ବିମାନ କମ୍ପାନୀଙ୍କୁ ଯାତ୍ରୀ ଭଡ଼ା ନିର୍ଦ୍ଧାରଣ କ୍ଷମତା
ନୂଆଦିଲ୍ଲୀ (ଏଜେନ୍ସି): ଆଗାମୀ ଦିନରେ ଦେଶରେ ବିମାନ ଯାତ୍ରା ମହଙ୍ଗା ହେବାକୁ ଯାଉଛି । କେନ୍ଦ୍ର ସରକାର ଏଣିକି ଏୟାରଲାଇନ୍ସ କମ୍ପାନୀଗୁଡ଼ିକୁ ଯାତ୍ରା ମୂଲ୍ୟ ନିର୍ଦ୍ଧାରଣ କ୍ଷମତା ହସ୍ତାନ୍ତର କରିବାକୁ ଯୋଜନା କରୁଛନ୍ତି । ଏପରି ହେଲେ ବିମାନ ଯାତ୍ରା ପାଇଁ ଲାଗୁ କରାଯାଉଥିବା ଦେୟ ଅର୍ଥ ପୁନର୍ବାର ଅନିୟନ୍ତ୍ରିତ ହୋଇପଡିବ । ସିଧାସଳଖ କହିଲେ, ସରକାର ଏହା ଉପରୁ ନିଜ କର୍ତ୍ତୃତ୍ୱ ପ୍ରତ୍ୟାହାର କରିନେବା ପରେ ପରେ ଏୟାରଲାଇନ୍ସ କମ୍ପାନୀଗୁଡ଼ିକ ନିଜ ହିସାବରେ ବିମାନ ଯାତ୍ରା ପାଇଁ ମୂଲ୍ୟ ନିର୍ଦ୍ଧାରଣ କରିବେ । ପ୍ରକାଶ, କରୋନା ମହାମାରୀଜନିତ ସଂକ୍ରମଣକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ୨ଠ୨ଠ ମେ’ ମାସରେ ଘରୋଇ ଉଡାଣ ପାଇଁ ବିମାନ ଭଡାର ସୀମା ନିର୍ଦ୍ଧାରଣ କରିଥିଲେ । ତେବେ ବର୍ତ୍ତମାନ ସମୟରେ ଏହାକୁ ଫେରାଇ ନେବା ପାଇଁ ସରକାର ସ୍ଥିର କରିଛନ୍ତି । ତେବେ ୨ଠ୨୨ ଅଗଷ୍ଟ ୩୧ରୁ ପୁନର୍ବାର ବିମାନ ଯାତ୍ରା ମୂଲ୍ୟ ନିର୍ଦ୍ଧାରଣ କ୍ଷମତା ଏୟାରଲାଇନ୍ସ କମ୍ପାନୀଙ୍କ ହାତକୁ ଚାଲିଯିବ ।
ବୁଧବାର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ଏସମ୍ପର୍କରେ ସୂଚନା ଦେଇଛନ୍ତି । ସିନ୍ଧିଆଙ୍କ କହିବାନୁସାରେ ଘରୋଇ ଉଡାଣର ଭଡ଼ା ଉପରେ ଥିବା ସୀମାକୁ ହଟାଇବାର ନିଷ୍ପତ୍ତି ନିଆଯାଇଛି । ବିମାନର ଇନ୍ଧନ ମୂଲ୍ୟ ଏବଂ ଏହାର ପ୍ରତିଦିନର ଚାହିଦାର ସମୀକ୍ଷା କରାଯିବା ପରେ ଏହି ନିଷ୍ପତ୍ତି ନିଆଯାଇଛି ବୋଲି ସେ ଟ୍ୱିିଟ୍ କରି ସୂଚନା ଦେଇଛନ୍ତି । ଏହାସହ ସେ କହିଛନ୍ତି, ଉଦ୍ୟୋଗକୁ ସ୍ଥିରତା ଫେରିଛି ଏବଂ ଭବିଷ୍ୟତରେ ଘରୋଇ ଏୟାର ଟ୍ରାଫିକରେ ଉଲ୍ଲେଖନୀୟ ବୃଦ୍ଧି ଘଟିବ ବୋଲି ଆଶା କରାଯାଉଛି ।