ମାଫିଆଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ କୋହଳ
ବେଆଇନ ଭାବେ ଗଚ୍ଛିତ ବାଲି ଜବତ
ଛତ୍ରପୁର (ଆପ୍ର): ଛତ୍ରପୁର ତହସିଲ ଅଧୀନ ନରେନ୍ଦ୍ରପୁର ରାଜସ୍ୱ ସର୍କଲ ରଘୁନାଥପୁର ମୌଜାର ଏକ ପରିତ୍ୟକ୍ତ ସ୍ଥାନରେ ବେଆଇନ ଭାବେ ଗଚ୍ଛିତ ଥିବା ବିପୁଳ ପରିମାଣର ବାଲିକୁ ଛତ୍ରପୁର ଉପଜିଲ୍ଲାପାଳ ପ୍ରସନ୍ନ କୁମାର ପାତ୍ରଙ୍କ ନିଦେ୍ର୍ଦଶ କ୍ରମେ ଛତ୍ରପୁୂର ତହସିଲଦାର ପ୍ରକାଶ ଚନ୍ଦ୍ର ମିଶ୍ର, ନରେନ୍ଦ୍ରପୁର ରାଜସ୍ୱ ନିରୀକ୍ଷକ ଅଧିକାରୀ ଏନ୍.ରାଜୁ ଗତ ସପ୍ତାହରେ ଜବତ କରିଥିଲେ । ଏହି ଘଟଣାରେ ସମ୍ପୃକ୍ତ ମାଫିଆଙ୍କୁ ଜରିମାନା ପାଇଁ ନୋଟିସ୍ କରାଯାଇଛି । ମାତ୍ର ଏପର୍ଯ୍ୟନ୍ତ ଜରିମାନା ଆଦାୟ ହୋଇ ପାରି ନ ଥିବାବେଳେ ବାଲିକୁ ଅନ୍ୟତ୍ର ସ୍ଥାନାନ୍ତର ଓ ବିକ୍ରି ପାଇଁ ଯୋଜନା ଚାଲିଥିବା ଜଣାପଡ଼ିଛି । ଉକ୍ତ ସ୍ଥାନରେ ପ୍ରାୟ ୨୦୦ ଟ୍ରିପ୍ରୁ ଊଦ୍ଧ୍ୱର୍ ବାଲି ଗଚ୍ଛିତ ଥିବା ଅନୁମାନ କରାଯାଉଛି । ଜବତ ବାଲିକୁ ରଙ୍ଗ ବାନା ଦ୍ୱାରା ସିଲ୍ କରାଯାଇ ନ ଥିବା ଅଭିଯୋଗ ହୋଇଛି । ତହସିଲ ପ୍ରଶାସନର ଢିଲା କାର୍ଯର୍୍ୟାନୁଷ୍ଠାନ ଯୋଗୁଁ ବାଲି ମାଫିଆଙ୍କ ଖାତିର ନାହିଁ । ଏତେ ପରିମାଣର ବାଲି କେଉଁଠୁ ଓ କେଉଁ ସୈରାତ ଉତ୍ସରୁ ଆସୁଛି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ବାଲି ଚାଲାଣ କରି ବେଆଇନ ଭାବେ ଗଚ୍ଛିତ କରି ଚଢ଼ା ଦରରେ ବିକ୍ରି କରି ମାଫିଆମାନେ ମାଲେମାଲ ହେଉଥିବାବେଳେ ସରକାର ଅନେକ ରାଜସ୍ୱ କ୍ଷତି ସହୁଛନ୍ତି । ବାଲି ମାଫିଆଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ସାଧାରଣରେ ଦାବି ଜୋର ଧରୁଛି ।