ନୀତୀଶଙ୍କୁ ଆର୍ଜେଡିର ଖୋଲା ସମର୍ଥନ

ପାଟନା, ୮ା୮: ବିହାରରେ ରାଜନୈତିକ ହଲ୍ଚଲ୍ ସୋମବାର ଆହୁରି ତେଜିଛି । ଜେଡିୟୁ-ବିଜେପି ମେଣ୍ଟ ଭାଙ୍ଗିବାକୁ ଯାଉଛି । ମଙ୍ଗଳବାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଦଳ ଜେଡିୟୁ, ଆର୍ଜେଡି ଓ କଂଗ୍ରେସ ବିଧାୟକଦଳ ବୈଠକ ଅନୁଷ୍ଠିତ ହେବ । ଇତିମଧ୍ୟରେ ଆର୍ଜେଡିର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଶିବାନନ୍ଦ ତିୱାରୀ ଖୋଲା ଅଫର୍ ଦେଇ କହିଛନ୍ତି, ‘ନୀତୀଶ ଯଦି ବିଜେପି ସହ ମେଣ୍ଟ ଭାଙ୍ଗିଦେବେ, ଆମେ ତାଙ୍କୁ ସମର୍ଥନ ଦେବୁ ଏବଂ ସେ ହିଁ ମୁଖ୍ୟମନ୍ତ୍ରୀ ପଦରେ ରହିବେ । ଆର୍ଜେଡି ବିଜେପି ବିରୋଧରେ ଲଢ଼ିବାକୁ ପ୍ରସ୍ତୁତ । ନୀତୀଶ ଯଦି ମଙ୍ଗଳବାର ବିଧାୟକଦଳ ବୈଠକରେ ଏନ୍ଡିଏରୁ ବାହାରିଯିବା ପାଇଁ ନିଷ୍ପତ୍ତି ନେବେ, ତାଙ୍କୁ ଆଲିଙ୍ଗନ କରିବା ଛଡ଼ା ଆଉ ବା କି ବିକଳ୍ପ ଅଛି?’
ଖବର ଅନୁଯାୟୀ ନୀତୀଶ କୁମାର କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ସହ ରବିବାର ରାତିରେ ଫୋନ୍ ଯୋଗେ ଆଲୋଚନା କରିଛନ୍ତି । ସେ ସରକାର ଗଠନ ଲାଗି କଂଗ୍ରେସର ସମର୍ଥନ ଲୋଡ଼ିଥିବା ଅନୁମାନ କରାଯାଉଛି । ଏଆଇସିସି ସଚିବ ତଥା ବିଧାୟକ ଶକୀଲ ଅହମଦ କହିଛନ୍ତି, ମଙ୍ଗଳବାର ବିଧାୟକଦଳ ବୈଠକ ଅନୁଷ୍ଠିତ ହେବ । ସେଥିରେ ଦଳର ପ୍ରଭାରୀ ଭକ୍ତିଚରଣ ଦାସ ଯୋଗଦେବେ । ସମାନ ବିଚାରଧାରାର ଦଳମାନଙ୍କୁ ଏକଜୁଟ୍ କରାଇବା କଂଗ୍ରେସର ଲକ୍ଷ୍ୟ । ସମାଜବାଦୀ ବିଚାରଧାରାରେ ବିଶ୍ୱାସ ରଖୁଥିବା ଜେଡିୟୁ ବିଜେପିଠାରୁ ଦୂରେଇଯାଏ, ଆମେ ନିଶ୍ଚିତ ରୂପେ ତାହାକୁ ସ୍ୱାଗତ କରିବୁ ।
ମଙ୍ଗଳବାର ପୂର୍ବାହ୍ନ ୧୧ଟାବେଳେ ଜେଡିୟୁର ସବୁ ସାଂସଦ ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ଏକାଠି ହେବେ । ଆର୍ଜେଡିର ସାଂସଦ ଓ ବିଧାୟକମାନଙ୍କ ବୈଠକ ପାଟନାସ୍ଥିତ ରାବଡ଼ୀ ଦେବୀଙ୍କ ବାସଭବନରେ ଅନୁଷ୍ଠିତ ହେବ । ଆର୍ଜେଡି ତା’ର ବିଧୟକମାନଙ୍କୁ ବୁଧବାର ପର୍ଯ୍ୟନ୍ତ ପାଟନାରେ ରହିବାଲାଗି ନିଦେ୍ର୍ଦଶ ଦେଇଛି ।
ଅପରପକ୍ଷେ କେନ୍ଦ୍ରୀୟ ନେତୃତ୍ୱଙ୍କ ଡାକରା ପାଇ ବିହାର ବିଜେପିର ବହୁ ନେତା ସୋମବାର ଦିଲ୍ଲୀ ଯାତ୍ରା କରିଛନ୍ତି ।
ବିହାର ରାଜନୀତିରେ କମ୍ପନ ବଢ଼ୁଥିବା ପରିପେକ୍ଷୀରେ ବିଜେପି ଏବେ ନୀତୀଶ କୁମାରଙ୍କ ନିଷ୍ପତ୍ତିକୁ ଅପେକ୍ଷା କରିଛି । କାରଣ ଜେଡିୟୁ ରାଜ୍ୟରେ ବିକଳ୍ପ ସରକାର ଗଠନ ପାଇଁ ବେଶ୍ ତତ୍ପର ହୋଇଉଠିଛି । ତେଜସ୍ୱୀ ଯାଦବଙ୍କ ନେତୃତ୍ୱାଧୀନ ଆର୍ଜେଡି ବାମ ଫ୍ରଣ୍ଟ ଓ କଂଗ୍ରେସ ସହ ଏକ ବିକଳ୍ପ ସରକାର ଗଢ଼ିବା ଯୋଜନା କରୁଛି । ଆର୍ଜେଡିର ଅଧିକାଂଶ ବିଧାୟକ ମଧ୍ୟବର୍ତ୍ତୀ ନିର୍ବାଚନ ଚାହୁଁନାହାନ୍ତି । ତେଣୁ ଅନ୍ୟ ଦଳମାନଙ୍କ ସହ ମିଶି ସରକାର ଗଢ଼ିବା ପାଇଁ ଆଲୋଚନା ଜାରି ରଖିଛି ନୀତୀଶଙ୍କ ଦଳ ।
ଜେଡିୟୁର ପ୍ରଧାନ ଅଭିଯୋଗ ହେଉଛି, ବିଜେପି ଜେଡିୟୁକୁ ଭାଙ୍ଗିବାକୁ ଉଦ୍ୟମ କରୁଛି ଏବଂ ଆର୍ସିପି ସିଂହଙ୍କ ମାଧ୍ୟମରେ ଜେଡିୟୁର ବିଧାୟକମାନଙ୍କୁ ଏକ ପୃଥକ ଗୋଷ୍ଠୀ ଗଢ଼ିବା ଲାଗି ଉତ୍ସାହିତ କରୁଛି । ପୁନଶ୍ଚ ନୀତୀଶ କୁମାର ଚାହୁଁଛନ୍ତି ବିହାର ବିଧାନସଭା ବାଚସ୍ପତି ପଦରୁ ବିଜୟ କୁମାର ସିହ୍ନାଙ୍କୁ ହଟାଇ ଦିଆଯାଉ । ସେହିପରି ପ୍ରମୁଖ ରାଜ୍ୟଗୁଡ଼ିକରେ ବିଧାନସଭା ନିର୍ବାଚନ ଓ ସାଧାରଣ ନିର୍ବାଚନ ଏକସଙ୍ଗେ କରାଇବା ପାଇଁ ମୋଦିଙ୍କ ପ୍ରସ୍ତାବକୁ ମଧ୍ୟ ଜେଡିୟୁ ବିରୋଧ କରୁଛି ।
ଏଭଳି ସ୍ଥିତିରେ କୌଣସିମତେ ବିହାରରେ ଏନ୍ଡିଏ ମେଣ୍ଟ ବଜାୟ ରଖିବା ଉଦେ୍ଦଶ୍ୟରେ ବିଜେପିର ଶୀର୍ଷ ନେତୃତ୍ୱ ଦଳୀୟ ନେତାମାନଙ୍କୁ ବିହାର ଘଟଣାକ୍ରମକୁ ନେଇ ବୟାନବାଜି ନକରିବା ଲାଗି ନିଦେ୍ର୍ଦଶ ଦେଇଛନ୍ତି ।
ଜେଡିୟୁ ଓ ବିଜେପି ମଧ୍ୟରେ ତିକ୍ତତା ବଢ଼ୁଥିବାବେଳେ ବାମଦଳର ନେତାମାନେ ସୋମବାର କହିଛନ୍ତି, ଆମେ ରାଜ୍ୟରେ ଗଠିତ ହେବାକୁ ଥିବା ଯେକୌଣସି ମେଣ୍ଟକୁ ସ୍ୱାଗତ କରିବୁ, ଯେଉଁଥିରେ ବିଜେପି ନଥିବ । ସିପିଆଇଏମ୍ଏଲ୍ (ଲିବରେସନ୍)ର ବିହାରରେ ଅଛନ୍ତି ୧୧ ବିଧାୟକ । ଜେଡିୟୁ ବିଜେପି ସହ ସମ୍ବନ୍ଧ ତୁଟାଇଲେ, ଏମାନେ ନୂଆ ମେଣ୍ଟକୁ ସମର୍ଥନ ଦେବେ ।
ଉଲ୍ଲେଖଯୋଗ୍ୟ ଯେ, ଲୋକସଭା ନିର୍ବାଚନ ପୂର୍ବରୁ ହିଁ ବିହାରରେ ମେଣ୍ଟ ସରକାର ବଦଳି ଯାଉଛି, କିନ୍ତୁ ସେଇ ନୀତୀଶ ହିଁ ମୁଖ୍ୟମନ୍ତ୍ରୀ ପଦରେ ରହୁଛନ୍ତି । ଗତ ୨୨ ବର୍ଷରେ ନୀତୀଶ ୨ ଥର ବିଜେପିର ହାତ ଛାଡ଼ିଛନ୍ତି । ୨ଠ୧୪ ଲୋକସଭା ନିର୍ବାଚନର ଠିକ୍ ପୂର୍ବରୁ ସେ ବିଜେପିଠାରୁ ଅଲଗା ହୋଇଯାଇଥିଲେ । ୨ଠ୨୪ ଲୋକସଭା ନିର୍ବାଚନ ପୂର୍ବରୁ ନୀତୀଶଙ୍କ ‘ଅନ୍ତରାତ୍ମା’ ଜାଗିଉଠି ବିରୋଧୀଙ୍କ ‘ମହାମେଣ୍ଟ’ ସହ ରହିବା ସଂକେତ ମିଳୁଛି । ନୀତୀଶ ୨୨ବର୍ଷରେ ୭ ଥର ମୁଖ୍ୟମନ୍ତ୍ରୀ ହୋଇଛନ୍ତି ଏବଂ ୬ଥର ବିଜେପି ସହ ମେଣ୍ଟ କରିଛନ୍ତି । ଷଷ୍ଠବାର ନୀତୀଶ କୁମାର ମୁଖ୍ୟମନ୍ତ୍ରୀ ହେବାର ଘଟଣାକ୍ରମ ଥିଲା ସବୁଠାରୁ ନାଟକୀୟ । ଆର୍ଜେଡି ସହ ଭ୍ରଷ୍ଟାଚାର ପ୍ରସଙ୍ଗରେ ମତଭେଦ ହେବାରୁ ସେ ୨ଠ୧୭ ଜୁଲାଇ ୨୬ରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ଏବଂ ପରଦିନ ବିଜେପି ସହ ମିଶି ମୁଖ୍ୟମନ୍ତ୍ରୀ ରୂପେ ଶପଥ ନେଲେ । ୨ଠ୨ଠ ନଭେମ୍ବର ୧୬ରେ ସେ ସପ୍ତମବାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ । ସେହି ନିର୍ବାଚନରେ ଜେଡିୟୁ ପ୍ରଥମଥର ପାଇଁ ବିଜେପିଠାରୁ କମ୍ ଆସନରେ ଜିତିଥିଲା । ତା’ସତ୍ତ୍ୱେ ନୀତୀଶ କୁମାର ମୁଖ୍ୟମନ୍ତ୍ରୀ ହେଲେ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *