ଭାରତୀୟ ସଟ୍ଲର୍ଙ୍କୁ କଠିନ ଡ୍ର’

ବିଡବ୍ଲୁ୍ୟଏଫ୍ ବିଶ୍ୱ ଚାମ୍ପିଅନ୍ସିପ୍ସ
ନୂଆଦିଲ୍ଲୀ, ୧୦ା୮ (ଏଜେନ୍ସି): ଅଗଷ୍ଟ ୨୨ରୁ ୨୮ ଯାଏଁ ଟୋକିଓରେ ହେବାକୁ ଥିବା ବିଡବ୍ଲୁ୍ୟଏଫ୍ ବିଶ୍ୱ ଚାମ୍ପିଅନ୍ସିପ୍ସରେ ଭାରତୀୟ ସଟ୍ଲର୍ ବର୍ମିଂହାମ୍ ରାଜ୍ୟଗୋଷ୍ଠୀ କ୍ରୀଡ଼ାର ସଫଳତାକୁ ଦୋହରାଇବା ଲକ୍ଷ୍ୟ ନେଇ କୋର୍ଟକୁ ଓହ୍ଲାଇବେ । ତେବେ ଏହି ମେଗା ଇଭେଣ୍ଟରେ ଭାରତୀୟଙ୍କୁ କଠିନ ଡ୍ର’ ମିଳିଛି ।
ବୁଧବାର ଚାମ୍ପିଅନ୍ସିପ୍ସ ପାଇଁ ଡ୍ର’ ଘୋଷଣା କରାଯାଇଥିଲା । ୨୦୧୯ ବିଶ୍ୱ ବିଜୟିନୀ ପିଭି ସିନ୍ଧୁ ପୂର୍ବ ସଂସ୍କରଣର ନୈରାଶ୍ୟଜନକ ପ୍ରଦର୍ଶନରେ ସୁଧାର ଆଣିବାକୁ ଚାହିଁବେ । ବିଶ୍ୱର ସାତ ନମ୍ବର ଖେଳାଳି ପ୍ରଥମ ରାଉଣ୍ଡରେ ବାଇ ପାଇଛନ୍ତି ଏବଂ ସେ ଡ୍ର’ର ଶୀର୍ଷ ଅଦେ୍ର୍ଧକରେ ଅଛନ୍ତି । ସିନ୍ଧୁ ଦ୍ୱିତୀୟ ଓ ତୃତୀୟ ରାଉଣ୍ଡରେ ଯଥାକ୍ରମେ ଦୁଇ ଚୀନା ଖେଳାଳି ହାନ୍ ୟୁଇ ଓ ୱାଙ୍ଗ୍ ଝି ୟି’ଙ୍କୁ ହରାଇବେ ବୋଲି ଆଶା କରାଯାଉଛି । ଏହାପରେ ସେ ଦକ୍ଷିଣ କୋରିଆରେ ଆନ୍ ସେ ୟଙ୍ଗ୍ଙ୍କୁ ଭେଟିପାରନ୍ତି । ସପ୍ତମ ସିଡ୍ ଭାରତୀୟ ଏହି ତୃତୀୟ ସିଡ୍ ଯୁବ ଖେଳାଳିଙ୍କ ବିପକ୍ଷରେ ପାଞ୍ଚ ମ୍ୟାଚ୍ ଖେଳିଥିଲେହେଁ ଥରେ ହେଲେ ବି ଜିତିପାରି ନାହାନ୍ତି ।
ଡ୍ର’ର ନିମ୍ନ ଅଦେ୍ର୍ଧକରେ ଥିବା ସାଇନା ନେହୱାଲ୍ ହଂକଂର ଚିଉଙ୍ଗ୍ ଏନ୍ଜାନ୍ ୟି’ଙ୍କ ବିପକ୍ଷରେ ଅଭିଯାନ ଆରମ୍ଭ କରିବେ । ଯଦି ସେ ଚିଉଙ୍ଗ୍ଙ୍କୁ ହରାନ୍ତି, ତା’ହେଲେ ପରବର୍ତ୍ତୀ ରାଉଣ୍ଡରେ ଷଷ୍ଠ ସିଡ୍ ଜାପାନର ନୋଜୋମୀ ଓକୁହାରାଙ୍କୁ ଭେଟିବେ । ଅନ୍ୟତମ ଭାରତୀୟ ମହିଳା ଖେଳାଳି ମାଳବିକା ବନସୋଦ ନିଜ ପ୍ରଥମ ମ୍ୟାଚ୍ରେ ଡେନ୍ମାର୍କର ଲିନେ ଖ୍ରୀଷ୍ଟୋଫରସେନ୍ଙ୍କୁ ଭେଟିବେ ।
ଚାରି ଜଣ ଭାରତୀୟ ପୁରୁଷ ଖେଳାଳି ଏକକ ବର୍ଗ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି । ସେଥି ମଧ୍ୟରୁ ତିନି ଜଣ – ଲକ୍ଷ୍ୟ ସେନ୍, କିଦାମ୍ବୀ ଶ୍ରୀକାନ୍ତ ଓ ଏଚ୍ଏସ୍ ପ୍ରଣୟ ଗୋଟିଏ ପଟରେ ଥିବା ବେଳେ ସାଇ ପ୍ରଣୀତ ଡ୍ର’ର ଶୀର୍ଷ ଅଦେ୍ର୍ଧକରେ ଅଛନ୍ତି ।
୨୦୨୧ରେ କାଂସ୍ୟ ପଦକ ପାଇଥିବା ଲକ୍ଷ୍ୟ ପ୍ରଥମ ରାଉଣ୍ଡରେ ଡେନ୍ମାର୍କର ହନ୍ସ-କ୍ରିଷ୍ଟିଆନ୍ ସୋଲବର୍ଗ ଭିଟ୍ଟିଙ୍ଗସ୍ଙ୍କ ଆହ୍ୱାନର ସମ୍ମୁଖୀନ ହୋଇପାରନ୍ତି । ପ୍ରଣୟ ଦ୍ୱିତୀୟ ସିଡ୍ ଜାପାନର କେଣ୍ଟୋ ମୋମୋତାଙ୍କ ଭେଟିପାରନ୍ତି । ଏହି ବାଧା ଅତିକ୍ରମ କଲେ, ସେ ପ୍ରି-କ୍ୱାର୍ଟର୍ଫାଇନାଲ୍ରେ ଲକ୍ଷ୍ୟଙ୍କୁ ଭେଟିବାର ସମ୍ଭାବନା ଅଛି ।
ପୁରୁଷ ଯୁଗଳ ବିଶେଷଜ୍ଞ ସାତ୍ତ୍ୱିକ ସାଇରାଜ ରାଙ୍କିରେଡ୍ଡୀ ଓ ଚିରାଗ ସେଟ୍ଟି ପ୍ରଥମ ରାଉଣ୍ଡରେ ବାଇ ପାଇଛନ୍ତି ଏବଂ ତାଙ୍କୁ ଦ୍ୱିତୀୟ ରାଉଣ୍ଡରେ ସହଜ ପ୍ରତିଦ୍ୱନ୍ଦ୍ୱୀ ମିଳିଛନ୍ତି । ତେବେ ପ୍ରି-କ୍ୱାର୍ଟରରେ ସେ ମାଲେସିଆର ଗୋହ ଭି’ ଶେମ୍ ଓ ତାନ୍ ୱି କିଓଙ୍ଗ୍ଙ୍କ ଠାରୁ ବଡ଼ ଆହ୍ୱାନର ସମ୍ମୁଖୀନ ହୋଇପାରନ୍ତି । ଚାରି ଭାରତୀୟ ମହିଳା ଯୁଗଳ ଯୋଡ଼ି ଓ ଦୁଇ ମିଶ୍ରିତ ଯୋଡ଼ି ମଧ୍ୟ ବିଶ୍ୱ ଚାମ୍ପିଅନ୍ସିପ୍ସ ପାଇଁ ଯୋଗ୍ୟତା ହାସଲ କରିଛନ୍ତି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *