୨ଠ୧୪ରେ ଆସିଥିଲେ, ୨ଠ୨୪ରେ ରହିବେ ତ?
ମୋଦିଙ୍କୁ ନୀତିଶଙ୍କ ଚାଲେଞ୍ଜ୍
ପାଟନା (ଏଜେନ୍ସି): ଘଟଣାଚକ୍ର ଆଳରେ ବୁଧବାର ବିହାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି ଜେଡିୟୁ ସୁପ୍ରିମୋ ନୀତିଶ କୁମାର । ଏସବୁ ମଧ୍ୟରେ ନୀତିଶ, ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସିଧାସଳଖ ଚ୍ୟାଲେଞ୍ଜ୍ କରିବା ଦେଖିବାକୁ ମିଳିଛି ।
ବୁଧବାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପରେ ପରେ ନୀତିଶଙ୍କୁ ଗଣମାଧ୍ୟମ ପ୍ରତିନିଧିମାନେ ଅନେକ ପ୍ରସଙ୍ଗରେ ପ୍ରଶ୍ନ କରିଥିଲେ । ଏପରିକି ୨ଠ୨୪ରେ ହେବାକୁ ଥିବା ସାଧାରଣ ବା ଲୋକସଭା ନିର୍ବାଚନରେ ବିଜେପିର ନରେନ୍ଦ୍ର ମୋଦିଙ୍କ ବିପକ୍ଷରେ ବିରୋଧୀ ମେଣ୍ଟ ପକ୍ଷରୁ ସେ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ହେବେ କି ବୋଲି ମଧ୍ୟ ପ୍ରଶ୍ନ କରାଯାଇଥିଲା । ତେବେ ଚତୁର ନୀତିଶ ଏହି ପ୍ରଶ୍ନର ସିଧାସଳଖ ଉତ୍ତର ଦେଇନଥିଲେ ମଧ୍ୟ ଏନେଇ ସଂକେତ ଦେଇଛନ୍ତି । ସେ କହିଛନ୍ତି, ୨ଠ୧୪ରେ ଆସିଥିବା ବ୍ୟକ୍ତି, ୨ଠ୨୪ରେ ରହିବେ କି? ଏହାର ଗ୍ୟାରେଣ୍ଟି କାହା ପାଖରେ ନାହିଁ । କିନ୍ତୁ ଗୋଟିଏ କଥା ସତ ଯେ, ମୋଦି ଆଉ ଦେଶର ପ୍ରଧାନମନ୍ତ୍ରୀ ହେଉନାହାନ୍ତି ।
ବିହାରରେ ଏନ୍ଡିଏରୁ ବାହାରି ଆରଜେଡି ଏବଂ କଂଗ୍ରେସ ସହ ହାତ ମିଳାଇବା ପରିପ୍ରେକ୍ଷୀରେ ନୀତିଶ କୁମାରଙ୍କୁ ୨ଠ୨୪ ଲୋକସଭା ନିର୍ବାଚନରେ ବିରୋଧୀ ମେଣ୍ଟ ପକ୍ଷରୁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ କରାଯିବା ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ଏପରିକି ତାଙ୍କୁ କଂଗ୍ରେସ ନେତୃତ୍ୱାଧୀନ ୟୁପିଏର ସଂଯୋଜକ ଦାୟିତ୍ୱ ମଧ୍ୟ ମିଳିବ ବୋଲି କୁହାଯାଉଛି । ଅନ୍ୟପକ୍ଷେ ନୀତିଶ ମଧ୍ୟ ମୁଖ୍ୟମନ୍ତ୍ରୀ ଭାବେ ଶପଥଗ୍ରହଣ କରିବା ପରେ ପରେ ଏବେ ଦେଶର ଅଣବିଜେପି ଦଳଗୁଡ଼ିକ ଏକଜୁଟ୍ ହେବାକୁ ଆହ୍ୱାନ କରିସାରିଛନ୍ତି । ଏସବୁ ସହ ବ୍ୟକ୍ତିଗତସ୍ତରରେ ନୀତିଶଙ୍କର ଏକ ନିର୍ମଳ ତଥା ସ୍ୱଚ୍ଛ ଭାବମୂର୍ତ୍ତି ମଧ୍ୟ ରହିଛି । ଯାହାକି ବିଜେପି ବିରୋଧରେ ଏକ ପ୍ରମୁଖ ଢ଼ାଲ ହୋଇପାରେ ବୋଲି ବିରୋଧୀ ଭାବୁଛନ୍ତି । ଦେଶବାସୀ ନୀତିଶଙ୍କ ସାଧୁତା ଏବଂ କର୍ତ୍ତବ୍ୟ ପରାୟଣତା ତଥା ନିଷ୍ଠା ଉପରେ ବିଶ୍ୱାସ କରିବେ ବୋଲି ସମସ୍ତ ରାଜନୈତିକ ଦଳ ବିଶ୍ୱାସ କରୁଛନ୍ତି ।