ଦିବ୍ୟାଙ୍ଗଙ୍କୁ ମାଡ଼ମାରି ପାଦ ଚଟାଇଲେ

ନିଶା ନିବାରଣ କେନ୍ଦ୍ରରେ ଅମାନବିକତା
ବାରିପଦା (ଆପ୍ର): ନିଶାଶକ୍ତ ବ୍ୟକ୍ତିମାନଙ୍କୁ ସ୍ୱାଭାବିକ କରିବା ନିମିତ୍ତ ପରିବାର ଲୋକେ ନିଶା ନିବାରଣ କେନ୍ଦ୍ରରେ ଭର୍ତ୍ତି କରୁଛନ୍ତି । ନିଶା କବଳରୁ ମୁକ୍ତି ପାଇ ଉତ୍ତମ ନାଗରିକଭାବେ ଜିଇଁବା ପାଇଁ ନିଶାଶକ୍ତମାନଙ୍କୁ ନିଶା ନିବାରଣ କେନ୍ଦ୍ରକୁ ପଠାଯାଉଛି । କିନ୍ତୁ କେତେକ କେନ୍ଦ୍ରରେ ଯେଭଳି ଅନ୍ତେବାସୀମାନଙ୍କୁ ଯେପରି ନିର୍ଯାତନା ଦିଆଯାଉଛି ତାହା ପରବାର ଲୋକଙ୍କ ଉଦ୍ବେଗର କାରଣ ହେଉଛି । ଏଭଳି ଏକ ଅମାନବିକ ଘଟଣା ବାରିପଦା ସହରସ୍ଥିତ ଏକ ନିଶା ନିବାରଣ କେନ୍ଦ୍ରରେ ଘଟିଛି । ଜଣେ ଦିବ୍ୟାଙ୍ଗ ଅନ୍ତେବାସୀଙ୍କୁ ଅମାନୁଷିକ ନିିର୍ଯାତନା ସହ ପାଦ ଚଟାଇବା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଏହି ଘଟଣାରେ ପୁଲିସ ନିଶା ନିବାରଣ କେନ୍ଦ୍ରର ମାଲିକ ଅବନୀ ପତୀ ଓ ତାଙ୍କ ପୂର୍ବତନ ସହଯୋଗୀ ପିତାବାସ ରାଉଳ (କାଳିଆ) ଙ୍କୁ ଗିରଫ କରିବା ସହିତ ସେମାନଙ୍କ ବିରୋଧରେ ମାମଲା ରୁଜୁକରି ତଦନ୍ତ ଚଳାଇଛି ।
ବାରିପଦା ସହରରେ ବିନା ସ୍ୱୀକୃତିରେ ଅବନୀ କୁମାର ପତି ପ୍ରତିଜ୍ଞା ନାମକ ଏକ ନିଶାନିବାରଣ କେନ୍ଦ୍ର ଚଳାଇ ଆସୁଛନ୍ତି । କିଛି ମାସ ପୂର୍ବେ ଉକ୍ତ କେନ୍ଦ୍ରରେ ବାଲେଶ୍ୱର ଜିଲ୍ଲାର ରାଜା ପଣ୍ଡା ନାମକ ଜଣେ ଦିବ୍ୟାଙ୍ଗ ଯୁବକଙ୍କୁ ରଖାଯାଇଥିଲା । ଅବନୀ ଓ ତାଙ୍କ ସହଯୋଗୀ ଉକ୍ତ ଦିବ୍ୟାଙ୍କଙ୍କୁ ମାଡ଼ ମାରିବା ସହିତ ପାଦ ଚଟାଉଥିବା ଭାଇରାଲ ହୋଇଥିବା ଭିଡିଓ ଫଡ଼ୁଟେଜ୍ରୁ ଜଣାପଡ଼ିଛି । ଏହି ଘଟଣା ପରେ ବାରପଦା ଟାଉନ ପୁଲିସ ଅବନୀଙ୍କୁ ଗିରଫ କରି ତାଙ୍କ ବିରୋଧରେ କେଶ ନଂ- ୬୬୯/୨୨, ଆଇପିସି ୩୪୧, ୩୨୩, ୩୨୪, ୩୦୭, ୩୪ ଧାରାରେ ମାମଲା ରୁଜୁ କରି ଅଧିକ ତଥ୍ୟ ହାସଲ ପାଇଁ ଉଦ୍ୟମ ଚଳାିଛି ।
ଏଥିସହିତ ପୀତବାସ ରାଉଳଙ୍କୁ କରଞ୍ଜିଆ ପୁଲିସ ସହାୟତାରେ ଗିରଫ କରାଯାଇଛି । ଗୁରୁବାର ଉଭୟଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ବାରିପଦା ଉପଖଣ୍ଡ ପୁଲିସ ଅଧିକାରୀ କେକେ ହରିପ୍ରସାଦ ସୂଚନା ଦେଇଛନ୍ତି । ଭାଇରାଲ ହୋଇଥିବା ଭିଡିଓ ଏକ ବର୍ଷ ତଳର ବୋଲି ଅବନୀ ପ୍ରକାଶ କରିଛନ୍ତି ।
ସୂଚନାଯୋଗ୍ୟ, ପୀତବାସ ରାଉଳ ମଧ୍ୟ ପ୍ରତିଜ୍ଞା ନିଶା ନିବାରଣ କେନ୍ଦ୍ରର ଅନ୍ତେବାସୀ ଥିଲେ । ନିଶାରୁ ମୁକ୍ତି ପାଇବା ପରେ ସେ ଅବନୀଙ୍କୁ କାମରେ ସହଯୋଗ କରି ତାଙ୍କ ଘନିଷ୍ଠ ହୋଇଥିଲେ । କିନ୍ତୁ କୌଣସି କାରଣରୁ ଦୁହିଁଙ୍କ ମଧ୍ୟରେ ବଚସା ହେବାରୁ ପୀତବାସ କରଞ୍ଜିଆରେ ପରିବର୍ତ୍ତନ ନାମକ ଆଉ ଏକ ନିଶା ନିବାରଣ କେନ୍ଦ୍ର ଖୋଲିଛନ୍ତି । ଏଥିପାଇଁ ଦୁହିଁଙ୍କ ମଧ୍ୟରେ ଅନେକ ସମୟରେ ବିବାଦ ହୋଇଛି । କିଛି ଦିନ ପୂର୍ବେ ନିଶାସେବନ କରି ଗାଡି ଚାଳନା ପାଇଁ ଏହି ନିଶା ନିବାରଣ କେନ୍ଦ୍ରର ମାଲିକ ଓ ତାଙ୍କ ସହଯୋଗୀ ବାଙ୍ଗିରିପୋଷି ଅଞ୍ଚଳରେ ପୁଲିସ ହାତରେ ଧରା ପଡିଥିବା ଖବର ‘ସର୍ବସାଧାରଣ’ରେ ପ୍ରକାଶିତ ହୋଇଥିଲା । ଗଣମାଧ୍ୟମରେ ଖବର ପ୍ରସାରଣ ପରେ ବାରିପଦା ଟାଉନ ଥାନାଧିକାରୀ ବିରେନ୍ଦ୍ର କୁମାର ସେନାପତିଙ୍କ ନେତୃତ୍ୱରେ ଏକ ଟିମ୍ ପ୍ରତିଜ୍ଞା ଅନ୍ତେବାସୀଙ୍କୁ ପଚରାଉଚରା କରୁଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *