ବିହାରରେ ବ୍ରେକ୍ଅପ୍
ପାଟନା, ୯ା୮: ବିହାରରେ ରାଷ୍ଟ୍ରୀୟ ଗଣତାନ୍ତ୍ରିକ ମେଣ୍ଟ (ଏନ୍ଡିଏ) ମଙ୍ଗଳବାର ଭାଙ୍ଗିଯାଇଛି ଏବଂ ତା ସହିତ ନୀତୀଶ କୁମାରଙ୍କ ଜେଡିୟୁ ତେଜସ୍ୱୀ ଯାଦବଙ୍କ ରାଷ୍ଟ୍ରୀୟ ଜନତା ଦଳ (ଆର୍ଜେଡି) ନେତୃତ୍ୱାଧୀନ ‘ମହା ଗଠବନ୍ଧନ’ରେ ସାମିଲ ହୋଇଛି । ବୁଧବାର ଅପରାହ୍ନ ୨ଟାବେଳେ ନୀତୀଶ କୁମାର ପୁଣି ଥରେ ମୁଖ୍ୟମନ୍ତ୍ରୀ ରୂପେ ଶପଥ ନେବେ । ତାଙ୍କ ସହ ତେଜସ୍ୱୀ ଯାଦବ ଉପମୁଖ୍ୟମନ୍ତ୍ରୀ ରୂପେ ଶପଥ ନେବା ସମ୍ଭାବନା ନେବା ସୂଚନା ମିଳିଛି । ସୂତ୍ର ଅନୁଯାୟୀ ନୂଆ ସରକାର ଗଠନ ପୂର୍ବରୁ ତେଜସ୍ୱୀ ଗୃହ ମନ୍ତ୍ରଣାଳୟ ମାଗିଛନ୍ତି । ଏପର୍ଯ୍ୟନ୍ତ ଏହା ନୀତୀଶଙ୍କ ପାଖରେ ରହି ଆସିଛି । ଆର୍ଜେଡି ମଧ୍ୟ ବିଧାନସଭାର ବାଚସ୍ପତି ପଦ ଦାବି କରିଛି ।
ନୀତୀଶ ରାଜ୍ୟପାଳଙ୍କୁ ୧୬୪ ବିଧାୟକଙ୍କ ସମର୍ଥନ ଥିବା ଚିଠି ହସ୍ତାନ୍ତର କରିଛନ୍ତି । ନୂଆ ସରକାରରେ ଆର୍ଜେଡିର ୭୯, କଂଗ୍ରେସର ୧୯, ବାମଦଳର ୧୬ ଓ ଜିତନରାମ ମାଁଝୀଙ୍କ ହମ୍ ପାର୍ଟିର ୪ ବିଧାୟକ ସାମିଲ ହେବେ । ଏହା ସହିତ ଜଣେ ସ୍ୱାଧୀନ ବିଧାୟକ ସମର୍ଥନ ଦେବେ ବୋଲି ନୀତୀଶ ଦାବି କରିଛନ୍ତି । ଫଳତଃ ଏବେ ବିରୋଧୀ ପକ୍ଷରେ ରହିବେ ବିଜେପିର ୭୭ ଏବଂ ଜଣେ ସ୍ୱାଧୀନ ବିଧାୟକ । ଏନ୍ଡିଏ ମେଣ୍ଟରୁ ଓହରିଯିବା ଘୋଷଣା କରିବା ପରଠାରୁ ନୀତୀଶ କୁମାର ଫ୍ଲୋର ଷ୍ଟେଟ୍ ପାଇଁ ପ୍ରସ୍ତୁତି ଜାରି ରଖିଛନ୍ତି । ଜେଡିୟୁର ସବୁ ବିଧାୟକଙ୍କୁ ଆଗାମୀ ୩ ଦିନ ପାଟନାରେ ଉପସ୍ଥିତ ରହିବା ଲାଗି ନିଦେ୍ର୍ଦଶ ଦିଆଯାଇଛି ।
ନୂଆ ସରକାରକୁ ସମର୍ଥନ ଦେବା ଲାଗି ନୀତୀଶ କୁମାର କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଓ ରାହୁଲ ଗାନ୍ଧୀଙ୍କୁ ବୁଧବାର ପାଟନା ଆସିବା ଲାଗି ଅନୁରୋଧ କରିଛନ୍ତି । ମଙ୍ଗଳବାର ସୋନିଆ ଓ ରାହୁଲଙ୍କ ସହ ନୀତୀଶ ଫୋନ୍ ମାଧ୍ୟମରେ କଥା ହୋଇଛନ୍ତି ।
ମଙ୍ଗଳବାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ରାଜ୍ୟପାଳ ଫାଗୁ ଚୌହ୍ୱାନଙ୍କୁ ଦୁଇ ଥର ଭେଟିଛନ୍ତି । ପ୍ରଥମେ ସେ ରାଜ୍ୟପାଳଙ୍କୁ ନିଜ ଇସ୍ତଫା ପତ୍ର ଦେବାକୁ ଯାଇଥିଲେ ଏବଂ ରାଜ୍ୟପାଳଙ୍କୁ କହିଥିଲେ ଯେ ଦଳର ସବୁ ସାଂସଦ ଓ ବିଧାୟକଙ୍କ ନିଷ୍ପତ୍ତି କ୍ରମେ ସେ ଏପରି ପଦକ୍ଷେପ ନେଇଛନ୍ତି । ରାଜଭବନରୁ ଫେରି ନୀତୀଶ ପୂର୍ବତନ ମୁଖ୍ୟମନ୍ତ୍ରୀ ରାବଡୀ ଦେବୀଙ୍କ ବାସଭବନକୁ ଯାଇ ଆର୍ଜେଡି ନେତା ତେଜସ୍ୱୀ ଯାଦବଙ୍କ ସହ ଆଲୋଚନା କରିବା ପରେ ପୁନର୍ବାର ରାଜ୍ୟପାଳଙ୍କୁ ଭେଟିବା ଲାଗି ଆସିଥିଲେ । ତାଙ୍କ ସହ ଥିଲେ ତେଜସ୍ୱୀ ଯାଦବ । ରାବଡି ଦେବୀଙ୍କ ବାସଭବନରେ ଆର୍ଜେଡି ସହିତ କଂଗ୍ରେସର ବିଧାୟକମାନେ ମଧ୍ୟ ଉପସ୍ଥିତ ଥିଲେ । ଆର୍ଜେଡି ବିଧାୟକ ଦଳର ନେତା ତେଜସ୍ୱୀ ଯାଦବ ୧୧୫ ବିଧାୟକଙ୍କ ସମର୍ଥନ ଥିବା ଚିଠି ନୀତୀଶ କୁମାରଙ୍କୁ ଦେଇଥିଲେ । ସେଥିରେ ନୀତୀଶଙ୍କ ନେତୃତ୍ୱରେ ସରକାର ଗଠନ କଥା ଉଲ୍ଲେଖ ଥିଲା ।
ଜେଡିୟୁ ବିଧାୟକ ଦଳ ବୈଠକରେ ନୀତୀଶ କୁମାର କହିଥିଲେ ଯେ, ବିଜେପି ତାଙ୍କୁ ଅପମାନିତ କରିଆସିଛି । ତା’ସହିତ ଦଳ ଭାଙ୍ଗିବା ପାଇଁ ଷଡଯନ୍ତ୍ର ଚାଲିଥିଲା । ଏ ଦିଗରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ଦଳର ପୂର୍ବତନ ଅଧ୍ୟକ୍ଷ ଆର୍ସିପି ସିଂହଙ୍କୁ ଉପଯୋଗ କରାଯାଉଥିଲା ।
ମିଡିଆ ରିପୋର୍ଟ ଅନୁଯାୟୀ, ଆର୍ଜେଡି ମୁଖିଆ ଲାଲୁପ୍ରସାଦ ଯାଦବ ଓ ନୀତୀଶ କୁମାରଙ୍କ ମଧ୍ୟରେ କ୍ଷମତା ବଣ୍ଟର ଫର୍ମୁଲା ପ୍ରସ୍ତୁତ ହୋଇଥିଲା ।
ବିହାର ବିଧାନସଭା ପାଇଁ ୨୦୨୦ରେ ହୋଇଥିବା ନିର୍ବାଚନରେ ନୀତୀଶଙ୍କ ଦଳ ଜେଡିୟୁ ୫୦ ଆସନରେ ଜିତିଥିଲା । ବିଜେପିକୁ ମିଳିଥିଲା ୭୭ ଆସନ । କମ୍ ଆସନ ପାଇବା ସତ୍ତ୍ୱେ ବିଜେପି ନୀତୀଶଙ୍କୁ ମୁଖ୍ୟମନ୍ତ୍ରୀ କରାଇବା ସହ ରାଜ୍ୟର ଶାସନଭାର ଅର୍ପଣ କରିଥିଲା । ଏବେ ନୀତୀଶ ଜନାଦେଶକୁ ଧୋକ୍କା ଦେଲେ ବୋଲି ଅଭିଯୋଗ କରି ବିହାର ବିଜେପି ଅଧ୍ୟକ୍ଷ ସଞ୍ଜୟ ଜୟସ୍ୱାଲ କହିଛନ୍ତି, ୨୦୦୫ ପୂର୍ବରୁ ଆର୍ଜେଡି ଶାସନ କାଳରେ ବିହାରର ଯେଉଁ ସ୍ଥିତି ଥିଲା, ନୀତୀଶ ପୁଣି ସେହି ବିାହର ଗଢ଼ିବାକୁ ବାହାରିଛନ୍ତି । ୨୦୨୫ ବିଧାନସଭା ନିର୍ବାଚନରେ ବିହାରବାସୀ ନୀତୀଶଙ୍କୁ ସବକ ଅବଶ୍ୟ ଶିଖାଇବେ ।