ଓପନ୍ରେ ଇଣ୍ଡିଆ ‘ବି’ ଓ ମହିଳାରେ ଇଣ୍ଡିଆ ‘ଏ’କୁ କାଂସ୍ୟ

ମାମଲାପୁରମ୍, ୯ା୮ (ଏଜେନ୍ସି): ଇଣ୍ଡିଆ ‘ବି’ ଟିମ୍ ୪୪ତମ ଚେସ୍ ଅଲିମ୍ପିଆଡ୍ରେ ମଙ୍ଗଳବାର ଓପନ୍ ବର୍ଗରେ କାଂସ୍ୟ ପଦକ ଜିତିଥିବା ବେଳେ ଇଣ୍ଡିଆ ‘ଏ’ ମହିଳା ଟିମ୍ ମଧ୍ୟ ତୃତୀୟ ସ୍ଥାନ ହାସଲ କରିଛି ।
ଇଣ୍ଡିଆ ‘ବି’ ତା’ର ଫାଇନାଲ୍ ରାଉଣ୍ଡରେ ଜର୍ମାନୀକୁ ୩-୧ରେ ପରାସ୍ତ କରି ତୃତୀୟ ସ୍ଥାନରେ ରହିଥିଲା । ଉଜବେକିସ୍ତାନ ନେଦରଲାଣ୍ଡ୍ସ ବିପକ୍ଷ ଶେଷ ମୁକାବିଲାରେ ୨-୧ରେ ବିଜୟ ହାସଲ କରି ସ୍ୱର୍ଣ୍ଣ ପଦକ ଜିତିଥିଲା । ଶକ୍ତିଶାଳୀ ଆର୍ମେନିଆ ଟିମ୍ ଶେଷ ରାଉଣ୍ଡରେ ସ୍ପେନ୍କୁ ୨.୫-୧.୫ରେ ହରାଇ ଦ୍ୱିତୀୟ ସ୍ଥାନରେ ରହିଥିଲା ।
ଉଜବେକିସ୍ତାନ ଶେଷ ରାଉଣ୍ଡରେ ନେଦରଲାଣ୍ଡ୍ସକୁ ହରାଇ ଅପରାଜେୟ ରହିଥିଲା । ଏହି ଟିମ୍ ୧୯ ପଏଣ୍ଟ ପାଇଥିଲା । ଇଣ୍ଡିଆ ‘ବି’ ଟିମ୍କୁ ମୋଟ୍ ୧୮ ପଏଣ୍ଟ ମିଳିଥିଲା । ଅଲିମ୍ପିଆଡ୍ରେ ଏହା ଭାରତର ଦ୍ୱିତୀୟ କାଂସ୍ୟ ପଦକ ଥିଲା । ୨୦୧୪ ସଂସ୍କରଣରେ ଭାରତୀୟ ଟିମ୍ ତୃତୀୟ ସ୍ଥାନରେ ରହିଥିଲା ।
ଅଭିଜ୍ଞ ବି. ଅଧିବନ ମଧ୍ୟ ୨୦୧୪ରେ ଭାରତୀୟ ଟିମ୍ର ଅଂଶବିଶେଷ ଥିଲେ । ତେବେ ଡି. ଗୁକେଶ, ଆର୍. ପ୍ରଜ୍ଞାନନ୍ଦ, ନିହାଲ୍ ସରିନ୍ ଓ ରୌନକ ସାଧୱାନୀ ପାଇଁ ଏହା ପ୍ରଥମ ପଦକ ଥିଲା । ଗୁକେଶ ଜର୍ମାନୀର ଭିନ୍ସେଣ୍ଟ କେମେରଙ୍କ ସହ ବାଜି ଡ୍ର’ ରଖିଥିବା ବେଳେ ନିହାଲ, ମାଥିଆସ୍ ବ୍ଲୁବଉମ୍ଙ୍କୁ ହରାଇଥିଲା । ପ୍ରଜ୍ଞାନନ୍ଦ, ରାସ୍ମସ୍ ସଭନେଙ୍କ ସହ ପଏଣ୍ଟ ଭାଗ କରିଥିଲେ । ରୌନକ ପ୍ରତିପକ୍ଷର ଲିଭିଉ-ଡିଟର ନିସ୍ପାଏନୁକୁ ମାତ୍ ଦେଇଥିଲେ ।
ଓପନ୍ ବର୍ଗରେ ଇଣ୍ଡିଆ ‘ଏ’ ଶେଷ ରାଉଣ୍ଡରେ ଆମେରିକା ବିପକ୍ଷ ବାଜିକୁ ୨-୨ରେ ଡ୍ର’ ରଖିଥିଲା । ସେହିପରି ଇଣ୍ଡିଆ ‘ସି’ କାଜାଖସ୍ତାନ ବିପକ୍ଷ ବାଜିକୁ ୨-୨ରେ ଅମୀମାଂସିତ ରଖିଥିଲା ।
ମହିଳା ବର୍ଗରେ ଟପ୍ ସିଡ୍ ଇଣ୍ଡିଆ ‘ଏ’ ଟିମ୍ ୧୧ତମ ତଥା ଶେଷ ରାଉଣ୍ଡରେ ଆମେରିକା ଠାରୁ ୧-୩ରେ ହାରିଯିବା ଫଳରେ ତା’ର ସ୍ୱର୍ଣ୍ଣ ଆଶା ଧୂଳିସାତ୍ ହୋଇଯାଇଥିଲା । କୋନେରୁ ହମ୍ପିଙ୍କ ଟିମ୍ ତୃତୀୟ ସ୍ଥାନରେ ରହିଥିଲା । ହମ୍ପି ଓ ଆର୍. ବୈଶାଳୀ ବାଜି ଡ୍ର’ ରଖିଥିବା ବେଳେ ତାନିଆ ସଚଦେବ ଓ ଭକ୍ତି କୁଲକର୍ଣ୍ଣି ପରାଜିତ ହୋଇଥିଲେ ।
ଯୁଦ୍ଧତ୍ରସ୍ତ ୟୁକ୍ରେନ୍ ମହିଳା ଇଭେଣ୍ଟରେ ଜର୍ଜିଆକୁ ପଛରେ ପକାଇ ସ୍ୱର୍ଣ୍ଣିମ ସଫଳତା ପାଇଥିଲା । ଏହି ବର୍ଗରେ ଇଣ୍ଡିଆ ‘ବି’ ନିଜ ଶେଷ ରାଉଣ୍ଡରେ କାଜାଖସ୍ତାନ ଠାରୁ ୧.୫-୨.୫ରେ ହାରି ଯାଇଥିବା ବେଳେ ଇଣ୍ଡିଆ ‘ବି’ ଟିମ୍ ସ୍ଲୋଭାକିଆ ବିପକ୍ଷ ବାଜିକୁ ୨-୨ରେ ଅମୀମାଂସିତ ରଖିଥିଲା ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *