ନବୀନ ଓ ଜଗନଙ୍କ ଉପରେ ଭରସା
ଏନ୍ଡିଏ-ଜେଡିୟୁ ବ୍ରେକ୍ଅପ୍ ପରେ…
ନୂଆଦିଲ୍ଲୀ, ୧୧ା୮: ଜନତା ଦଳ (ୟୁନାଇଟେଡ୍) (ଜେଡିୟୁ) ଶହ ମେଣ୍ଟ ଭାଙ୍ଗିବା ପରେ ରାଷ୍ଟ୍ରୀୟ ଗଣତାନ୍ତ୍ରିକ ମେଣ୍ଟ (ଏନ୍ଡିଏ) ବଡ ଅସୁବିଧାରେ ପଡିଛି । ଏଣିକି ରାଜ୍ୟସଭାରେ ଆଞ୍ଚଳିକ ଦଳମାନଙ୍କ ଉପରେ ଏନ୍ଡିଏର ନିର୍ଭରତା ବଢିବ । ଯଦିଓ ଲୋକସଭାରେ ବିଜେପିର ସ୍ଥିତି ମଜଭୁତ୍ ରହିଛି ଏବଂ ପୂର୍ଣ୍ଣ ସଂଖ୍ୟାଗରିଷ୍ଠତା କାରଣରୁ ଲୋକସଭାରେ ବିଲ୍ ପାସ୍ କରାଇବାରେ ଅସୁବିଧା ନାହିଁ, ରାଜ୍ୟସଭାରେ ବିଲ୍ ପ୍ରତି ସମର୍ଥନ ପାଇଁ ଏନ୍ଡିଏକୁ ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱାଧୀନ ବିଜେଡି, ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀଙ୍କ ୱାଇଏସ୍ଆର୍ କଂଗ୍ରେସ ଆଦି ଆଞ୍ଚଳିକ ଦଳମାନଙ୍କ ଉପରେ ଅଧିକ ନିର୍ଭର କରିବାକୁ ପଡିବ ।
ଜେଡିୟୁର ରାଜ୍ୟସଭାରେ ୫ ଓ ଲୋକସଭାରେ ୧୬ ସଦସ୍ୟ ଅଛନ୍ତି । ୨୪୫ ସଦସ୍ୟ ବିଶିଷ୍ଟ ରାଜ୍ୟସଭାରେ ବିଜେପିର ସାଂସଦ ସଂଖ୍ୟା ମାତ୍ର ୯୧ । ୨ଜଣ ସ୍ୱାଧୀନ ଏବଂ ୪ଜଣ ଏଆଇଏଡିଏମ୍କେ ସଦସ୍ୟ ସମେତ ମୋଟ ୧୧୦ ସାଂସଦଙ୍କ ସମର୍ଥନ ବିଜେପିକୁ ମିଳୁଛି । କିନ୍ତୁ କୌଣସି ବିଲ୍ ପାସ୍ କରାଇବା ପାଇଁ ଅତି କମ୍ରେ ୧୨୩ ସାଂସଦଙ୍କ ଭୋଟ୍ ଆବଶ୍ୟକ । ଏଥିଲାଗି ବିଜେପିକୁ ଆଉ ୩ ସ୍ୱାଧୀନ ସାଂସଦ ଏବଂ ବିଜେଡି ବା ୱାଇଏସ୍ଆର୍ କଂଗ୍ରେସର ସାଂସଦମାନଙ୍କ ସମର୍ଥନ ଆବଶ୍ୟକ ହେବ ।
ରାଜ୍ୟସଭାରେ ବିଜେଡି ଓ ୱାଇଏସ୍ଆର୍ କଂଗ୍ରେସ ପାର୍ଟିର ୯ଜଣ ଲେଖାଏଁ ସାଂସଦ ଅଛନ୍ତି । ନିକଟରେ ଏହି ଦୁଇ ଦଳ ପ୍ରମୁଖ ବିଧେୟକ (ବିଲ୍) ପାସ୍ କରାଇବାରେ କ୍ଷମତାସୀନ ଏନ୍ଡିଏକୁ ସମର୍ଥନ ଦେଇଛନ୍ତି । ଏନ୍ଡିଏର ସହଯୋଗୀ ଆଞ୍ଚଳିକ ଦଳମାନଙ୍କ ୮ଜଣ ସାଂସଦମାନେ ହେଲେ- ଆର୍ପିଆଇ-ଏ’ର ରାମଦାସ ଅଠାବୋଲେ, ସିକ୍କିମ୍ ଡେମୋକ୍ରାଟିକ୍ ଫ୍ରଣ୍ଟର ହିଶେ ଲାଞ୍ଚୁଗପା, ଆସାମ ଗଣ ପରିଷଦ (ଏଜିପି)ର ବୀରେନ୍ଦ୍ର ପ୍ରସାଦ ବୈଶ, ପଟ୍ଟାଲୀ ମକ୍କଲ କାଚୀ (ପିଏମ୍କେ)ର ଅମ୍ବୁମଣି ରାମଦାସ ଓ ତାମିଲ ମନିଲା କଂଗ୍ରେସ (ମୁପନାର)ର କେଜିକେ ୱାସନ୍ ।
ଏମାନଙ୍କ ବାଦ୍ ନ୍ୟାସନାଲ୍ ପିପୁଲ୍ସ ପାର୍ଟିର ବି. ଖାରଲୁଖି, ମିଜୋ ନ୍ୟାସନାଲ୍ ଫ୍ରଣ୍ଟ୍ର କେ.କେ.ବନଲାଲବେନା ଏବଂ ୟୁନାଇଟେଡ୍ ପିପୁଲ୍ସ ପାର୍ଟି (ଲିବରାଲ୍)ର ଆର୍ ନାରଜାରି ମଧ୍ୟ ବିଜେପିକୁ ରାଜ୍ୟସଭାରେ ସମର୍ଥନ କରିଆସୁଛନ୍ତି । ଆସାମର ସାଂସଦ ଅଜିତ୍ କୁମାର ଭୂୟାଁ ଓ ହରିଆଣାର କାର୍ତ୍ତିକେୟ ଶର୍ମା (ଉଭୟେ ସ୍ୱାଧୀନ ସାଂସଦ) କ୍ଷମତାସୀନ ଏନ୍ଡିଏ ସହିତ ଅଛନ୍ତି ।
ରାଜ୍ୟସଭାରେ ଜେଡିୟୁର ଥିବା ୫ ସାଂସଦଙ୍କ ମଧ୍ୟରେ ଉପାଧ୍ୟକ୍ଷ ହରିବଂଶ ସାମିଲ ।
ଏବେ ମେଣ୍ଟ ଭାଙ୍ଗିଯିବା ପରେ ହରିବଂଶଙ୍କ ଉପାଧ୍ୟକ୍ଷ ପଦ ଲଟକି ରହିଛି । ତାଙ୍କୁ ଏହି ପଦରୁ ଇସ୍ତଫା ଦେବାକୁ ପଡିପାରେ । ଅବଶ୍ୟ ସେ ପୂର୍ବତନ ଲୋକସଭା ଅଧ୍ୟକ୍ଷ ସୋମନାଥ ଚାଟାର୍ଜୀଙ୍କ ପନ୍ଥାରେ ଯାଇ ଉପାଧ୍ୟକ୍ଷ ପଦରେ ରହିପାରନ୍ତି । ଯଦି ହରିବଂଶ ଏଭଳି ନିଷ୍ପତ୍ତି ନିଅନ୍ତି ତାଙ୍କୁ ପରିଣାମ ଭୋଗିବାକୁ ପଡିପାରେ । ୨୦୦୮ରେ ବାମଦଳମାନେ ମନମୋହନ ସିଂ ସରକାରଙ୍କଠାରୁ ସମର୍ଥନ ପ୍ରତ୍ୟାହାର କରିନେଇଥିଲେ । ସିପିଆଇଏମ୍ ଚାହୁଁଥିଲା ସୋମନାଥ ଚାଟାର୍ଜୀ ଲୋକସଭାର ଅଧ୍ୟକ୍ଷ ପଦରୁ ଇସ୍ତଫା ଦିଅନ୍ତୁ । ଚାଟାର୍ଜୀ କିନ୍ତୁ ରାଜି ହେଲେ ନାହିଁ । ସେ ଯୁକ୍ତି ବାଢିଲେ ଯେ ବାଚସ୍ପତି କୌଣସି ଦଳର ନୁହନ୍ତି । ଏହାପରେ ସିପିଆଇଏମ୍ ତାଙ୍କୁ ଦଳରୁ ବହିଷ୍କାର କରିଦେଲା ।