ଲଘୁଚାପ ବର୍ଷା ବଢ଼ାଇଲା ଦୁର୍ଦ୍ଦଶା
ପୁରୀ (ବୁ୍ୟରୋ): ଚଳିତବର୍ଷ ରାଜ୍ୟରେ ମୌସୁମୀ ଅତ୍ୟନ୍ତ ଦୁର୍ବଳ ଥିବାରୁ ଲଘୁଚାପ ବର୍ଷା ଉପରେ ଚାହିଁ ବସିଥିଲେ ଚାଷୀକୁଳ । ବର୍ଷା ହେବା ପରେ ଚାଷୀଙ୍କ ମହଲରେ ଖୁସି ଦେଖାଦେଇଛି । ହେଲେ ଏହି ଲଘୁଚାପ ବର୍ଷା ଅଭିଶାପ ପାଲଟିଛି ସହରାଞ୍ଚଳରେ ବସବାସ କରୁଥିବା ବସ୍ତିବାସିନ୍ଦାଙ୍କର । ପ୍ରଶାସନର ଅବହେଳା ପାଇଁ ଦୁର୍ଦ୍ଦଶା ଭୋଗୁଛନ୍ତି ସହରରେ ବସବାସ କରୁଥିବା ବସ୍ତିବାସିନ୍ଦା । ରାଜ୍ୟ ସରକାର ବସ୍ତିବାସିନ୍ଦାଙ୍କ ଅସୁବିଧାକୁ ଅନୁଭବ କରି ଥଇଥାନ କରିବା ପାଇଁ ମାଗଣାରେ ଜମି ସହିତ ପଟ୍ଟା ମଧ୍ୟ ଯୋଗାଇ ଦିଆଯାଇଥିଲା । ସେମାନଙ୍କୁ ଆଜିପର୍ଯ୍ୟନ୍ତ ଜମି ଯୋଗାଇ ଦିଆଗଲା ନାହିଁ । ସ୍ଥାନୀୟ ପ୍ରଶାସନର ଅବହେଳା ପାଇଁ ସରକାର ବଦ୍ନାମ ହେବା ସହିତ କଷ୍ଟ ଭୋଗୁଛନ୍ତି ବସ୍ତିବାସିନ୍ଦା । ଏହାକୁ ନେଇ ବସ୍ତିବାସିନ୍ଦାଙ୍କ ମନରେ ଘୋର ଅସନ୍ତୋଷ ଦେଖାଦେଇଛି ।
ଅନ୍ୟପକ୍ଷରେ ସହରରେ ଦୀର୍ଘବର୍ଷ ହେଲା ଡ୍ରେନେଜ୍ ଓ ସ୍ୱେରେଜ୍ ବ୍ୟବସ୍ଥା କାର୍ଯ୍ୟ ଚାଲୁଥିଲା ବେଳେ ତାହା ଆଜିପର୍ଯ୍ୟନ୍ତ ଶେଷ ହୋଇନି । ଯାହାଦ୍ୱାରା ବର୍ଷା ଲାଗି ରହିବା ଫଳରେ ସହରରେ ହୋଇଥିବା ସମସ୍ତ ସ୍ୱେରେଜ୍ ଚ୍ୟାମ୍ବର ଫୁଲ୍ ହୋଇ ପାଣି ରାସ୍ତାରେ ଭାସୁଛି । ସେହିପରି ତଳିଆ ବସ୍ତିବାସିନ୍ଦାଙ୍କ ଦୁଃଖ ବଢ଼େଇ ଦେଇଛି ଲଘୁଚାପ ବର୍ଷା । ପାଣିପାଗ ସୂଚନା ଅନୁଯାୟୀ ଶନିବାର ପୁରୀରେ ଦିନତମାମ ହୋଇଥିଲା ବର୍ଷା । ଫଳରେ ସହରର ବଡ଼ଦାଣ୍ଡ ସମେତ ଗଳିକନ୍ଦିରେ ନଳା ପାଣିର ସୁଅ ଛୁଟୁଛି ।
ବିଶେଷ ଭାବରେ ଲଘୁଚାପ ବର୍ଷାରେ ସହରର ସିଦ୍ଧମହାବୀର, ତାଳବଣିଆ, ଭାରତୀପୁର, ବାଲିଘାଟ, ସୁଜାତାନଗର, ଧୋବାଖାଲ, ବଳିଆପଣ୍ଡା ବସ୍ତି, ଆଇଆଇଟି ଛକ ସମେତ ଅନ୍ୟାନ୍ୟ ବସ୍ତି ଅଞ୍ଚଳରେ ଲହଡ଼ି ମାରୁଛି ପାଣି । ଏପରିକି ସେମାନଙ୍କ ଘରେ ଭିତରେ ପାଣି ପ୍ରବେଶ କରିଛି । ଫଳରେ ଲୋକମାନେ ନିଜ ଖଟ ଉପରେ ନିଜ ପରିବାର ସହିତ ରହିଛନ୍ତି । । ସୁଜତାନଗର ବାସିନ୍ଦା ଦୀର୍ଘଦିନ ହେଲା ପାଣିଘେରରେ ରହିବା ପରେ ଆଜି ବର୍ଷାରେ ପୁଣି ବେହାଲ ହୋଇଯାଇଛି ବସ୍ତି । ବସ୍ତିବାସିନ୍ଦାଙ୍କ ମନରେ ଅସନ୍ତୋଷ କୁହୁଳିଥିବା ବେଳେ ଏହା ଆଗକୁ ବଡ଼ ଧରଣର ବିବାଦ ହେବ ବୋଲି ଶୁଣିବାକୁ ମିଳୁଛି ।