ରାହୁଳଙ୍କ ନେତୃତ୍ୱକୁ ସ୍ୱୀକୃତି

୨ଠ୨୪ରେ ନୀତୀଶ ହେବେ ନାହିଁ ବିରୋଧୀଙ୍କ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ: କଂଗ୍ରେସ ନେତାଙ୍କ ଖୁଲାସା
ପାଟନା,୯ ।୮: ବିହାର ରାଜନୀତିରେ ଯେଉଁ ‘ଖେଳ’ ହୋଇଗଲା, ତା’ଦ୍ୱାରା ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ପୁର୍ନବାର ‘ପିଏମ୍ ମ୍ୟାଟେରିଆଲ’ ହୋଇଛନ୍ତି ବୋଲି ତାଙ୍କ ଦଳ ଜେଡିୟୁରେ ଚର୍ଚ୍ଚା ଚାଲିଛି । କିନ୍ତୁ ଏ ପ୍ରକାର ଆକଳନରେ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି ବିହାର ପ୍ରଦେଶ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ଅନୀଲ ଶର୍ମା । ସେ ଟ୍ୱିଟ୍ କରି ନୀତୀଶଙ୍କୁ କଂଗ୍ରେସର ସମର୍ଥନର ନେପଥ୍ୟ କଥା ପ୍ରଘଟ କରିଛନ୍ତି ।
ନୀତୀଶ କୁମାର ମଙ୍ଗଳବାର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ଏବଂ ଆରଜେଡି ସହ ମିଶି ନୂଆ ସରକାର ଗଠନ ଦାବି କରିବା ପରେ ରାଜନୀତି ମହଲରେ ଚର୍ଚ୍ଚା ଆରମ୍ଭ ହୋଇଯାଇଥିଲା ଯେ, ୨୦୨୪ରେ ବିରୋଧୀ ଦଳର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ହେବା ଲକ୍ଷରଖି ନୀତୀଶ ଏଭଳି ପଦକ୍ଷେପ ନେଇଛନ୍ତି । ଉପେନ୍ଦ୍ର କୁଶୱାହ ଏହି ମର୍ମରେ ଏକ ଟ୍ୱିଟ୍ ମଧ୍ୟ କରିଛନ୍ତି । କିନ୍ତୁ ଏସବୁ ମଧ୍ୟରେ କଂଗ୍ରେସ ୨୦୨୪ ସାଧାରଣ ନିର୍ବାଚନକୁ ନେଇ ନିଜ ଆଭିମୁଖ୍ୟ ସ୍ପଷ୍ଟ କରିଦେଇଛି । ବିହାରରେ ଶାସନ କ୍ଷମତା ସମ୍ବନ୍ଧୀୟ ଯେଉଁ ନୂଆ ସମୀକରଣ ହେବାକୁ ଯାଉଛି, ତଦନୁଯାୟୀ ଜେଡିୟୁ, ଆରଜେଡି ଓ କଂଗ୍ରେସ ଏକାଠି ମିଶି ସରକାର ଗଢ଼ିବେ । ତେବେ କଂଗ୍ରେସ ନେତା ଅନୀଲ ଶର୍ମା ସ୍ପଷ୍ଟ କରିଦେଇଛନ୍ତି ଯେ, ଆଗାମୀ ଲୋକସଭା ନିର୍ବାଚନରେ ବିରୋଧୀ ଦଳମାନେ ରାହୁଳ ଗାନ୍ଧୀଙ୍କ ନେତୃତ୍ୱରେହିଁ ଲଢ଼ିବେ । ଅର୍ଥାତ୍ ରାହୁଳ ହେବେ ବିରୋଧୀଙ୍କ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ।
ଅନୀଲ ଶର୍ମା ତାଙ୍କ ଟ୍ୱିଟ୍ରେ ଲେଖିଛନ୍ତି, ଜେଡିୟୁ ବିହାରରେ ଏନ୍ଡିଏ ଛାଡ଼ି ମହାଗଠବନ୍ଧନ ସହ ରହିବା ଦ୍ୱାରା ଗୋଟେ ଦୃଷ୍ଟିରୁ ୨୦୨୪ରେ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ କେନ୍ଦ୍ରରେ ସରକାର ଗଠନ ସମ୍ଭାବନାକୁ ପ୍ରଭାବିତ କରିଛନ୍ତି । ଅନ୍ୟପକ୍ଷରେ କଂଗ୍ରେସ ନେତା ରାହୁଳ ଗାନ୍ଧୀଙ୍କ ନେତୃତ୍ୱରେ ସରକାର ଗଠନର ରାସ୍ତାକୁ ପ୍ରଶସ୍ତ କରିଦେଇଛନ୍ତି ।
ରାଜନୈତିକ ମହଲରେ ଚର୍ଚ୍ଚା ଜୋର୍ ଧରିଛି ଯେ, ମହାମେଣ୍ଟ ପାଇଁ ଯେଉଁ ଡିଲ୍ ହୋଇଛି ସେହି ଅନୁଯାୟୀ ନୀତୀଶ କୁମାର ୮/୧୦ ମାସ ପର୍ଯ୍ୟନ୍ତ ବିହାରର ମୁଖ୍ୟମନ୍ତ୍ରୀ ରହିବେ । ତା’ପରେ ସେ ୨୦୨୪ରେ ହେବାକୁ ଥିବା ଲୋକସଭା ନିର୍ବାଚନ ପାଇଁ ବିରୋଧୀଙ୍କ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ହେବେ । କିନ୍ତୁ ଅନୀଲ ଶର୍ମାଙ୍କ ଟ୍ୱିଟ୍ରେ ଏଭଳି ଅଟକଳର ଅନ୍ତ ଘଟିବାକୁ ଯାଉଛି ।
ଉଲ୍ଲେଖଯୋଗ୍ୟ ଯେ କିଛିଦିନ ପୂର୍ବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହା ଘୋଷଣା କରିଥିଲେ ୨୦୨୪ ଲୋକସଭା ନିର୍ବାଚନରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱରେ ଏନ୍ଡିଏ ଲଢ଼ିବ । ବିରୋଧୀ ଦଳମାନେ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ନେଇ ଏପର୍ଯ୍ୟନ୍ତ ଏକମତ ହୋଇପାରି ନାହାନ୍ତି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *