ଜେଟିପିଙ୍କ ଦୌରାତ୍ମ୍ୟରେ ଶ୍ରଦ୍ଧାଳୁ ଅତିଷ୍ଠ
ପୁରୀ (ବୁ୍ୟରୋ): କୋଟି କୋଟି ଶ୍ରଦ୍ଧାଳୁଙ୍କ ଆରାଧ୍ୟ ଦେବତା ମହାପ୍ରଭୁ ଶ୍ରୀଜଗନ୍ନାଥ । ମହାପ୍ରଭୁଙ୍କୁ ଟିକେ ଦର୍ଶନ ଲାଗି ପ୍ରତ୍ୟେକ ଦିନ ଶ୍ରୀକ୍ଷେତ୍ରକୁ ଛୁଟୁଛି ଅଗଣିତ ଭକ୍ତଙ୍କ ସୁଅ । ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ଠାରୁ ଆରମ୍ଭ କରି ସେମାନଙ୍କୁ ଉତ୍ତମ ବ୍ୟବହାର ପ୍ରଦର୍ଶନ ଲାଗି ସେବାୟତଙ୍କ ଠାରୁ କର୍ମଚାରୀଙ୍କୁ ନିଦେ୍ର୍ଦଶ ରହିଛି । ବାସ୍ତବରେ ଏହି କଟକଣା ଶ୍ରୀମନ୍ଦିର ପରିସରରେ କେତେ କାର୍ଯ୍ୟକାରୀ ହେଉଛି ତାହା ଦେଖିବାକୁ ନାହାନ୍ତି । ଦିନକୁ ଦିନ ଶ୍ରୀମନ୍ଦିର ଚର୍ଚ୍ଚାରେ ରହିଆସୁଛି । ଏପରିକି ଭକ୍ତଙ୍କୁ ସେବାୟତମାନେ ଦୁର୍ବ୍ୟବହାର କରୁଥିବା ନଜିର ରହିଛି । ସେବାୟତମାନଙ୍କ ବ୍ୟବହାର ପରିବର୍ତ୍ତନ ହୋଇଥିବା ବେଳେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ମନ୍ଦିର ପରିସରରେ ନିୟୋଜିତ ହୋଇଥିବା ଜେଟିପିଙ୍କ ଦୌରାତ୍ମ୍ୟ ବଢ଼ିବାରେ ଲାଗିଛି । ଭକ୍ତଙ୍କୁ ସୁରକ୍ଷା ଦେବା ଲାଗି ପ୍ରଶାସନ ପକ୍ଷରୁ ଜେଟିପିମାନଙ୍କୁ ନିୟୋଜିତ କରାଯାଇଥିବା ବେଳେ ସେମାନେ ଏବେ ଭକ୍ତଙ୍କୁ ଦୁର୍ବ୍ୟବହାର କରୁଛନ୍ତି । ଫଳରେ ଜେଟିପିଙ୍କ ଏଭଳି ବ୍ୟବହାରକୁ ନେଇ ଭକ୍ତମାନଙ୍କ ମଧ୍ୟରେ ଆଲୋଚନା ହେଉଛି କ୍ଷେତ ହୋଇ ବାଡ଼ ଖାଉଛନ୍ତି । ଭକ୍ତଙ୍କ ସୁରକ୍ଷା ଓ ସେମାନଙ୍କୁ ଉତ୍ତମ ବ୍ୟବହାର ପ୍ରଦର୍ଶନ ଲାଗି ଜେଟିପିମାନଙ୍କ ଗୁରୁତ୍ୱ ରହିଛି । କିନ୍ତୁ ତାହାର ଓଲଟା ଚିତ୍ର ଦେଖିବାକୁ ମିଳୁଛି ।
ସୂଚନାଯୋଗ୍ୟ ମହାପ୍ରଭୁଙ୍କୁ ଦର୍ଶନ ଲାଗି ଶ୍ରୀମନ୍ଦିରରେ ପ୍ରବଳ ଭକ୍ତଙ୍କ ଭିଡ଼ ହୋଇଥିଲା । ତତ୍ସହିତ ବୋଲବମ୍ ଭକ୍ତଙ୍କ ସମାଗମ ହୋଇଥିଲା । ଏହି ସମୟରେ ମହାପ୍ରଭୁଙ୍କୁ ଟିକେ ଦର୍ଶନ ଲାଗି ଶ୍ରୀମନ୍ଦିର ପରିସରରେ ପ୍ରବଳ ଭିଡ଼ ହୋଇଥିଲା । ଗହିଳକୁ ଦୃଷ୍ଟିରେ ରଖି ଭକ୍ତମାନେ ଠାକୁରଙ୍କୁ କିଭଳି ଦର୍ଶନ କରିବେ ସେନେଇ ଟଣାଓଟରା ହେଉଥିଲେ । କିନ୍ତୁ ଘଣ୍ଟି ଦ୍ୱାର ଦେଇ ଭକ୍ତଙ୍କ ପ୍ରବେଶ ବାରଣ ରହିଥିବା ବେଳେ ଉକ୍ତ ଦ୍ୱାରରେ ଡୁ୍ୟଟିରେ ମୁତୟନ ଥିବା ଜେଟିପି ବାହାର ରାଜ୍ୟର ପର୍ଯ୍ୟଟକଙ୍କଠାରୁ ମୋଟା ଅଙ୍କର ଅର୍ଥ ନେଇ ସେମାନଙ୍କୁ ଘଣ୍ଟିଦ୍ୱାର ଦେଇ ଦର୍ଶନ ଲାଗି ଛାଡୁଥିଲେ । ଏହି ସମୟରେ ବୋଲବମ୍ ଭକ୍ତମାନେ ଉକ୍ତ ଦ୍ୱାର ଦେଇ ପ୍ରବେଶ କରିବାକୁ ଆଗ୍ରହ ପ୍ରକାଶ କରିବାରୁ ସେମାନଙ୍କୁ ଛାଡ଼ି ନ ଥିଲେ । ଫଳରେ ଜେଟିପି ଟଙ୍କା ନେଇ ବଙ୍ଗାଳୀ ପର୍ଯ୍ୟଟକଙ୍କୁ ଛାଡୁଥିବାବେଳେ ଆମକୁ କାହିଁକି ଛାଡ଼ିବ ନାହିଁ ବୋଲି ଜିଦ୍ ଧରିଥିଲେ ।
ଉକ୍ତ ଘଟଣାକୁ ନେଇ ବୋଲବମ୍ ଭକ୍ତ ଓ ଜେଟିପି ମୁହାଁମୁହିଁ ହୋଇଥିଲେ । ଉକ୍ତ ଘଟଣା ବାହାରକୁ ଆସିବା ଭୟରେ ଜେଟିପିମାନେ ବୋଲବମ୍ ଭକ୍ତଙ୍କୁ ବୁଝାଇବା ଲାଗି ଉଦ୍ୟମ କରିବା ପରିବର୍ତ୍ତେ ସେମାନଙ୍କୁ ନାଲି ଆଖି ଦେଖାଇଥିଲେ । ଫଳରେ ଭକ୍ତଙ୍କୁ ସୁରକ୍ଷିତ ଦର୍ଶନ ଲାଗି ଜେଟିପିମାନଙ୍କୁ ନିୟୋଜିତ କରାଯାଇଥିବା ବେଳେ ସେମାନେ ଟଙ୍କା ଲୋଭରେ ବାହାର ଭକ୍ତଙ୍କୁ ଛାଡୁଥିବାବେଳେ ସ୍ଥାନୀୟ ଭକ୍ତଙ୍କୁ ନାଲିଆଖି ଦେଖାଇବା ଘଟଣାକୁ ନେଇ ଆଲୋଚନା ଜୋର୍ ଧରିଛି । ଗୋଟିଏ ପଟେ ଶ୍ରୀମନ୍ଦିର ପ୍ରଶାସନ ଭକ୍ତଙ୍କୁ ଉତ୍ତମ ବ୍ୟବହାର ପ୍ରଦର୍ଶନ କରିବା ସହ ସେମାନଙ୍କୁ ସୁବିଧା ଦର୍ଶନ ବ୍ୟବସ୍ଥା କରେଇବା ଲାଗି ଅର୍ଥ ନେଉଥିବା ବେଳେ ସେମାନେ ଅଧିକ ଅର୍ଥ ରୋଜଗାର ନିଶାରେ ସେମାନେ ନିୟମ ଓ କଟକଣାକୁ ଭୁଲି ଯାଉଛନ୍ତି । ଯାହାଫଳରେ ସାଧାରଣରେ ପ୍ରଶାସନ ବଦ୍ନାମ ହେଉଛି ।