ବେଆଇନ ଗୋ-ଚାଲାଣ ମାମଲାରେ ଅନୁବ୍ରତ ଗିରଫ

ବ୍ୟାକ୍ଫୁଟ୍ରେ ଟିଏମ୍ସି: ସିବିଆଇ ଜାଲରେ ମମତାଙ୍କ ଆଉ ଜଣେ ଷ୍ଟ୍ରଙ୍ଗମ୍ୟାନ୍
କୋଲକାତା (ଏଜେନ୍ସି): ବେଆଇନ୍ ଗୋ’ ଚୋରାଚାଲାଣ ଅଭିଯୋଗରେ ତୃଣମୂଳ କଂଗ୍ରେସ (ଟିଏମ୍ସି) ନେତା ଅନୁବ୍ରତ ମଣ୍ଡଳଙ୍କୁ ସିବିଆଇ ଗିରଫ କରିଛି । ଗୁରୁବାର ଦିନ ତାଙ୍କୁ ତାଙ୍କରି ବାସଭବନରୁ ସିବିଆଇ ଉଠାଇନେଇଥିବା ନେଇ ସୂଚନା ମିଳିଛି । ସିବିଆଇ ଦର୍ଶାଇଛି ଯେ, ଅନୁବ୍ରତଙ୍କ ବିରୋଧରେ ହୋଇଥିବା ଅଭିଯୋଗ ସଂକ୍ରାନ୍ତରେ ଯେତେବେଳେ ତାଙ୍କୁ ଜେରା କରାଯାଇଥିଲା ସେତେବେଳେ ସେ ସହଯୋଗ କରିନଥିଲେ, କୌଣସି ପ୍ରଶ୍ନର ସଠିକ୍ ଉତ୍ତର ଦେଇନଥିଲେ । ତେଣୁ ତାଙ୍କୁ ଜେରା କରିବା ପାଇଁ ତଥା ତାଙ୍କ ଠାରୁ ଅଧିକ ସୂଚନା ହାସଲ ଉଦେ୍ଦଶ୍ୟରେ ତାଙ୍କୁ ଗିରଫ କରାଯାଇଛି । ଗିରଫ ପରେ ପରେ ସିବିଆଇ ଅନୁବ୍ରତଙ୍କୁ ଆସାନ୍ସୋଲ୍ କୋର୍ଟରେ ହାଜର କରାଇଥିବା ବେଳେ କୋର୍ଟ ସିବିଆଇକୁ ଅନୁବ୍ରତଙ୍କ ପାଇଁ ୧ଠ ଦିନିଆ କଷ୍ଟଡି କ୍ଷମତା ପ୍ରଦାନ କରିଛନ୍ତି ।
ଅନୁବ୍ରତ ମଣ୍ଡଳ ଟିଏମ୍ସିର ବୀରଭୂମ ଜିଲ୍ଲା ଅଧ୍ୟକ୍ଷ ଭାବେ କାମ କରୁଛନ୍ତି । ଏଥିସହ ସେ ମୁଖ୍ୟମନ୍ତ୍ରୀ ତଥା ଟିଏମ୍ସିର ସୁପ୍ରିମୋ ମମତା ବାନାର୍ଜୀଙ୍କର ମଧ୍ୟ ଅତ୍ୟନ୍ତ ନିକଟତମ ସହଯୋଗୀ ଭାବେ ଜଣାଶୁଣା । ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପରେ ବୀରଭୂମରେ ସଂଘଠିତ ହିଂସାକାଣ୍ଡରେ ମଧ୍ୟ ଅନୁବ୍ରତଙ୍କ ନାମ ସାମ୍ନାକୁ ଆସିଥିଲା । ହିଂସାକାଣ୍ଡ ସମୟରେ ବିପକ୍ଷ ଗୋଷ୍ଠୀର ଲୋକଙ୍କ ଘର ତଥା ଅନ୍ୟ ସମ୍ପତ୍ତିଗୁଡ଼ିକୁ ପୋଡିଜାଳି ଛାରଖାର କରିଦେବାକୁ ଅନୁବ୍ରତ ହିଁ ଟିଏମ୍ସିର ଜିଲ୍ଲା କର୍ମୀମାନଙ୍କୁ ପ୍ରେରିତ କରିଥିବା ଜଣାପଡିଥିଲା । ଅବଶ୍ୟ ସେତେବେଳେ ଏହି ଘଟଣା ପାଇଁ ବ୍ଲକ୍ ପ୍ରମୁଖଙ୍କୁ ଗିରଫ କରାଯାଇଥିଲା କିନ୍ତୁ ଅନ୍ୟପକ୍ଷେ ବିରୋଧୀ ଦଳଙ୍କ ପକ୍ଷରୁ ବୀରଭୂମ ହିଂସାକାଣ୍ଡ ପଛରେ ଅନୁବ୍ରତଙ୍କ ସମ୍ପୃକ୍ତି ନେଇ ଅଭିଯୋଗ କରାଯାଇଥିଲା । ସୂଚନାଯୋଗ୍ୟ, ଅନୁବ୍ରତ ମଣ୍ଡଳ ହେଉଛନ୍ତି ଟିଏମ୍ସିର ସେହି ନେତା ଯିଏକି ବିଧାନସଭା ନିର୍ବାଚନ ସମୟରେ ସର୍ବପ୍ରଥମେ ଦଳ ପକ୍ଷରୁ ‘ଖେଲା ହୋବେ’ର ନାରା ଦେଇଥିଲେ ।
ବୀରଭୂମ ହିଂସା ଘଟଣା ତଥା ବେଆଇନ୍ ଗୋ’ ଚୋରାଚାଲାଣ ମାମଲାରେ ତାଙ୍କ ନାମରେ ଅଭିଯୋଗ ଆସିବା ପରେ ସିବିଆଇକୁ ଏହି ମାମଲାର ତଦନ୍ତ ଭାର ଦିଆଯାଇଥିଲା । ଅନ୍ୟପକ୍ଷେ ସିବିଆଇ ଯେତେବେଳେ ତାଙ୍କୁ ଏପ୍ରସଙ୍ଗରେ ଜେରା କରିବାକୁ ୨ ଦୁଇ ଥର (୫ ଅଗଷ୍ଟ ଏବଂ ୮ ଅଗଷ୍ଟ) ସମନ୍ ଜାରି କରିଥିଲା ସେତେବେଳେ ଅନୁବ୍ରତ ସ୍ୱାସ୍ଥ୍ୟ ସମସ୍ୟା ଦର୍ଶାଇ ଏହାକୁ ଏଡାଇବାକୁ ଚେଷ୍ଟା କରିଥିଲେ । ତେବେ ଗୁରୁବାର ଦିନ ସକାଳୁ ସକାଳୁ ଅନୁବ୍ରତଙ୍କ ଘରେ ସିବିଆଇ ଅଧିକାରୀମାନେ ଅଚାନକ୍ ଚଢ଼ଉ କରିବା ସହ ପ୍ରାୟ ଘଣ୍ଟାଧିକ କାଳ ତାଙ୍କୁ ପ୍ରଶ୍ନ କରିଥିଲେ । କିନ୍ତୁୂ ଅନୁବ୍ରତ ସିବିଆଇ ଅଧିକାରୀମାନଙ୍କ କୌଣସି ପ୍ରଶ୍ନର ସଠିକ୍ ଉତ୍ତର ଦେଇନଥିଲେ । ଫଳରେ ସିବିଆଇ ତାଙ୍କୁ ନିଜ ହେପାଜତ୍କୁ ନେଇନେଇଛି । ଗିରଫ କରାଯିବା ପରେ ଅନୁବ୍ରତଙ୍କ ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ୍ ଉଦେ୍ଦଶ୍ୟରେ ସିବିଆଇ ପ୍ରଥମେ ତାଙ୍କୁ ହସ୍ପିଟାଲ ନେଇଥିବା ଜଣାପଡ଼ିଛି ।
ସିବିଆଇ, ୨ଠ୨ଠରେ ସିବିଆଇ ଭାରତ-ବାଂଲାଦେଶ ସୀମାରେ ବେଆଇନ୍ ଗୋ’ ଚୋରା ଚାଲାଣ ହେଉଥିବା ନେଇ ଏକ ମାମଲା ରୁଜୁ କରିଥିଲା । ଏହି ମାମଲାରେ ଅନୁବ୍ରତ ମଣ୍ଡଳଙ୍କ ନାଁ ସାମ୍ନାକୁ ଆସିଥିଲା । ସିବିଆଇ ଅନୁସାରେ ୨ଠ୧୫ରୁ ୨ଠ୧୭ ମଧ୍ୟରେ ପ୍ରାୟ ୨ଠହଜାରରୁ ଅଧିକ ଗୋରୁ ତଥା ଅନ୍ୟ ପଶୁଙ୍କ କଟାମୁଣ୍ଡକୁ ଭାରତ-ବାଂଲା ସୀମାରେ ନିୟୋଜିତ ବିଏସ୍ଏଫ୍ ସୁରକ୍ଷା କର୍ମୀ ଜବତ କରିଥିଲେ । ତେବେ ସିବିଆଇ ଏହି ଘଟଣାର ତଦନ୍ତ କରିବା ସହ ତକ୍ରାଳୀନ ବିଏସ୍ଏଫ୍ କମାଣ୍ଡାଣ୍ଟ୍ ସତୀଶ କୁମାରଙ୍କ ସମେତ ଅନ୍ୟ କିଛି ଲୋକଙ୍କ ବିରୋଧରେ ମାମଲା ଦାୟର କରିଥିଲା । ତେବେ ପ୍ରମାଣ ଅଭାବ କାରଣରୁ ଏହି ମାମଲାର ତଦନ୍ତ ପ୍ରକ୍ରିୟା ପ୍ରଭାବିତ ଢ଼ଙ୍ଗରେ ଆଗକୁ ବଢ଼ିପାରିନଥିଲା । ଏସବୁ ମଧ୍ୟରେ ସିବିଆଇ ପକ୍ଷରୁ ବୀରଭୂମର ପ୍ରାୟ ୧୩ ସ୍ଥାନରେ ଚଢ଼ଉ କରିଥିଲା । ଚଢ଼ଉ ସମୟରେ ୧୭ଲକ୍ଷ ଟଙ୍କା ନଗଦ, ୧ଠ ମୋବାଇଲ ଫୋନ୍ ଏବଂ ପେନ୍ ଡ୍ରାଇଭ୍ ସମେତ ଅନେକ ଆପତ୍ତିଜନକ ସାମଗ୍ରୀ ଜବତ କରାଯାଇଥିଲା । ଏହି ସମୟରେ ଅନୁବ୍ରତ ମଣ୍ଡଳଙ୍କ ଅଙ୍ଗରକ୍ଷୀ ସୈଗଲ ହୁସେନଙ୍କୁ ମଧ୍ୟ ଗିରଫ କରାଯାଇଥିଲା । ଏହାପରେ ମଣ୍ଡଳଙ୍କୁ ହାଜର ହେବାକୁ ସମନ କରାଯାଇଥିଲା । କିନ୍ତୁ ସେ ହାଜର ହୋଇ ନଥିଲେ । ପ୍ରକାଶ, ନିଜ କ୍ୟାବିନେଟ୍ରେ ଶିକ୍ଷା ମନ୍ତ୍ରୀ ଥିବା ପାର୍ଥ ଚାଟାର୍ଜୀଙ୍କୁ ଶିକ୍ଷକ ନିଯୁକ୍ତି ଦୁର୍ନୀତି ଅଭିଯୋଗ ଆଧାରରେ ଇଡି ଗିରଫ କରିଥିବା ବେଳେ ମମତା ବାନାର୍ଜୀ ସମ୍ପ୍ରତି ବ୍ୟାକ୍ଫୁଟ୍ରେ ରହିଛନ୍ତି । ଏବେ ଅନୁବ୍ରତଙ୍କ ମାମଲାରେ ମମତାଙ୍କ ଚିନ୍ତା ବଢ଼ିଯାଇଛି ।
ଅନ୍ୟପକ୍ଷେ ପ୍ରଦେଶ ବିଜେପି ପକ୍ଷରୁ ଏହି ଘଟଣାକୁ ନେଇ ଶାସକ ଦଳ ଟିଏମ୍ସିକୁ ତୀବ୍ର ସମାଲୋଚନା କରାଯାଇଛି । ବିଜେପି ସାଂସଦ ତଥା ବିଜେପିର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଦିଲ୍ଲୀପ ଘୋଷ କହିଛନ୍ତି, ଅନୁବ୍ରତ ମଣ୍ଡଳଙ୍କ ପରି ରାକ୍ଷସଙ୍କୁ ସବୁଦିନ ପାଇଁ ଜେଲ୍ରେ ଭର୍ତ୍ତି କରାଯିବା ଉଚିତ୍ । ବାହାରେ ରହିବାର କୌଣସି ଅଧିକାର ଏଭଳି ବ୍ୟକ୍ତିଙ୍କର ନାହିଁ । ପଶ୍ଚିିମବଙ୍ଗ ସରକାର ଏଭଳି ଅଭିଯୁକ୍ତଙ୍କୁ ସଂରକ୍ଷଣ ତଥା ସୁରକ୍ଷା ଦେଉଥିବା ଘୋଷ ଅଭିଯୋଗ କରିଛନ୍ତି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *