ଗଞ୍ଜେଇ ଯାଞ୍ଚ ବେଳେ ୨୩ ସୁନା ବିସ୍କୁଟ ଜବତ

ବ୍ରହ୍ମପୁର, ୧୦ା୮ (ବୁ୍ୟରୋ): ସ୍ଥାନୀୟ ଲାଞ୍ଜିପଲ୍ଲୀ ବାଇପାସ୍ ନିକଟରେ ଅବକାରୀ ଗୁଇନ୍ଦା ବିଭାଗ ପକ୍ଷରୁ ଚୋରାରେ ଚାଲାଣ ହେଉଥିବା ଗଞ୍ଜେଇ ଧରିବା ନିମିତ୍ତ ବ୍ଲକିଂ କରାଯାଇ ଯାଞ୍ଚ ଚାଲିଥିବା ସମୟରେ ଏକ ବୃହତ୍ ଚୋରାସୁନା ବ୍ୟବସାୟୀ ଗ୍ୟାଙ୍ଗର ପର୍ଦ୍ଦାଫାସ୍ ହୋଇଛି । ଏକ ଗାଡିରୁ ପରିବା ବ୍ୟାଗ୍ରେ ଥିବା ୧କୋଟି ୨୧ଲକ୍ଷ ୯୭ହଜାର ୫୦୦ଟଙ୍କା ଜବତ କରାଯାଇଛି । ଉକ୍ତ ଗାଡ଼ିରେ ଥିବା ମହାରାଷ୍ଟ୍ର ସାଙ୍ଗିଲି ଜିଲ୍ଲାର ଦଶରଥ ସାହୁକାର (୩୫)ଙ୍କ ସୂଚନାକ୍ରମେ ବ୍ରହ୍ମପୁର ବଡ଼ବଜାରସ୍ଥିତ ଏକ ଗହଣା ଦୋକାନରେ ଚଢ଼ଉ କରାଯାଇ ୨୩ ଖଣ୍ଡ (୨.୨କେଜି) ସୁନା ବିସ୍କୁଟ ଜବତ କରାଯାଇଛି । ବିପୁଳ ସଂଖ୍ୟକ ସୁନା ବିସ୍କୁଟ, ଟଙ୍କା ଇତ୍ୟାଦି ଜବତ ହେବା ବ୍ରହ୍ମପୁର ପୁଲିସ ଇତିହାସରେ ପ୍ରଥମ ବୋଲି ଆଲୋଚନା ହେଉଛି । ଆୟକର ବିଭାଗ ସହାୟତାରେ ପୁଲିସ ଘଟଣାର ତଦନ୍ତ କରୁଥିବା ସୂଚନା ମିଳିଛି ।
ଗଞ୍ଜେଇ ଚୋରା ଚାଲାଣ ରୋକିବା ପାଇଁ ଅବକାରୀ ଗୁଇନ୍ଦା ବିଭାଗ ପକ୍ଷରୁ ଯାଞ୍ଚ ଚାଲିଥିବା ସମୟରେ ଏକ ଗାଡ଼କୁ ସନେ୍ଦହରେ ଅଟକା ଯାଇ ଟଙ୍କା ଭର୍ତ୍ତି ବ୍ୟାଗ୍ ମିଳିଥିଲା । ଅବକାରୀ ଅଧିକାରୀ ଏତେ ଟଙ୍କା ଦେଖି ତାଜୁବ ହୋଇଯାଇଥିଲେ ଓ ତତ୍କ୍ଷଣାତ ବ୍ରହ୍ମପୁର ଏସ୍ପି ଡ. ଶ୍ରବଣା ବିବେକ ଏମ୍ଙ୍କୁ ଜଣାଇଥିଲେ ।
ଏସ୍ପିଙ୍କ ନିଦେ୍ର୍ଦଶରେ ବୈଦ୍ୟନାଥପୁର ଥାନା ପୁଲିସ୍ ଏବଂ ଏସ୍ଡିପିଓ ବିଷ୍ଣୁପ୍ରସାଦ ପତି ଘଟଣାସ୍ଥଳରେ ପହଞ୍ଚି ଟଙ୍କା ଜବତ କରିବା ସହିତ ଗାଡିରେ ଥିବା ଦଶରଥଙ୍କୁ ଥାନାକୁ ଆଣି ପଚରାଉଚରା କରିଥିଲେ । ସେ ବଡବଜାରରେ ଥିବା ଆନନ୍ଦ ଜୁଏଲର୍ସର ମାଲିକ ଆନନ୍ଦ ସୁବୁଦ୍ଧି (୬୦)ଙ୍କୁ ୨୩ ସୁନା ବିସ୍କୁଟ୍ ଦେଇ ଏହି ଟଙ୍କା ଆଣିଥିବା କହିଥିଲେ । ପୁଲିସ୍ ଟିମ୍ ଆନନ୍ଦଙ୍କୁ ଥାନାକୁ ଆଣି ପଚରାଉଚରା କରିବା ସହିତ ସୁନା ବିସ୍କୁଟଗୁଡ଼ିକର ନଥିପତ୍ର, ବିଲ୍ ଇତ୍ୟାଦି ମାଗିଥିଲେ । କିନ୍ତୁ ଆନନ୍ଦ କିଛି ଦେଖାଇ ନ ପାରିବାରୁ ପୁଲିସ ଟିମ୍ ଆନନ୍ଦ ଜୁଏଲର୍ସ ଉପରେ ଚଢ଼ଉ କରି ସୁନା ବିସ୍କୁଟଗୁଡ଼ିକୁ ଜବତ କରିଥିଲେ । ଦଶରଥ ଓ ଆନନ୍ଦଙ୍କୁ ଅଟକ ରଖାଯାଇଛି । ଆୟକର ବିଭାଗ ଅଧିକାରୀଙ୍କ ସହାୟତାରେ ତଦନ୍ତ ଚାଲିଥିବା ଏସ୍ପି କହିଛନ୍ତି ।
ଅନ୍ୟପକ୍ଷରେ ଅଟକ ୨ଜଣଠାରୁ ପୁଲିସ କେତେ ତଥ୍ୟ ପାଉଛି ଓ ଆୟକର ବିଭାଗ ଏମାନଙ୍କ ବିରୁଦ୍ଧରେ କି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି ତାହା ଦେଖିବାକୁ ବାକି ରହିଲା ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *