ଓଡ଼ିଶାରେ ଆସିଛି ଅଚ୍ଛେ ଦିନ୍
କଟକରେ “ଅମୃତ ଉତ୍ସବ’
କଟକ/ଭୁବନେଶ୍ୱର, ୮ା୮ (ବୁ୍ୟରୋ): କେନ୍ଦ୍ର ଗୃହ ଓ ସହକାରିତା ମନ୍ତ୍ରୀ ଅମିତ ଶାହା ୨ ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି । ଏହି ଅବସରରେ କଟକରେ କେନ୍ଦ୍ର ଗୃହମନ୍ତ୍ରୀ ଶ୍ରୀ ଶାହା ‘ଅମୃତ ଉତ୍ସବ’କୁ ଉଦ୍ଘାଟନ କରିବା ସହ ଓଡ଼ିଶାରେ ଏବେ ଅଚ୍ଛେଦିନ୍ ଆସିଛି ଏବଂ ଆଗାମୀ ଦିନରେ ମୁଁ ଓଡ଼ିଶାର ଉଜ୍ଜ୍ୱଳ ଭବିଷ୍ୟତ ଦେଖିପାରୁଛି ବୋଲି କହିଛନ୍ତି । ଉକ୍ରଳ ଭୂମିରେ ପାଦ ରଖିଲେ ମନରେ ଭକ୍ତିଭାବ ଆସେ । ଯେବେ ବି ମୁଁ ଓଡ଼ିଶା ଆସେ ପ୍ରଥମେ ମହାପ୍ରଭୁଙ୍କୁ ପ୍ରଣାମ ଜଣାଏ । ଗୁଜୁରାଟର ଅହମ୍ମଦବାଦରେ ଜଗନ୍ନାଥ ଅଛନ୍ତି ଓ ପୁରୀରେ ବି ଜଗନ୍ନାଥ ଅଛନ୍ତି । ମହାପ୍ରଭୁ ଜଗନ୍ନାଥ ହିଁ ପୂର୍ବରୁ ପଶ୍ଚିମ ପର୍ଯ୍ୟନ୍ତ ସମଗ୍ର ଦେଶକୁ ଭକ୍ତି ଓ ସଂସ୍କୃତିରେ ଯୋଡ଼ି ରଖିଛନ୍ତି ବୋଲି ସୋମବାର କଟକ ଇନଡ଼ୋର ଷ୍ଟାଡ଼ିୟମଠାରେ ଡ.ହରେକୃଷ୍ଣ ମହାତାବଙ୍କ ଦ୍ୱାରା ପ୍ରତିଷ୍ଠିତ ଦୈନିକ ଖବରକାଗଜ ‘ପ୍ରଜାତନ୍ତ୍ର’ର ପ୍ରତିଷ୍ଠା ଦିବସରେ କେନ୍ଦ୍ର ଗୃହମନ୍ତ୍ରୀ ଶ୍ରୀ ଶାହ ଉଦଘାଟକ ଭାବେ ଯୋଗ ଦେଇ ଏହା କହିଛନ୍ତି ।
ମୋଦିଙ୍କ ନେତୃତ୍ୱରେ ଓଡ଼ିଶାର ସର୍ବାଙ୍ଗୀନ ବିକାଶ ପାଇଁ ପ୍ରୟାସ କରାଯାଉଛି । କେନ୍ଦ୍ର ସରକାର ରାଜ୍ୟ ସରକାରଙ୍କ ସହ ମିଶି ବିକାଶ କାମକୁ ଆଗେଇ ନେଉଛନ୍ତି । ଓଡ଼ିଶାର ଅଚ୍ଛେ ଦିନର କାରଣ ଆଜି ଓଡ଼ିଶାର ଗରିବ ପରିବାରରେ ଜନ୍ମିତ ଦ୍ରୌପଦୀ ମୁର୍ମୁ ମହାମହିମ ହୋଇଛନ୍ତି । ଏହା ସାରା ଦେଶର ଆଦିବାସୀଙ୍କ ଲାଗି ଗର୍ବ ଓ ଗେରବର ବିଷୟ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶିକ୍ଷା ମନ୍ତ୍ରୀ ହୋଇଛନ୍ତି । ଓଡ଼ିଶାରୁ ଅଶ୍ୱିନୀ ବେଷ୍ଣବ, ବିଶେଶ୍ୱର ଟୁଡୁ କେନ୍ଦ୍ର ମନ୍ତ୍ରୀମଣ୍ଡଳିରେ ସାମିଲ ଅଛନ୍ତି । ବିଶ୍ୱଭୂଷଣ ହରିଚନ୍ଦନ ରାଜ୍ୟପାଳ ହୋଇଛନ୍ତି । ପ୍ରଧାନମନ୍ତ୍ରୀ ମୋଦିଙ୍କ ଶାସନ କାଳରେ ଓଡ଼ିଶାକୁ ଯେଉଁଭଳି ପ୍ରତିନିଧିତ୍ୱ ମିଳିଛି, ତାହା ସ୍ୱାଧୀନତା ପରେ କେବେ ବି ମିଳି ନାହିଁ । ଉକ୍ରଳ କେଶରୀ ମହାତାବ ସ୍ୱାଧୀନତା ପୂର୍ବରୁ ଓ ପରେ ଦେଶ ପାଇଁ ଲଢ଼େଇ କରିଥିଲେ । ଉକ୍ରଳ ପ୍ରଜାଙ୍କୁ ସର୍ବଦା ନିଜ କାମ ଦ୍ୱାରା ସେ ଗୌରବାନ୍ୱିତ କରିଛନ୍ତି । ତାଙ୍କ ଦ୍ୱାରା ପ୍ରତିଷ୍ଠିତ ପ୍ରଜାତନ୍ତ୍ର ରାଜ୍ୟର ବିଭିନ୍ନ ଜନ ଆନେ୍ଦାଳନରେ ସ୍ୱର ହେବାର କାମ କରିଛି ବୋଲି ଶ୍ରୀ ଶାହ କହିଛନ୍ତି ।
ଜୟ ଜଗନ୍ନାଥରୁ ନିଜ ଭାଷଣ ଆରମ୍ଭ କରି କେନ୍ଦ୍ର ଗୃହମନ୍ତ୍ରୀ ଶ୍ରୀ ଶାହା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଉକ୍ରଳ ଭୂମିର ଯୋଗ୍ୟ ସନ୍ତାନ ବୋଲି ସମ୍ବୋଧନ କରିଛନ୍ତି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କୁ କେନ୍ଦ୍ର ଗୃହମନ୍ତ୍ରୀ ଶ୍ରୀ ଶାହ ନିଜ ମିତ୍ର କହିବା ସହ ଭର୍ତ୍ତୃହରିଙ୍କୁ ଦେଶର ଶ୍ରେଷ୍ଠ ସାଂସଦ ଓ ପଦ୍ମଶ୍ରୀ ପ୍ରତିଭା ରାୟଙ୍କୁ ଭଉଣୀ କହି ସମ୍ବୋଧନ କରିଛନ୍ତି । କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗଦେଇ କହିଛନ୍ତି, ଜଣେ ଓଡ଼ିଆ ଭାବେ ମୁଁ ଚିନ୍ତା କରେ “କେବଳ ସଠିକ୍ ରାଜନୈତିକ ଉଦେ୍ଦଶ୍ୟର ପ୍ରବର୍ତ୍ତକ କିମ୍ବା ମାର୍ଗଦର୍ଶକ ନ ଥିଲା ବରଂ ଓଡ଼ିଆ ଜନ ଆକାଂକ୍ଷା, ଓଡ଼ିଆ ସଂସ୍କୃତି ଓ ସାହିତ୍ୟ ତଥା ଓଡ଼ିଆ ଜନଜୀବନର ସଠିକ୍ ଦର୍ପଣ ଥିଲା । ଏଥିପାଇଁ ପ୍ରଜାତନ୍ତ୍ରକୁ ନେଇ ମୁଁ ମନ ଭିତରେ ଶ୍ରଦ୍ଧା କରେ । ଏହି ଅନୁଷ୍ଠାନ ଓଡ଼ିଆ ସ୍ୱାଭିମାନ ଓ ଅଭିବ୍ୟକ୍ତିର ନିଚ୍ଛକ ପ୍ରତୀକ ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ।
ଉତ୍ସବରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଛନ୍ତି, ବିନା ଭୟ ଓ ଅନୁଗ୍ରହରେ ଗଣମାଧ୍ୟମ ତାର କର୍ତ୍ତବ୍ୟ ସମ୍ପାଦନ କରିବା ଉଚିତ । ସାରା ଦେଶ ଏବେ ସ୍ୱାଧୀନତାର ଅମୃତ ମହୋତ୍ସବ ପାଳନ କରୁଛି । ଆସନ୍ତାକାଲି ହେଉଛି ଅଗଷ୍ଟ କ୍ରାନ୍ତି ଦିବସ । ଆମ ଇତିହାସର ଏକ ରେଡ ଲେଟର ଡେ । ଏହି ଅବସରରେ ଆମର ସମସ୍ତ ସଂଗ୍ରାମୀଙ୍କୁ ମୋର ପ୍ରଣାମ ଜଣାଉଛି । ଏହି ସମୟରେ ପ୍ରଜାତନ୍ତ୍ରର ୭୫ ବର୍ଷ ପୂର୍ତ୍ତି ଏକ ଅମୃତ ସଂଯୋଗ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଛନ୍ତି । ବଳିଷ୍ଠ ଗଣତାନ୍ତ୍ରିକ ମୂଲ୍ୟବୋଧର ଦେଶ ହେଉଛି ଭାରତ । ଗଣମାଧ୍ୟମ ଲୋକଙ୍କ ସ୍ୱର ହୋଇଥିବାରୁ ଗଣତନ୍ତ୍ର ସୁରକ୍ଷାକୁ ସର୍ବାଧିକ ଗୁରୁତ୍ୱ ଦେଉ । ଛାପା ଗଣମାଧ୍ୟମ ହେଉ କିମ୍ବା ବୈଦୁ୍ୟତିକ ଗଣମାଧ୍ୟମ ଦେଶର ସାଂସ୍କୃତିକ, ଐତିହ୍ୟ ଓ ନୈତିକତା ବଜାୟ ରଖି ଜାତୀୟ ଏକତା ଓ ସଂହତିକୁ ପ୍ରୋତ୍ସାହନ ଦେବା ହେଉଛି ଗଣମାଧ୍ୟମର ଦାୟିତ୍ୱ ଖବର କାଗଜ, ବୈଦୁ୍ୟତିକ ଗଣମାଧ୍ୟମ କିମ୍ବା ସୋସିଆଲ ମିଡିଆ ଧର୍ମନିରପେକ୍ଷତା ମାନସିକତା ରଖି କାମ କରିବା ଉଚିତ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଛନ୍ତି ।
ଉତ୍ସବରେ ମୁଖ୍ୟବକ୍ତା ଭାବେ ଯୋଗ ଦେଇ ପଦ୍ମଭୂଷଣ ଡ. ପ୍ରତିଭା ରାୟ କହିଛନ୍ତି, ତାଙ୍କ ସାରସ୍ୱତ ଜୀବନରେ ପ୍ରଜାତନ୍ତ୍ରର ଭୂମିକା ଅତୁଳନୀୟ । ସ୍ୱାଧୀନତା ପୂର୍ବ ଓଡ଼ିଶାରେ ରାଜା ଓ ଜମିଦାରଙ୍କ ପୁଅ ଭାବେ ନବକୃଷ୍ଣ ଚୌଧୁରୀ, ଭାଗିରଥୀ ମହାପାତ୍ର ଓ ଡ. ହରେକଷ୍ଣ ମହତାବ ରେଭେନ୍ସା ମହାବିଦ୍ୟାଳୟ ଏକତ୍ର ଅଧ୍ୟୟନ କରୁଥିଲେ । ସେମାନେ ରାଜା ରାଜୁଡ଼ା ଶାସନ ଅପେକ୍ଷା ଗଣତାନ୍ତ୍ରିକ ଶାସନ ବ୍ୟବସ୍ଥା ଉପରେ ଅଧିକ ଆସ୍ଥାସ୍ଥାପନ କରିଥିଲେ । ଏହି ଧାରାକୁ ପ୍ରଜାତନ୍ତ୍ର ବଜାୟ ରଖିଛି ବୋଲି କହିଥିଲେ । ଏହି ଉତ୍ସବ ଆରମ୍ଭରେ ସାଂସଦ ଭର୍ତ୍ତୃହରି ମହତାବ ସ୍ୱାଗତ ଭାଷଣ ଦେଇଥିଲେ । ଟ୍ରଷ୍ଟି ଲୋକରଞ୍ଜନ ମହତାବ ଧନ୍ୟବାଦ ଅର୍ପଣ କରିଥିଲେ ।
ସୂଚନାଯୋଗ୍ୟ, ଦୈନିକ ପ୍ରଜାତନ୍ତ୍ର କାର୍ଯ୍ୟକ୍ରମରେ ଯୋଗଦେବା ପୂର୍ବରୁ ଗୃହ ମନ୍ତ୍ରୀ ଶ୍ରୀ ଶାହଙ୍କ ସହ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଶ୍ରାବଣ ମାସର ଶେଷ ସୋମବାରରେ ପ୍ରଥମେ ଲିଙ୍ଗରାଜ ମନ୍ଦିରକୁ ଯାଇ ଦର୍ଶନ କରିଥିଲେ । ପରେ କଟକ ଗସ୍ତ କରି ଓଡ଼ିଆ ବଜାର ସ୍ଥିତ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜନ୍ମସ୍ଥାନ ଓ ସଂଗ୍ରହାଳୟ ପରିଦର୍ଶନ କରିବା ସହ ନେତାଜୀଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । କଟକ ଗସ୍ତ କାଳରେ ଶ୍ରୀ ଶାହଙ୍କୁ କଟକର ନିଶାମଣୀ ମଣ୍ଡପ ସମେତ ବିଭିନ୍ନ ସ୍ଥାନରେ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା । ସେହିପରି କଟକରୁ ଫେରିବା ପରେ କେନ୍ଦ୍ର ଗୃହମନ୍ତ୍ରୀ ଶ୍ରୀ ଶାହା ରାଜ୍ୟ ବିଜେପି କାର୍ଯ୍ୟଳୟରେ ଦଳୀୟ କର୍ମୀଙ୍କ ସହ ଆଲୋଚନା କରିଥିଲେ । ସନ୍ଧ୍ୟାରେ ମୋଦି ଅ୨୦ କାର୍ଯ୍ୟକ୍ରମରେ ମଧ୍ୟ ଯୋଗ ଦେବା ସହ ଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିଥିବା ସୂଚନା ରହିଛି ।