ତୁମୁସିଙ୍ଗା-କାମାକ୍ଷାନଗର ଯୋଗାଯୋଗ ବିଛିନ୍ନ
ଧୋଇଗଲା ଆପ୍ରୋଚ ରୋଡ୍
ପରଜଙ୍ଗ (ଆପ୍ର): ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ କନ୍ଦରସିଂହା ଭାଲୁମୁଣ୍ଡା ଛକଠାରୁ କୁମୁସି ସାଆନ୍ଦା ଦେଇ ଯାଇଥିବା ଆଲୁଅଝରଣ ପୂର୍ତ୍ତ ବିଭାଗ ରାସ୍ତାର ତୁମୁସିଙ୍ଗା ଗ୍ରାମ ନିକଟରେ ଦିର୍ଘ ଦିନ ଧରି ନୂତନ ପୋଲ ନିର୍ମାଣ କାର୍ଯ୍ୟ ଚାଲିଛି । ପୋଲ ନିର୍ମାଣଧିନ ଯୋଗୁଁ ଲୋକଙ୍କ ଯାତାୟତ ସୁବିଧା ପାଇଁ ଏହି ପୋଲ ନିକଟରେ ଅସ୍ଥାୟୀ ମାଟି ମୋରମରେ ଆପ୍ରୋଚ ରାସ୍ତା କରାଯାଇଥିଲା ।
ନାଳରୁ ପାଣି ନିଷ୍କାସନ ହେବା ପାଇଁ ନିର୍ମାଣଧୀନ ପୋଲ ନିକଟରେ ସିମେଣ୍ଟ ପୋଲ ନଳାତଳେ ପକାଇ ଉପରେ ମାଟି ମୋରମ ଦେଇ ଆପ୍ରୋଚ ରାସ୍ତା କରାଯାଇଥିଲା । ବର୍ତ୍ତମାନ ଲଘୁଚାପ ଜନିତ ଲଗାଣ ବର୍ଷାରେ ପୋଲର ଉପର ମୁଣ୍ଡରୁ ପ୍ରଖର ପାଣି ଏହି ପୋଲ ନାଳରେ ଆସିବା ଦ୍ୱାରା ମାଟି ମୋରମ ରାସ୍ତାଟି ଧୋଇ ନେଇଥିବା ଦୃଶ୍ୟ ଦେଖିବାକୁ ମିଳିଛି । ଯାହାକି ଏହାର ପ୍ରଭାବରେ ଜନଜୀବନ ପ୍ରଭାବିତ ହେବା ସାଙ୍ଗକୁ ଉଭୟ ପାଶ୍ୱର୍ରୁ ଯାନବାହାନ ଯାତାୟତ ସମ୍ପୂର୍ଣ୍ଣ ଠପ ହୋଇଯାଇଛି । ଏତଦ ବ୍ୟତିତ ପୋଲର ତଳଭାଗରେ ରହିଥିବା ଚାଷଜମି ସବୁ ଜଳମଗ୍ନ ହୋଇ ଯାଇଥିବା ଦୃଶ୍ୟ ଦେଖିବାକୁ ମିଳିଛି । ପରଜଙ୍ଗ ଦିଗରୁ କଟକ ଭୁବନେଶ୍ୱର ଯାଉଥିବା ଯାତ୍ରୀବାହୀ ବସ୍ ସବୁ ଏହି ବାଟରେ ନଯାଇ କାମାକ୍ଷାନଗର ଦେଇ ଯାତାୟତ କରିଛନ୍ତି । ଆପ୍ରୋଚ ରାସ୍ତା ମରାମତି ପାଇଁ ବିଭାଗୀୟ ପକ୍ଷରୁ ଆପ୍ରାଣ ଉଦ୍ୟମ ଜାରି ରଖିଥିବା ଜଣାପଡିଛି । ଏ ସଂକ୍ରାନ୍ତରେ ଅଧୀକ୍ଷକ ଯନ୍ତ୍ରୀ ମନୋରଞ୍ଜନ ବିଶ୍ୱାଳ କୁହନ୍ତି ଯେ ବିଚ୍ଛିନ୍ନ ହୋଇଥିବା ଆପ୍ରୋଚ୍ ରୋଡକୁ ୧ ରୁ ୨ ଘଣ୍ଟା ମଧ୍ୟରେ ପୂନର୍ବାର ସଂଯୋଗ କରିବା ପାଇଁ ନିଦେ୍ର୍ଦଶ ଦେଇଛନ୍ତି ।