ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଦେଓ ପ୍ରକଳ୍ପର ଲୋକାର୍ପଣ ଆଜି
ଭିତ୍ତିପ୍ରସ୍ତର ରଖିଥିଲେ ବିଜୁବାବୁ
ବାରିପଦା/ବୈଶିଙ୍ଗା/ଭୁବନେଶ୍ୱର, ୧୧ା୮ (ବୁ୍ୟରୋ): ଆସନ୍ତାକାଲି ଅର୍ଥାତ ଶୁକ୍ରବାର ଲୋକାର୍ପିତ ହେବ ଦେଓ ପ୍ରକଳ୍ପ । ବିଜୁବାବୁଙ୍କ ସପ୍ନକୁ ସାକାର କରିବାକୁ ଯାଉଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ଉପଖଣ୍ଡର ଦେଓ ପ୍ରକଳ୍ପକୁ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ ଓଡିଶାର ତତ୍କାଳୀନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ । ମୟୂରଭଞ୍ଜ ଜିଲ୍ଲା ବିଭିନ୍ନ କ୍ଷେତ୍ରରେ ପଛୁଆ ଜିଲ୍ଲା ଭାବରେ ପରିଚିତ ଥିଲା । ଜିଲ୍ଲାର ଅର୍ଥନୀତିକୁ ସୁଦୃଢ କରିବାରକୁ ବିଜୁ ପଟ୍ଟନାୟକ କରଞ୍ଜିଆ ବ୍ଲକର ହାତୀବାରି ଗାଁରେ ଦେଓ ପ୍ରକଳ୍ପ ପାଇଁ ଯୋଜନା ଆରମ୍ଭ କରିଥିଲେ । ଏହି ପ୍ରକଳ୍ପ ଦ୍ୱାରା ଶିମିଳିପାଳ ଅଭୟାରଣ୍ୟରୁ ବାହାରିଥିବା ଦେଓ ନଦୀ ଉପରେ ଦୁଇ ପାହାଡ଼କୁ ବନ୍ଧ ବାନ୍ଧିବା ପାଇଁ ପରିକଳ୍ପନା କରାଯାଇଥିଲା । ତତ୍କାଳୀନ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ୧୯୯୩ ଏପ୍ରିଲ ୨୮ରେ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ । ସେତେବେଳେ ଏହି ପ୍ରକଳ୍ପର ମୂଲ୍ୟ ୫୨ କୋଟି ଟଙ୍କା ଥିଲା । ୧୨୮୦ ମିଟର ଦୈର୍ଘ୍ୟ ବିଶିଷ୍ଟ ବନ୍ଧ ଥିବା ଏ ପ୍ରକଳ୍ପଟିକୁ ସମ୍ପୂର୍ଣ କରାଯିବା ପାଇଁ ୨୦୧୮ ମସିହା ମୂଲ୍ୟସୂଚୀ ଅନୁଯାୟୀ, ୯୪୧ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇ ବର୍ତ୍ତମାନ ସୁଧା ୮୨୩ କୋଟି ଟଙ୍କା ଖର୍ଚ୍ଚ କରାଯାଇଥିବା ସୂଚନା ମିଳିଛି ।
ଏହି ନଦୀବନ୍ଧର ବାମପାଶ୍ୱର୍ ମୁଖ୍ୟ କେନାଲର ଦୈର୍ଘ୍ୟ ୨୫.୨୦ କିମି ଏବଂ ଦକ୍ଷିଣପାଶ୍ୱର୍ ମୁଖ୍ୟ କେନାଲର ଦୈର୍ଘ୍ୟ ୩୨.୬୯ କିମି ଦ୍ୱାରା ୯୯୦୦ ହେକ୍ଟର ଜମି ଜଳସେଚିତ ହେବ । ଏହାସହ ୧୦୦ ଗାଁର (୨୦୧୧ ଜନଗଣନା ଅନୁଯାୟୀ) ମୋଟ ୧,୭୮,୫୧୭ ଲୋକ ଉପକୃତ ହେବେ । ଏହି ପ୍ରକଳ୍ପଟିକୁ ସମ୍ପୂର୍ଣ୍ଣ କରାଯାଇ ମୟୂରଭଞ୍ଜ ଜିଲ୍ଲାର କରଞ୍ଜିଆ ଓ ଶୁକୃଳି ବ୍ଲକର ୭୫ ଗାଁର ୬୬୭୭ ହେକ୍ଟର ଓ କେନ୍ଦୁଝର ଜିଲ୍ଲାର ସାହାରପଡା ବ୍ଲକର ୨୫ ଗାଁର ୩୨୨୩ ହେକ୍ଟର ଚାଷ ଉପଯୋଗୀ ଜମିକୁ ଜଳସେଚିତ କରାଯିବାର ଲକ୍ଷ୍ୟ ରଖାଯାଇଛି । ସେଥିମଧ୍ୟରୁ ୨୦୨୧ ଖରିଫ ଋତୁଠାରୁ କରଞ୍ଜିଆ ବ୍ଲକର ୩୫୦୦ ହେକ୍ଟର ଜମିକୁ ପରୀକ୍ଷା ମୂଳକ ଭାବେ ଜଳସେଚନ କରାଯାଉଛି । ଚଳିତ ଖରିଫ ଋତୁରେ ଅତିରିକ୍ତ ୪୦୦୦ ହେକ୍ଟର ଚାଷ ଉପଯୋଗୀ ଜମିକୁ ପ୍ରଥମ ଥର ପରୀକ୍ଷା ମୂଳକ ଭାବେ ଜଳସେଚିତ କରାଯାଇ କୃଷକଙ୍କର ବିକାଶ ଧାରାକୁ ତ୍ୱରାନ୍ୱିତ କରାଯିବ ବୋଲି ଯୋଜନା ରହିଛି ।
ମୋଟ ୫ଟି ଆଂଶିକ ବୁଡି ଓ ୪ଟି ସମ୍ପୂର୍ଣ ବୁଡି ଗାଁର ୯୪୮ ବିସ୍ଥାପିତ ପରିବାରକୁ ୮ ବିସ୍ଥାପିତ କଲୋନୀ ଓ ଅନ୍ୟତ୍ର ଥଇଥାନ କରାଯାଇଛି । ଶୁକ୍ରବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କରଞ୍ଜିଆର ହାତିବାରି ଆସି ଦେଓ ପ୍ରକଳ୍ପକୁ ଶୁଭ ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି । ଫଳରେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ମୟୂରଭଞ୍ଜ ଜିଲ୍ଲାପାଳ, ଏସପି ଏବଂ ବିଭିନ୍ନ ବର୍ଗର ସରକାରୀ ଅଧିକାରୀ ଅଞ୍ଚଳ ପରିଦର୍ଶନ କରି ପ୍ରସ୍ତୁତି ନେଇ ସମୀକ୍ଷା କରିଛନ୍ତି ।