ୟାଚ୍ ୬ ୱିକେଟ୍ରେ ଜିତିଥିଲା ।
ଟିମ୍ ଇଣ୍ଡିଆର ପୂର୍ବତନ ଅଧିନାୟକ ଏସିଆ କପ୍ର ଟି-୨୦ ଫର୍ମାଟ୍ରେ ଏ ଯାବତ ଚାରି ଇନିଂସ୍ରେ ୭୬.୫୦ ଆଭରେଜ୍ରେ ୧୫୩ ରନ୍ କରିଛନ୍ତି । ଏଥିରେ ତାଙ୍କର ସର୍ବୋଚ୍ଚ ସ୍କୋର୍ ଅପରାଜିତ ୫୬ ରନ୍ । ଏହାର ଦିନିକିଆ ଫର୍ମାଟ୍ରେ ବି କୋହଲିଙ୍କ କମାଲ୍ ଦେଖିବାକୁ ମିଳିଛି । ସେ ୧୦ ଇନିଂସ୍ ଖେଳି ୬୧୩ ରନ୍ ସଂଗ୍ରହ କରିଛନ୍ତି, ଯେଉଁଥିରେ ତାଙ୍କ ଆଭରେଜ୍ ଥିଲା ୬୧.୩୦ । ବିରାଟଙ୍କ ଚମକ୍ପ୍ରଦ ରେକର୍ଡକୁ ଦେଖି ଆଶା କରାଯାଉଛି ଯେ ସେ ଏସିଆ କପ୍ରେ ତାଙ୍କ ପୁରୁଣା ରୂପକୁ ପ୍ରତ୍ୟାବର୍ତ୍ତନ କରିବେ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *