୪ଖଣ୍ଡ ଗାଁକୁ ଯୋଗାଯୋଗ ବିଚ୍ଛିନ୍ନ
ହରଭଙ୍ଗିର ଜଳସ୍ତର ବୃଦ୍ଧି
ମୋହନା (ଆପ୍ର): ଲଘୁଚାପ ଜନିତ ଲଗାଣ ବର୍ଷାରେ ଗଜପତି ଜିଲ୍ଲା ମୋହନା ନିକଟରେ ଥିବା ହରଭଙ୍ଗି ନଦୀର ଜଳସ୍ତର ବୃଦ୍ଧି ପାଇଛି । ଫଳରେ ମୋହନାକୁ ସଂଲଗ୍ନ କରୁଥିବା ବାଢ଼େଇପୁର ଗାଁ ସମେତ ଗୁଣ୍ଡିରିଗୁଡା, ଧନୁପଙ୍କ ଓ ନୂଆସାହି ଗାଁକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି । ଗତ ସୋମବାରଠାରୁ ବର୍ଷାର ପରିମାଣ ବୃଦ୍ଧି ପାଇବା ଯୋଗୁ ଜଳସ୍ତର ବୃଦ୍ଧି ପାଇଛି । ଫଳରେ ନଦୀ ସେପଟେ ରହୁଥିବା ୪ଖଣ୍ଡ ଗାଁ ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇଯାଇଛି । ଯୋଗାଯୋଗ ବିଚ୍ଛିନ୍ନ ଯୋଗୁ ଗୁରୁତର ରୋଗୀ ଇସ୍ରାଏଲ ମଣ୍ଡଳକୁ ମେଡିକାଲ୍ ନେଇ ନ ପାରିବାରୁ ଗାଁରେ ଗତ ସୋମବାର ସନ୍ଧ୍ୟାରେ ତାଙ୍କର ମୃତୁ୍ୟ ଘଟିଥିଲା । ଏ ସମ୍ପର୍କରେ ମୋହନା ଭାରପ୍ରାପ୍ତ ବିଡିଓ କିଶୋର ଦାସଙ୍କୁ ପଚାରିବାରେ ସେହି ନଦୀ ଉପରେ ବିଜୁ ସେତୁ ଯୋଜନାରେ ପୋଲ ନିର୍ମାଣ କାର୍ଯ୍ୟ ଚାଲିଛି । କାମ ସରିଲେ ସମସ୍ୟା ଦୂର ହେବ ବୋଲି କହିଛନ୍ତି ।