ମାଟି ତଳୁ ମିଳିଲା ଶହ ଶହ ଆଧାର କାର୍ଡ
ମୋହନା(ଆପ୍ର): ଗଜପତି ଜିଲ୍ଲାର ଜଣେ ପୋଷ୍ଟ ମାଷ୍ଟର ଆଧାରକାର୍ଡ ଲୋକଙ୍କୁ ନ ବାଣ୍ଟି ପୋତି ଦେଇଥିଲେ । ଶହଶହ ଆଧାରକାର୍ଡ ମାଟିତଳୁ ଉଦ୍ଧାର କରାଯିବା ପରେ ଘଟଣା ପଦାକୁ ଆସିଛି । ମୋହନା ବ୍ଲକ୍ ଜିରାଙ୍ଗ ପଞ୍ଚାୟତ ଡରାବରେ ଥିବା ପୋଷ୍ଟ ଅପିସ୍ ଉପରେ ଆଖପାଖ ୬ ଖଣ୍ଡ ଗାଁର ଲୋକେ ନିର୍ଭରଶୀଳ । ଗ୍ରାମବାସୀ ଆଧାରକାର୍ଡ ପାଇଁ ମୋହନାସ୍ଥିତ ଜନସେବା କେନ୍ଦ୍ରରେ ଆବେଦନ କରିଥିଲେ । ସେମାନଙ୍କ ଆଧାରକାର୍ଡ ପୋଷ୍ଟ ଅଫିସ୍ ଜରିଆରେ ଆସିବା ପରେ ପୋଷ୍ଟ ମାଷ୍ଟର ପର୍ଶୁଧର ରଣସିଂହ ସେଗୁଡ଼ିକୁ ଲୋକଙ୍କୁ ନ ଦେଇ ପୋତି ଦେଇଥିଲେ ଓ କିଛି ଅଳିଆ ଗଦାରେ ଫିଙ୍ଗି ଦେଇଥିଲେ । ଜଣେ ବ୍ୟକ୍ତି ଅଳିଆଗଦାରେ ଆଧାର ପଡ଼ିଥିବା ଦେଖି ଗ୍ରାମବାସୀଙ୍କୁ ଜଣାଇଥିଲେ । ଗ୍ରାମବାସୀ ଅଳିଆଗଦା କିଛି ଆଧାରକାର୍ଡ ଓ ମାଟି ଖୋଳି ଶହ ଶହ ଆଧାରକାର୍ଡ ଉଦ୍ଧାର କରିଛନ୍ତି । ଲୋକଙ୍କ ନାମରେ ଆସୁଥିବା ଆଧାରକାର୍ଡ ସମ୍ପୃକ୍ତ ପୋଷ୍ଟ ମାଷ୍ଟର ପୋତି ଦେଇଥିବା କିମ୍ବା ଫିଙ୍ଗି ଦେଇଥିବା ଅଭିଯୋଗ ହୋଇଛି । ବର୍ଷ ବର୍ଷଧରି ସେ ଏଭଳି କାର୍ଯ୍ୟ କରିଚାଲିଥିଲେ ।
ବହୁ ହିତାଧିକାରୀ ୨ଶହ ଟଙ୍କା ଦେଇ ବର୍ଷବର୍ଷ ହେଲା ଅପେକ୍ଷାରେ ଅଛନ୍ତି । ଆଧାର ଅଭାବରୁ ଭତ୍ତା, ରାସନ ଓ ଅନ୍ୟାନ୍ୟ ସୁବିଧା ସୁଯୋଗ ନ ପାଇ ଲୋକେ ଅସୁବିଧା ଭୋଗୁଥିବା ଜଣାପଡ଼ିଛି । ତୁରନ୍ତ ଘଟଣାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି । ଏ ନେଇ ସମ୍ପୃକ୍ତ ପୋଷ୍ଟମାଷ୍ଟରଙ୍କ ପ୍ରତିକ୍ରିୟା ମିଳିପାରିନାହିଁ ।