ବୁମେରାଂ ହେଲା ନଡ୍ଡାଙ୍କ ମନ୍ତବ୍ୟ

ପାଟନା (ଏଜେନ୍ସି): ବିଜେପି ମହାରାଷ୍ଟ୍ରରେ ଯାହା କରିଥିଲା, ଦଳକୁ ସେସବୁର ଫଳ ବିହାରରେ ମିଳିଯାଇଛି । ମହାରାଷ୍ଟରେ ବିଜେପି ଯେପରି ଶିବସେନା-ଏନ୍ସିପି-କଂଗ୍ରେସ ମେଣ୍ଟ ମହାବିକାଶ ଅଘାଡ଼ି ମେଣ୍ଟ ସରକାରକୁ ଭାଙ୍ଗି ନିଜେ ସରକାର ଗଠନ କରିବାରେ ସଫଳ ହୋଇଥିଲା, ବିହାରରେ ଠିକ୍ ସେହିପରି ଜେଡିୟୁ, ଏନ୍ଡିଏରୁ ବାହାରିଯିବା ଅର୍ଥାତ୍ ମେଣ୍ଟ ସମ୍ପର୍କ ଚ୍ଛିନ୍ନ କରିବା ଫଳରେ ବିଜେପି କ୍ଷମତାଚୁ୍ୟତ ହୋଇଛି । ବିହାରରେ ଏନ୍ଡିଏ ମେଣ୍ଟରୁ ଜେଡ଼ିୟୁ ଓହରିଯିବା ସହ ଜେଡିୟୁ ନେତୃତ୍ୱାଧୀନ ମେଣ୍ଟ ସରକାରର ପତନ ହୋଇଛି । ଜେଡିୟୁ ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନୀତିଶ କୁମାର ନିଜ ପଦରୁ ଇସ୍ତଫା ଦେବା ପରେ ଏନ୍ଡିଏ ସହ ସମ୍ପର୍କ ଚ୍ଛିନ୍ନ ସମ୍ପର୍କରେ ଘୋଷଣା କରିଛନ୍ତି । ଏଥିସହ ସେ ବିରୋଧୀ ଦଳ ଆରଜେଡି ଏବଂ କଂଗ୍ରେସ ସହ ହାତ ମିିଳାଇଛନ୍ତି । ରାଜ୍ୟପାଳ ଫଗୁ ଚୌହାନ୍ଙ୍କୁ ଭେଟି ଇସ୍ତଫା ଦେବା ସହ ସେ ନୂଆ ସରକାର ଗଠନ ପାଇଁ ମଧ୍ୟ ଦାବିପତ୍ର ଉପସ୍ଥାପନ କରିଦେଇଛନ୍ତି । ତାଙ୍କ ପାଖରେ ୭ ଦଳର ୧୬ଠରୁ ଊଦ୍ଧ୍ୱର୍ ବିଧାୟକଙ୍କ ସମର୍ଥନ ରହିଥିବା ସେ ଦାବି କରିବା ସହ ଏମାନଙ୍କ ସ୍ୱାକ୍ଷରଥିବା ପତ୍ରକୁ ମଧ୍ୟ ଦାବିପତ୍ରରେ ସାମିଲ କରିଛନ୍ତି । ତେବେ ଏସବୁ ମଧ୍ୟରେ ନୀତିଶ ଏପରି କାହିଁକି କଲେ ବୋଲି ପ୍ରଶ୍ନ ସମସ୍ତଙ୍କୁ ବିଚଳିତ କରିଦେଇଛି । ରାଜନୈତିକ ବିଶେଷଜ୍ଞଙ୍କ କହିବାନୁସାରେ ନୀତିଶ ଦୀର୍ଘ ଦିନ ଧରି ଏନ୍ଡିଏକୁ ନେଇ ଅସନ୍ତୁଷ୍ଟ ରହିବା ଦେଖିବାକୁ ମିଳିଥିଲା । ଏହାର ମଧ୍ୟ ଅନେକ କାରଣ ରହିଥିବା ବେଳେ ୫ ପ୍ରମୁଖ କାରଣକୁ ଉପସ୍ଥାପିତ କରୁଛୁ ।
୧ମ- ଉଭୟ ଦଳର ସାଂସଦଙ୍କ ସଂଖ୍ୟା ଅନୁପାତ ଆଧାରରେ ଜେଡିୟୁକୁ କେନ୍ଦ୍ରରେ ମନ୍ତ୍ରିପଦ ନମିଳିବା । ସିଧାସଳଖ କହିଲେ କେନ୍ଦ୍ରରେ ସମ୍ପ୍ରତି ବିଜେପି ନେତୃତ୍ୱାଧୀନ ଏନ୍ଡିଏ ସରକାର ରହିଥିବା ବେଳେ ଜେଡିୟୁରୁ କେବଳ ଜଣେ ସାଂସଦଙ୍କୁ କେନ୍ଦ୍ର ମନ୍ତ୍ରିମଣ୍ଡଳରେ ସ୍ଥାନ ମିଳିଛି ଯେତେବେଳେ କି, ବିହାରରୁ ଉଭୟ ବିଜେପି ଏବଂ ଜେଡିୟୁରୁ ସମାନ ସଂଖ୍ୟକ (୧୬ ଲେଖାଏ) ଲୋକସଭା ସାଂସଦ ରହିଛନ୍ତି । ନୀତିଶ ଚାହୁଁଥିଲେ ବିଜେପି, ରାଜ୍ୟ କୋଟା ଆଧାରରେ ନିଜର ଯେତିକି ସଂଖ୍ୟକ ସାଂସଦଙ୍କୁ କେନ୍ଦ୍ର ମନ୍ତ୍ରିମଣ୍ଡଳରେ ସ୍ଥାନ ଦେଉଛି, ଜେଡିୟୁରୁ ମଧ୍ୟ ସମାନ ସଂଖ୍ୟକ ସାଂସଦଙ୍କୁ ସ୍ଥାନ ମିଳୁ । କିନ୍ତୁ ବିଜେପି ଏହା କରିନଥିଲା ।
୨ୟ- ରାଜ୍ୟରେ ଜେଡିୟୁ ସହ ମିଶି ସରକାର ଗଠନ କରିବା ପରେ ଏନ୍ଡିଏ ନିଜ ପାଖରେ ବାଚସ୍ପତି ପଦ ରଖିଥିଲା । ବିଜେପି ନିଜ କୋଟା ଅନ୍ତର୍ଗତ ବିଜୟ କୁମାର ସିହ୍ନାଙ୍କୁ ବାଚସ୍ପତି ଭାବେ ଅବସ୍ଥାପିତ କରିଥିଲା । କିନ୍ତୁ ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଏବଂ ବିଜୟ କୁମାର ସିହ୍ନାଙ୍କ ମଧ୍ୟରେ ସବୁବେଳେ କିଛି ନା କିଛି ବିବାଦ ଲାଗି ରହୁଥିଲା । ଗୃହ ଭିତରେ ଏବଂ ଗୃହ ବାହାରେ ମଧ୍ୟ ଉଭୟଙ୍କ ମଧ୍ୟରେ ବିବାଦ ଦେଖିବାକୁ ମିଳୁଥିଲା ।
୩ୟ- ଗତ କିଛି ମାସ ମଧ୍ୟରେ ଘୋଷଣା ହୋଇଥିବା କେତେକ କେନ୍ଦ୍ରୀୟ ଯୋଜନାକୁ ନେଇ ଖୁସିନଥିଲେ ଜେଡିୟୁ ସୁପ୍ରିମୋ । ବିଶେଷକରି କେନ୍ଦ୍ରର ଅଗ୍ନିପଥ ଯୋଜନା ଘୋଷଣା ହେବା ପରେ ପରେ ବିହାରରେ ହିଂସକ ପ୍ରଦର୍ଶନ କରାଯାଇଥିଲା । ମୁଖ୍ୟମନ୍ତ୍ରୀ ନୀତିଶ କୁମାର ମଧ୍ୟ ଚୁପ୍ ରହିଥିଲେ । ଏହାକୁ ନେଇ ରାଜ୍ୟ ବିଜେପି ଅଧ୍ୟକ୍ଷ ସଞ୍ଜୟ ଜୟସୱାଲ୍, ନୀତିଶଙ୍କୁ ସର୍ବସାଧାରଣରେ ସମାଲୋଚନା କରିଥିଲେ । ଏହାକୁ ନେଇ ଦୁଇ ଦଳ ମଧ୍ୟରେ ତିକ୍ତତାର ସୂତ୍ରପାତ ହୋଇଥିଲା ।
୪ର୍ଥ- କେନ୍ଦ୍ରରେ ଥିବା ବିଜେପି ନେତାମାନେ ୱାନ୍ ନେସନ୍ ୱାନ୍ ଇଲେକ୍ସନ ଏବଂ କମନ୍ ସିଭିଲ୍ କୋଡ୍ ଆଦି ନୀତିକୁ ଦେଶବ୍ୟାପୀ ଲାଗୁ କରିବାକୁ ଚାହୁଁଥିବା ବେଳେ ଜେଡିୟୁ ଏହାକୁ ପ୍ରଥମରୁ ହିଁ ବିରୋଧ କରିଆସୁଛି । ଏନ୍ଡିଏର ପ୍ରାୟ ଅନ୍ୟ ସମସ୍ତ ସହଯୋଗୀ ଦଳଗୁଡ଼ିକ ବାଧ୍ୟବଧକତାରେ ହେଉ କିମ୍ବା ଚାପ ବଶବର୍ତ୍ତୀ ହୋଇ ହେଉ, ବିଜେପିର କେତେକ ନୀତିକୁ ନେଇ ଚୁପ୍ ରହୁଥିବା ବେଳେ ଜେଡିୟୁ କିନ୍ତୁ କେତେକ ନୀତିକୁ ଖୁଲମ୍ଖୁଲ୍ଲା ବିରୋଧ କରିଆସୁଥିଲା । ଏହି କାରଣରୁ ମଧ୍ୟ ବିଜେପି-ଜେଡିୟୁ ସମ୍ପର୍କ ଅନେକାଂଶରେ ପ୍ରଭାବିତ ହେଉଥିଲା ।
୫ମ- ମୁଖ୍ୟମନ୍ତ୍ରୀ ଭାବେ ନୀତିଶ ଚାହୁଁଥିଲେ ତାଙ୍କ ମନ୍ତ୍ରିମଣ୍ଡଳରେ ସାମିଲ ହୋଇଥିବା ବିଜେପି ନେତାଙ୍କ ଉପରେ ମଧ୍ୟ ତାଙ୍କର ସମ୍ପୂର୍ଣ୍ଣ ନିୟନ୍ତ୍ରଣ ରହୁ । କିନ୍ତୁ ସେପରି ହେଉନଥିଲା । ମନ୍ତ୍ରିମଣ୍ଡଳରେ ସ୍ଥାନ ପାଉଥିବା ବିଜେପି ନେତାମାନେ ନିଜ ହିସାବରେ ଏବଂ ନିଜ ଦଳୀୟ ମୁଖ୍ୟଙ୍କ ନିଦେ୍ର୍ଦଶ ଅନୁସାରେ କାମ କରୁଥିଲେ । ସବୁଠୁ ବଡ଼ କଥା ହେଉଛି, ବିଜେପିରୁ କେଉଁ ନେତା ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇବ ସେସମ୍ପର୍କରେ ମଧ୍ୟ ନୀତିଶଙ୍କୁ ପଚରାଯାଉନଥିଲା । ରାଜ୍ୟ ମନ୍ତ୍ରିମଣ୍ଡଳରେ ଦଳର କେଉଁ ନେତା କେଉଁ ପଦ ପାଇବ ସେସମ୍ପର୍କରେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ୍ ଶାହା ନିଷ୍ପତ୍ତି ନେଉଥିଲେ ଯେଉଁ କାରଣରୁ ନୀତିଶ ଅସନ୍ତୁଷ୍ଟ ରହୁଥିଲେ ।
ସୂଚନାଯୋଗ୍ୟ ଗତ ଏକ ମାସ ମଧ୍ୟରେ ପ୍ରାୟ ୪ଥର କେନ୍ଦ୍ରୀୟ ବିଜେପି ନେତାମାନେ ନୀତିଶଙ୍କୁ ଡକାଇଥିଲେ ମଧ୍ୟ ନୀତିଶ ଯାଇନାହାନ୍ତି କିମ୍ବା ସେମାନଙ୍କ ବୈଠକରେ ସାମିଲ ହୋଇନାହାନ୍ତି । ଗତ ୭ତାରିଖରେ ମଧ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ବସିଥିବା ନୀତି ଆୟୋଗ ବୈଠକକୁ ପ୍ରାୟ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ଆସିଥିଲେ ମଧ୍ୟ ତେଲେଙ୍ଗାନା ମୁଖ୍ୟମନ୍ତୀ କେ ଚନ୍ଦ୍ରଶେଖ୍ର ରାଓଙ୍କ ସହ ନୀତିଶ କୁମାର ଆସିନଥିଲେ । ସେହିପରି ଗତ ୨୫ ଜୁଲାଇରେ ଦ୍ରୌପଦୀ ମୁର୍ମୁଙ୍କ ରାଷ୍ଟ୍ରପତିତ୍ୱ ଶପଥ ଗ୍ରହଣ ସମାରୋହକୁ କିମ୍ବା ୨୨ ତାରିଖରେ ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ବିଦାୟ ସମ୍ବର୍ଦ୍ଧନାକୁ ମଧ୍ୟ ନୀତିଶ ଯାଇନଥିଲେ । ୧୭ ଜୁଲାଇରେ ମଧ୍ୟ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ୍ ଶାହାଙ୍କ ନେତୃତ୍ୱରେ ଆୟୋଜିତ ଏକ ମୁଖ୍ୟମନ୍ତ୍ରୀ ସମ୍ମିଳନୀରେ ନୀତିଶ ସାମିଲ ହୋଇନଥିଲେ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *