ଅଧା ଓଡ଼ିଶା ବେହାଲ

ଭୁବନେଶ୍ୱର/ସମ୍ବଲପୁର, ୧୦ା୮ (ବୁ୍ୟରୋ): ୩ ଦିନର ଲଗାଣ ବର୍ଷା ଯୋଗୁଁ ରାଜ୍ୟରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ତଳିଆ ଅଞ୍ଚଳରେ ବର୍ଷା ପାଣି ଜମି ରହିଛି । ବିଭିନ୍ନ ନଦୀର ଜଳସ୍ତର ମଧ୍ୟ ବଢ଼ିବାରେ ଲାଗିଛି । ବିଶେଷକରି ଇନ୍ଦ୍ରାବତୀ, ବଂଶଧାରା, ଭାସ୍କେଲ ଭଳି ନଦୀର ଜଳସ୍ତର ବିପଦ ସଂକେତ ଉପରେ ପ୍ରବାହିତ ହେଉଛି । ଯାହା ନଦୀ କୂଳିଆ ଅଞ୍ଚଳର ଲୋକଙ୍କ ଚିନ୍ତାକୁ ବଢ଼ାଇ ଦେଇଛି । ପରିସ୍ଥିତିକୁ ଦେଖି ସଜାଗ ରହିବା ପାଇଁ ରାଜ୍ୟ ସରକାର ପ୍ରଶାସନକୁ ନିଦେ୍ର୍ଦଶ ଦେଇଛନ୍ତି । ୩ ଦିନ ଧରି ଲଗାଣ ବର୍ଷା ପରେ ନବରଙ୍ଗପୁର ଜିଲ୍ଲାର ଗାଁ ଦାଣ୍ଡରେ ଡଙ୍ଗା ଚାଲୁଛି ।
ଅନ୍ୟପଟେ ବିଭିନ୍ନ ନଦୀରେ ସୃଷ୍ଟି ହାଇଛି ବନ୍ୟା ପରିସ୍ଥିତି । ନବରଂଗପୁର ଦେଇ ପ୍ରବାହିତ ହେଉଥିବା ଇନ୍ଦ୍ରାବତୀ ଓ ଭାସ୍କେଲ ନଦୀର ଜଳସ୍ତର ବିପଦ ସଂକେତ ଛୁଇଁଛି । ତଳିଆ ଅଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ପରସ୍ଥିତିକୁ ଦେଖି ଆଗୁଆ ପଦକ୍ଷେପ ଗ୍ରହଣ କରିଛି ପ୍ରଶାସନ । ବରିଷ୍ଠ ନାଗରିକଙ୍କୁ ନିକଟରେ ଥିବା ହାଇସ୍କୁଲକୁ ସ୍ଥାନାନ୍ତର କରାଯାଇଛି ।
ସେହିପରି ଗଜପତି ମୋହନା ହରଭଙ୍ଗୀ ନଦୀର ଜଳସ୍ତର ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି । ତଳିଆ ଅଞ୍ଚଳରେ ଥିବା କେତେକ ଗାଁରେ ମଧ୍ୟ ବନ୍ୟାଜଳ ପଶିଛି । ଫଳରେ ମୋହନାକୁ ସଂଯୋଗ କରୁଥିବା ୩ ଗାଁର ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ରାଜ୍ୟର ବିଭିନ୍ନ ନଦୀର ଜଳସ୍ତର ବଢ଼ୁଥିବାବେଳେ ସବୁ ନଦୀ ବିପଦ ସଂକେତ ତଳେ ଅଛି ବୋଲି ଜଳସମ୍ପଦ ମନ୍ତ୍ରୀ ଟୁକୁନି ସାହୁ କହିଛନ୍ତି । କେବଳ ବଂଶଧାରା ନଦୀ ବିପଦ ସଂକେତର ସାମାନ୍ୟ ଉପରେ ଅଛି । ଉପକୂଳ ଓଡିଶାରେ ସବୁବେଳେ ବନ୍ୟା ଭୟ ଥାଏ । ତେଣୁ ଜଳସମ୍ପଦ ବିଭାଗ ଏଥି ପ୍ରତି ସଜାଗ ରହିଛି । ଖଇରମାଳରୁ ମହାନଦୀ ଯାଏ ସମସ୍ତ ନଦୀ ବିପଦ ସଂକେତ ତଳେ ଅଛି । ବର୍ଷା ଯଦି ଅଧିକ ହୁଏ, ସେ ସମୟରେ ବୈଠକ ନେଇ ପଦକ୍ଷେପ ନିଆଯିବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସବୁ ସମୟରେ ଜିରୋ କାଜୁଆଲଟିକୁ ଗୁରୁତ୍ୱ ଦିଅନ୍ତି ବୋଲି ସେ କହିଛନ୍ତି ।
ରାଜ୍ୟ ସ୍ୱତନ୍ତ୍ର ରିଲିଫ୍ କମିଶନର ପ୍ରଦୀପ ଜେନା ମଧ୍ୟ ଏନେଇ ପ୍ରତିକ୍ରିୟା ରଖିଛନ୍ତି । ରାଜ୍ୟରେ ଲଘୁ·ପ ଜନିତ ବର୍ଷା ଜାରି ରହିଛି । ବିଶେଷ କରି ଦକ୍ଷିଣ ଓ ପଶ୍ଚିମ ଓଡିଶାରେ ବର୍ଷାର ପରିମାଣ ଟିକେ ଅଧିକ ରହିଛି । ମାଲକାନଗିରିରେ ବନ୍ୟା ପରିସ୍ଥିତି ଉପୁଜିଥିଲା । ହେଲେ ବର୍ତ୍ତମାନ ସ୍ଥିତି ସ୍ୱାଭାବିକ ରହିଛି । ନାଗାବଳି ଓ ବଂଶଧାରା ନଦୀରେ ଜଳସ୍ତର ରାଇଜିଂ ଟ୍ରେଣ୍ଡରେ ଅଛି । ସ୍ଥିତି ନିୟନ୍ତ୍ରଣାଧିନ ରହିଛି । ପ୍ରବଳ ବର୍ଷା ଯୋଗୁଁ ନୂଆପଡା ଜିଲ୍ଲାର ସାରାବଙ୍ଗ ନିକଟସ୍ଥ ଜୋକ ବ୍ରିଜର ଗୋଟିଏ ପାର୍ଶ୍ୱ ଧୋଇ ହୋଇଯାଇଛି । ବର୍ଷା ଛାଡିବା ପରେ ତୁରନ୍ତ ମରାମତି କରାଯିବା ନେଇ ଜିଲ୍ଲାପାଳଙ୍କ ସହ ଆଲୋଚନା କରାଯାଇଛି । ଏହା ସହ ଆରଡି ବିଭାଗକୁ ମଧ୍ୟ କୁହାଯାଇଛି । ବିଶେଷ ଭାବରେ ସେଭଳି କିଛି କ୍ଷୟକ୍ଷତି ହୋଇନି । ବର୍ତ୍ତମାନ ଏସଆରସି ପକ୍ଷରୁ କମ୍ପାଏଲ କରାଯାଉଛି । ଯେହେତୁ ଅକ୍ଟୋବର ବନ୍ୟା ବାତ୍ୟାର ମାସ ସେଥିପାଇଁ ପ୍ରସ୍ତୁତ ଅଛୁ । ବର୍ତ୍ତମାନଠାରୁ ଡିସେମ୍ବର ଯାଏଁ ବନ୍ୟା ଓ ବାତ୍ୟା ପାଇଁ ପ୍ରସ୍ତୁତ ରହିବା କଥା । ଯେଉଁଥିପାଇଁ ଏନଡିଆରଏଫ, ଓଡ୍ରାଫ ଓ ଅଗ୍ନିଶମ ବିଭାଗ ପ୍ରସ୍ତୁତ ରହିଛନ୍ତି । ଏନେଇ ରାଜ୍ୟ ସରକାର ସଜାଗ ଥିବା ଏସଅ ।ରସି ପ୍ରଦୀପ ଜେନା ସୂଚନା ଦେଇଛନ୍ତି ।
ସେପଟେ ନୂଆପଡ଼ା ସଦର ବ୍ଲକରେ ବିଗତ ୩ ଦିନ ହେଲା ପ୍ରବଳ ବର୍ଷା ହୋଇଛି । ବର୍ଷା ଯୋଗୁଁ ନଦୀଗୁଡ଼ିକର ଜଳସ୍ତର ବଢ଼ିବାରେ ଲାଗିଛି । ତଳିଆ ଅଞ୍ଚଳରେ ବନ୍ୟାର ତାଣ୍ଡବ ଲୀଳା ଦେଖିବାକୁ ମିଳିଛି । ଉପାନ୍ତ ଅଞ୍ଚଳରେ ଲୋକଙ୍କ ଦୁଃଖ ବଢ଼ିବାରେ ଲାଗିଛି । ବର୍ଷାରେ ସାରାବଙ୍ଗ-ଆମାନାରା ବ୍ରିଜ ଧୋଇନେଇଛି । ଏବେ ୩ ଗ୍ରାମପଞ୍ଚାୟତକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇପଡ଼ିଛି । ନୂଆପଡ଼ାର ୩ ପଞ୍ଚାୟତ ସହ ପଡୋଶୀ ରାଜ୍ୟ ଛତିଶଗଡକୁ ମିଶାଇ ୨୫ ହଜାର ଲୋକ ପ୍ରଭାବିତ ହେଉଥିବା ଜଣାପଡିଛି ।
ସେହିପରି ଢେଙ୍କାନାଳ ଜିଲ୍ଲାରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳୁଛି । ତୁହାକୁ ତୁହା ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି । ଏଭଳି ସ୍ଥିତିରେ କଟକରୁ ସମ୍ବଲପୁରକୁ ଯୋଡୁଥିବା ୫୫ ନମ୍ବର ଜାତୀୟ ରାଜପଥ ଦୁର୍ଦ୍ଦଶା ବଢ଼ିବାରେ ଲାଗିଛି । ଜାତୀୟ ରାଜପଥରେ ୨ ଫୁଟ୍ ଉଚ୍ଚର ବର୍ଷା ଜଳ ଲହଡି ମାରୁଛି । ଅନୁରୁପ ଭାବେ ବାଲେଶ୍ୱର ଜିଲ୍ଲା ରେମୁଣା ବ୍ଲକର କଳା ମାଟିଆ ସାହି ଅଞ୍ଚଳରେ କୋଷ୍ଟ କେନାଲ ଉପରେ ନିର୍ମାଣ ହୋଇଥିବା ଏକ ସେତୁ ଲଗାଣ ବର୍ଷାରେ ଭୁଶୁଡି ପଡ଼ିଛି । ଲଗାଣ ବର୍ଷାରେ ସେତୁଟି ଭୁଶୁଡି ଯିବା ଯୋଗୁଁ ଯାତାୟତରେ ଅସୁବିଧା ହେଉଥିବା ଦେଖିବାକୁ ମିଳିଛି ।
ସୂଚନାଯୋଗ୍ୟ, ଜାରି ଲଘୁଚାପର ପ୍ରକୋପ ନ ସରୁଣୁ ପଛକୁ ପଛ ୨ ଲଘୁଚାପ ଆସୁଛି । ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଥିବା ଲଘୁଚାପ ଯୋଗୁଁ ଓଡ଼ିଶା ସମେତ ପଡ଼ୋଶୀ ରାଜ୍ୟଗୁଡ଼ିକରେ ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା ରହିଛି । ଏହାଦ୍ୱାରା ରାଜ୍ୟର ପ୍ରମୁଖ ନଦୀଗୁଡ଼ିକରେ ବନ୍ୟା ଆଶଙ୍କା ସୃଷ୍ଟି ହୋଇଛି । ବର୍ତ୍ତମାନର ଲଘୁ·ପର ସର୍ବାଧିକ ପ୍ରକୋପ ଦକ୍ଷିଣ ଓଡ଼ିଶାରେ ପଡ଼ିଛି । ମାଲକାନଗିରି ସମେତ ନବରଙ୍ଗପୁର, ରାୟଗଡ଼ା ଓ ଗଜପତି ଜିଲ୍ଲାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ବହୁ ରାସ୍ତାରେ ପାଣି ଚାଲୁଥିବାବେଳେ ବିଲବାଡ଼ି ଜଳାର୍ଣ୍ଣବ ହୋଇଛି । ୩୨୬ ନଂ ଜାତୀୟ ରାଜପଥରେ ପାଣି ଚାଲୁଥିବାବେଳେ ମାଲକାନଗିରି-ମୋଟୁ ମଧ୍ୟରେ ଯାତାୟାତ ବିଚ୍ଛିନ୍ନ ହୋଇଯାଇଛି । ପାଣିପାଗ କେନ୍ଦ୍ରର ବୈଜ୍ଞାନିକ ଉମାଶଙ୍କର ଦାସଙ୍କ ସୂଚନା ଅନୁଯାୟୀ, ଗତ ୩ ଦିନ ହେବ ମହାନଦୀର ଉପରମୁଣ୍ଡ ଛତିଶଗଡ଼ରେ ବର୍ଷା ହେଉଥିବାବେଳେ ଏବେ ସେଠାରେ ବର୍ଷାର ପ୍ରକୋପ ଆହୁରି ବୃଦ୍ଧି ହେବ । ତେଣୁ ହୀରାକୁଦକୁ ସେଠାରୁ ପ୍ରବଳ ପାଣି ଆସିବାକୁ ଥିବାରୁ ମହାନଦୀରେ ବନ୍ୟା ଆଶଙ୍କାକୁ ଏଡ଼ାଇ ଦିଆଯାଇପାରିବ ନାହିଁ । ସେହିପରି ଜଳସମ୍ପଦ ବିଭାଗ ମଧ୍ୟ ବିଭିନ୍ନ ନଦୀରେ ଜଳସ୍ତର ବୃଦ୍ଧି ହେଉଥିବା ନେଇ ରିପୋର୍ଟ ଦେଇଛି । ମହାନଦୀରେ ଜଳସ୍ତର ବଢୁଥିବାବେଳେ ବଂଶଧାରା ନଦୀ କାଶୀନଗରଠାରେ ସତର୍କ ସଙ୍କେତ ଉପରେ ପ୍ରବାହିତ ହେଉଛି । ବୁଢ଼ାବଳଙ୍ଗ ଓ ଜଳକା ନଦୀରେ ମଧ୍ୟ ଜଳସ୍ତର ବୃଦ୍ଧି ପାଉଛି ବୋଲି ଜଳସମ୍ପଦ ବିଭାଗ ସୂଚନା ଦେଇଛି ।
ବର୍ଷା ପ୍ରଭାବରେ ମଙ୍ଗଳବାର ବିଳମ୍ବିତ ରାତିରେ ଲକ୍ଷ୍ମୀଡୁଙ୍ଗୁରି ପାହାଡ଼ରୁ ପଥର ଧସି ରାସ୍ତା ଉପରେ ପଡ଼ିଛି । ଫଳସ୍ୱରୂପ ସମ୍ବଲପୁର-ବୁର୍ଲା ୫୩ ନମ୍ବର ଜାତୀୟ ରାଜପଥରେ ଯାନବାହନ ଚଳାଚଳ ପ୍ରଭାବିତ ହୋଇଛି । ପଥର ଧସିବା ସମୟରେ ଯାନବାହନ ଚଳାଚଳ ବନ୍ଦ ଥିବାରୁ କିଛି କ୍ଷୟକ୍ଷତି ଘଟି ନାହିଁ ।
ଜାତୀୟ ରାଜପଥ କର୍ତ୍ତୃପକ୍ଷ ମହାନଦୀ ବ୍ରିଜ୍ ନିକଟରେ ରାସ୍ତାର ଗୋଟିଏ ପାଶ୍ୱର୍ ବ୍ୟାରିକେଟ୍ କରି ବନ୍ଦ କରିଦେଇଥିବାରୁ ବରଗଡ଼ ଓ କୋଲକତାକୁ ଯାନବାହନ ଚଳାଚଳରେ ପ୍ରତିବନ୍ଧକ ସୃଷ୍ଟି ହୋଇଛି । ଲଘୁଚାପ ପ୍ରଭାବରେ ମୌସୁମୀ ସକ୍ରୀୟ ଥିବାରୁ ଦୁଇଦିନ ହେଲା ଜିଲ୍ଲାରେ ବର୍ଷା ଲାଗି ରହିଛି । ପ୍ରବଳ ବର୍ଷା ହେଉଥିବାରୁ ଲକ୍ଷ୍ମୀଡ଼ୁଙ୍ଗରୀ ପାହାଡ଼ରୁ ଖୁବ୍ ଜୋର୍ରେ ପାଣି ତଳକୁ ବହୁଛି ଓ ଯେ କୌଣସି ସମୟରେ ପୁଣି ପଥର ଧସିବା ଆଶଙ୍କା କରାଯାଉଛି । ବର୍ଷା ଲାଗି ରହିଥିବାରୁ ମରାମତି ସମ୍ଭବ ହୋଇପାରି ନାହିଁ । ତେଣୁ ରାସ୍ତାରେ ଯାତାୟାତ ନ କରିବାକୁ ପରାମର୍ଶ ଦିଆଯାଇଛି । ଏଥିସହ ରାସ୍ତାର ଫାଳେ ବନ୍ଦ କରାଯାଇଥିବାରୁ ଟ୍ରାଫିକ ସମାସ୍ୟା ସୃଷ୍ଟି ହୋଇଛି ।
ଲକ୍ଷ୍ମୀଡୁଙ୍ଗୁରୀରୁ ପଥର ଓ ମାଟି ଧସିବା ଏହା ପ୍ରଥମ ଘଟଣା ନୁହେଁ । ପୂର୍ବରୁ ମଧ୍ୟ ପାହାଡ଼ ଧସିଥିଲା । ଜାତୀୟ ରାଜପଥକୁ ଲାଗି ଟ୍ରେନ ଲାଇନ୍ ଯାଇଛି । ତେଣୁ ରେଳ ପଥ ଓ ସଡ଼କ ପଥ ପାଇଁ ବିପଦ ଆଶଙ୍କା ରହିଛି । ଏହି ପରିପ୍ରେକ୍ଷୀରେ ସ୍ଥାୟୀ ବ୍ୟବସ୍ଥା କରିବାକୁ ବିଭାଗୀୟ କର୍ତ୍ତୃପକ୍ଷଙ୍କ ନିକଟରେ ଦାବି କରାଯାଇଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *