୨୪ରେ ଫ୍ଲୋର୍ ଟେଷ୍ଟ୍ ଦେବେ ନୀତୀଶ
ବିହାର ପଲିଟିକ୍ସ: ୧୬ରେ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ
ପାଟନା (ଏଜେନ୍ସି): ବିହାରରେ ଜେଡିୟୁ-ଆରଜେଡି ନେତୃତ୍ୱାଧୀନ ମହାମେଣ୍ଟ ସରକାର ଗଠନ ହୋଇଛି । ଜେଡିୟୁ ହଠାତ୍ ଏନ୍ଡିଏରୁ ବାହାରିଯିବାକୁ ନେଇ ବିଜେପି କ୍ଷମତାଚୁ୍ୟତ ହୋଇଛି । ଏହାକୁ ନେଇ ବିଜେପି ଏବଂ ଜେଡିୟୁ ନେତାମାନଙ୍କ ମଧ୍ୟରେ ଆରୋପ ପ୍ରତ୍ୟାରୋପ ଲାଗି ରହିଛି । ଏସବୁ ମଧ୍ୟରେ ଗୁରୁବାର ଏକ ବଡ଼ ଖବର ସାମ୍ନାକୁ ଆସିଛି । ବିହାରର କ୍ୟାବିନେଟ୍ ସମ୍ପ୍ରସାରଣ ଆସନ୍ତା ୧୬ରେ ହେବ ବୋଲି ଏକ ସୂତ୍ରରୁ ଜାଣିବାକୁ ମିଳିଛି । ସେହିପରି ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ପରେ ଅର୍ଥାତ୍ ଆସନ୍ତା ୨୪ରେ ମହାମେଣ୍ଟ ଫ୍ଲୋରଟେଷ୍ଟର ସମ୍ମୁଖୀନ ହେବ । ସିଧାସଳଖ କହିଲେ ଫ୍ଲୋରଟେଷ୍ଟକୁ ଯିବା ପୂର୍ବରୁ ଜେଡିୟୁ-ଆରଜେଡି ନେତୃତ୍ୱାଧୀନ ମହାମେଣ୍ଟ ସରକାରର କ୍ୟାବିନେଟ୍ ଚିତ୍ର ସ୍ପ୍ଷ୍ଟ ହୋଇସାରିଥିବ ।
୨୪ରେ ଫ୍ଲୋର ଟେଷ୍ଟ କରାଯିବା ପାଇଁ ନୀତିଶ କୁମାର ଆଗ୍ରହ ପ୍ରକାଶ କରିବା ପରେ ଆରଜେଡି ସମେତ ମହାମେଣ୍ଟରେ ସାମିଲ ହୋଇଥିବା ଅନ୍ୟ ସମସ୍ତ ଦଳ ପକ୍ଷରୁ ଏହାକୁ ସମର୍ଥନ କରାଯାଇଛି । ସୁତରାଂ ରାଜ୍ୟପାଳଙ୍କୁ ଅଗଷ୍ଟ ୨୪ରେ ହିଁ ଫ୍ଲୋର ଟେଷ୍ଟ କରାଯିବା ପାଇଁ ମହାମେଣ୍ଟ ପକ୍ଷରୁ ଦାବିପତ୍ର ପ୍ରଦାନ କରାଯାଇଥିବା ବେଳେ ରାଜ୍ୟପାଳ ଏହାକୁ ସ୍ୱୀକାର କରିନେଇଛନ୍ତି । ତେବେ ନୀତିଶ ୨୪ ତାରିଖରେ ହିଁ ଫ୍ଲୋର ଟେଷ୍ଟ ଦେବାକୁ ଆଗ୍ରହ ପ୍ରକାଶ କରିବା ପଛରେ ଏକ ବଡ଼ କାରଣ ରହିଥିବା ଜାଣିବାକୁ ମିଳିଛି । ସମ୍ପ୍ରତି ବିଧାନସଭାର ବାଚସ୍ପତି ପଦ ବିଜେପି ପାଖରେ ରହିଛି । ବିଜେପି ନେତା ବିଜୟ କୁମାର ସିହ୍ନା ଏବେ ବି ବାଚସ୍ପତି ପଦରେ ଅଧିଷ୍ଠିତ ରହିଛନ୍ତି । ସୁତରାଂ ନୀତିଶ ଫ୍ଲୋର ଟେଷ୍ଟକୁ ଯିବା ପୂର୍ବରୁ କୌଣସି ରିସ୍କ ନେବାକୁ ଚାହୁଁନାହାନ୍ତି । ଅର୍ଥାତ୍ ୨୪ ପୂର୍ବରୁ ହିଁ ବାଚସ୍ପତି ପଦରୁ ସିହ୍ନାଙ୍କୁ ହଟାଇବା ପାଇଁ ନୀତିଶ ଏବଂ ତାଙ୍କ ସହଯୋଗୀମାନେ ଚେଷ୍ଟା କରିବା ସ୍ୱାଭାବିକ୍ । ଏସବୁ ମଧ୍ୟରେ ନୀତିଶଙ୍କ ନିଦେ୍ର୍ଦଶକ୍ରମେ ମହାମେଣ୍ଟରେ ସାମିଲ ହୋଇଥିବା ଦଳର ପ୍ରାୟ ୫୫ ବିଧାୟକ ବାଚସ୍ପତି ସିହ୍ନାଙ୍କ ବିରୋଧରେ ଅନାସ୍ଥା ଭୋଟ୍ ପ୍ରସ୍ତାବ ଆଗତ କରିସାରିଛନ୍ତି । ବାଚସ୍ପତି ସିହ୍ନାଙ୍କୁ ୨୪ ପୂର୍ବରୁ ହିଁ ଗୃହର ମୋଟ୍ ବିଧାୟକଙ୍କ ସଂଖ୍ୟା ଆଧାରରେ ନିର୍ଦ୍ଧାରିତ ସଂଖ୍ୟକ ବିଧାୟକଙ୍କ ସମର୍ଥନ ହାସଲ କରିବା ଜରୁରି ହୋଇପଡିବ, ଯାହାକି ସାମ୍ପ୍ରତିକ ସ୍ଥିତିରେ ଅସମ୍ଭବ ପ୍ରତୀତ ହେଉଛି । ସୁତରାଂ ବିଜେପି ହାତରୁ ବାଚସ୍ପତି ଯିବା ନିଶ୍ଚିତ ପ୍ରତୀତ ହେଉଛି ।
ସୂଚନାଯୋଗ୍ୟ, ନୀତିଶଙ୍କ ନେତୃତ୍ୱରେ ଗଠନ ହୋଇଥିବା ମହାମେଣ୍ଟରେ ସମ୍ପ୍ରତି ୭ଦଳ ସାମିଲ ହୋଇଛନ୍ତି । ଗତ ମଙ୍ଗଳବାର ଏହି ୭ଟି ଦଳର ୧୬୪ଜଣ ବିଧାୟକ ନୀତିଶଙ୍କ ପ୍ରତି ସମର୍ଥନ ସମ୍ବଳିତ ଦାବିପତ୍ରକୁ ରାଜ୍ୟପାଳଙ୍କୁ ହସ୍ତାନ୍ତର ମଧ୍ୟ କରାଯିବା ସହ ସରକାର ଗଠନ ପାଇଁ ଦାବି ଉପସ୍ଥାପନ କରାଯାଇଛି । ତେବେ ଇତି ମଧ୍ୟରେ ମୁଖ୍ୟମନ୍ତ୍ରୀ ଭାବେ ନୀତିଶ କୁମାର ଏବଂ ଉପମୁଖ୍ୟମନ୍ତ୍ରୀ ଭାବେ ଆରଜେଡି ନେତା ତେଜସ୍ୱୀ ଯାଦବ ଶପଥ ଗ୍ରହଣ କରିସାରିଛନ୍ତି । ୨୪୩ ଆସନ ବିଶିଷ୍ଟ ବିହାର ବିଧାନସଭାରେ ସଂଖ୍ୟା ଗରିଷ୍ଠ ହେବା ପାଇଁ ମୋଟ୍ ୧୨୨ ବିଧାୟକଙ୍କ ସମର୍ଥନ ଥିବା ବେଳେ ମହାମେଣ୍ଟ ପାଖରେ ମୋଟ୍ ୧୬୪ ବିଧାୟକଙ୍କ ସମର୍ଥନ ରହିଛି । ଅର୍ଥାତ୍ ଅତି ସହଜରେ ନୀତିଶ ଫ୍ଲୋରଟେଷ୍ଟରେ ବିଜୟୀ ହୋଇଯିବେ । ଏସବୁ ମଧ୍ୟରେ ମହାମେଣ୍ଟରେ ସାମିଲ ହୋଇଥିବା ଦଳଙ୍କ ପକ୍ଷରୁ କେତେକ ସର୍ତ୍ତ ତଥା ଦାବି ମଧ୍ୟ ରଖାଯାଇଥିବା ଜାଣିବାକୁ ମିଳିଛି ।
ଅନ୍ୟ ଏକ ରିପୋର୍ଟ ଅନୁସାରେ ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପରେ ପରେ ତେଜସ୍ୱୀ ଯାଦବ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ୍ କରିଛନ୍ତି । ମିଛ କହିବାରେ ମୋଦି ପାରଙ୍ଗମ ବୋଲି ସେ କହିଛନ୍ତି । ସେହିପରି ତାଙ୍କୁ ଏବେ ଜେଡ୍ ପ୍ଲସ୍ ସୁରକ୍ଷା ପ୍ରଦାନ କରାଯାଇଥିବା ଜାଣିବାକୁୂ ମିଳିଛି ।