ଜମିରେ ୨ ଫୁଟ୍ର ପାଣି
ନଦୀ ପୋତିହେବାରୁ ଜଳ ନିଷ୍କାସନରେ ବାଧା
ତିହିଡ଼ି (ଆପ୍ର): ନଦୀ ଓ ନାଳଗୁଡ଼ିକ ସଂସ୍କାର ହେଉ ନ ଥିବାରୁ ଏହା ପୋତି ହୋଇପଡ଼ିବା ଫଳରେ ତିହିଡ଼ି ବ୍ଲକ୍ରେ କୃତି୍ରମ ବନ୍ୟା ସୃଷ୍ଟି ହେଉଛି । ପ୍ରତିବର୍ଷ ବନ୍ୟାରୁ ଏହି ଶିକ୍ଷା ମିଳୁଥିବା ବେଳେ ବିଭାଗୀୟ ଅଧିକାରୀମାନେ ଏଥିପ୍ରତି ଆଦୌ ଦୃଷ୍ଟି ଦେଉନାହାନ୍ତି । ସରକାରଙ୍କର ଆନ୍ତରିକତାର ଅଭାବ ଯୋଗୁ ଚାଷୀମାନେ ନାହିଁ ନ ଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଏହାର ଏକ ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ତିହିଡ଼ି ବ୍ଲକ୍ର ଈଶାଣପୁର, ପାଣିଭଣ୍ଡାର, କୁବେରା ଓ ଇଟାଗଡ଼ି ମୌଜାରେ । ଜଳିଆ ଓ ଚିରିକୁଣି ନଦୀ ପୋତି ହୋଇପଡ଼ିବା ଫଳରେ ଏହି ମୌଜା ଗୁଡ଼ିକରେ ଥିବା ଚାଷ ଜମିରୁ ବର୍ଷାଜଳ ନିଷ୍କାସନ ହୋଇପାରୁନାହିଁ ।
ଗତ ୩ ଦିନ ବର୍ଷା ଫଳରେ ଈଶାଣପୁର ଗ୍ରାମର ଆଗପଛ ପାଖ ଚାଷଜମିରେ ୨ ଫୁଟ ପାଣି ଜମି ରହିଛି । ରାସ୍ତାଘାଟ ମଧ୍ୟ ପାଣିରେ ବୁଡ଼ି ରହିଛି । ଫଳରେ ଧାନତଳି ଓ ରୁଆଧାନ ସଂପୂର୍ଣ୍ଣ ନଷ୍ଟ ହୋଇଯାଇ ପାରେ ବୋଲି ଚାଷୀ ଆଶଙ୍କା କରୁଛି । ଏହି ସମସ୍ୟାର ସମାଧାନ ପାଇଁ କିଛି ବର୍ଷ ତଳେ କୁବେରା କାଳିପଡ଼ିଆରେ କ୍ଷତିଗ୍ରସ୍ତ ଚାଷୀଙ୍କ ଏକ ବୈଠକ ବସିଥିଲା । ମଝିରେ ମଝିରେ ମଧ୍ୟ ଚାଷୀଙ୍କ ବୈଠକ ଓ ଆଲୋଚନା ହେଉଛି । ଫଳ ସ୍ୱରୂପ ଭଦ୍ରକ ଜିଲ୍ଲାପାଳ ଓ ସାଳନ୍ଦୀ କେନାଲ ଡିଭିଜନର ନିର୍ବାହୀ ଯନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କରାଯାଇଥିଲା । କିଛି ବର୍ଷ ତଳେ ତକ୍ରାଳୀନ ଧାମନଗର ବିଧାୟକ ମୁକ୍ତିକାନ୍ତ ମଣ୍ଡଳଙ୍କୁ ସ୍ଥାନୀୟ ଅଞ୍ଚଳବାସୀ ଅବଗତ କରାଇଥିଲେ । ଗଣମାଧ୍ୟମରେ ମଧ୍ୟ ଏହି ସମସ୍ୟା ସ୍ଥାନିତ ହୋଇଆସୁଛି । ହେଲେ ଫଳ ଶୂନ । ଆଜି ପର୍ଯ୍ୟନ୍ତ ଜଳ ନିଷ୍କାସନ ସମସ୍ୟାର ସମାଧାନ ହୋଇପାରିଲା ନାହିଁ ବୋଲି ଅଭିଯୋଗ କରିଛନ୍ତି ସ୍ଥାନୀୟ ଅଞ୍ଚଳର ସମାଜସେବୀ କିଶୋର କୁମାର ପୁହାଣ । ଚାଷ ଓ ଚାଷୀର ସୁରକ୍ଷା ସରକାରଙ୍କର ପ୍ରାଥମିକ ଦାୟିତ୍ୱ ହେବା ଉଚିତ । ବିଭାଗୀୟ ଅଧିକାରୀମାନେ ଏହି ସମସ୍ୟାର ସମାଧାନ ପାଇଁ ତୁରନ୍ତ ଚେଷ୍ଟା କରନ୍ତୁ ବୋଲି ସ୍ଥାନୀୟ ଅଞ୍ଚଳର ଚାଷୀମାନେ ଦାବି କରିଛନ୍ତି ।