ଶେଷ ଦିନରେ ୪ ସ୍ୱର୍ଣ୍ଣ

ରାଜ୍ୟଗୋଷ୍ଠୀ କ୍ରୀଡ଼ା-୨ଠ୨୨
ବର୍ମିଂହମ୍, ୮ା୮: ରାଜ୍ୟଗୋଷ୍ଠୀ କ୍ରୀଡ଼ା-୨ଠ୨୨ର ଶେଷ ଦିନ (ସୋମବାର)ରେ ଭାରତ ୪ ସ୍ୱର୍ଣ୍ଣ ଓ ଗୋଟିଏ ରୌପ୍ୟ ପଦକ ହାସଲ କରିଛି ।
ପ୍ରତିଯୋଗିତାର ଅନ୍ତିମ ଦିନରେ ଭାରତର ସଟ୍ଲର୍ମାନେ ୩ ଘଣ୍ଟାରେ ୩ଟି ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ଷ୍ଟାର୍ ସଟ୍ଲର୍ ପି ଭି ସିନ୍ଧୁ ମହିଳା ସିଙ୍ଗଲ୍ ଫାଇନାଲ୍ରେ କାନାଡ଼ାର ମିଶେଲ୍ ଲୀଙ୍କୁ ୨୧-୧୫ ଓ ୨୧-୧୩ରେ ପରାସ୍ତ କରି ସ୍ୱର୍ଣ୍ଣ ପଦକ ପାଇଛନ୍ତି । ବ୍ୟାଡ୍ମିଣ୍ଟନରେ ସାତ୍ତ୍ୱିକ-ଚିରାଗ ଯୋଡ଼ି ଓ ଟେବୁଲ୍ ଟେନିସ୍ରେ ଶରତ ଭାରତ ପାଇଁ ଆଣିଛନ୍ତି ସ୍ୱର୍ଣ୍ଣ । ସିନ୍ଧୁଙ୍କ ଭଳି ଲକ୍ଷ୍ୟ ସେନ୍ ମଧ୍ୟ ରାଜ୍ୟଗୋଷ୍ଠୀ କ୍ରୀଡାରେ ମେଡେନ୍ ଗୋଲ୍ଡ ମେଡାଲ୍ ଜିତିଛନ୍ତି । ସୋମବାର ଫାଇନାଲ୍ରେ ସେ ମାଲେସିଆର ଏଙ୍ଗ୍ ଜେ ଲୋଙ୍ଗ୍ଙ୍କୁ ୧୯-୨୧, ୨୧-୯, ୨୧-୧୬ରେ ପରାସ୍ତ କରିଛନ୍ତି । ଏହାସହିତ ରାଜ୍ୟଗୋଷ୍ଠୀ କ୍ରୀଡାର ପୁରୁଷ ସିଙ୍ଗିଲ୍ସରେ ପଦକ ଜିତିବାରେ ସେ ହୋଇଛନ୍ତି ଭାରତର ୧୦ମ ଖେଳାଳି ଏବଂ ସ୍ୱର୍ଣ୍ଣ ଜିତିବାରେ ଚତୁର୍ଥ ଆଥ୍ଲେଟ୍ । ଲକ୍ଷ୍ୟଙ୍କ ପୂର୍ବରୁ ପ୍ରକାଶ ପାଦୁକୋଣ, ସୟଦ ମୋଦି ଓ ପାରୁ ପଲ୍ଲୀ କଶ୍ୟପ ସ୍ୱର୍ଣ୍ଣ ବିଜୟୀ ହୋଇଥିଲେ ।
ଏଥର ଦେଶକୁ ମିଳିଛି ମୋଟ ୨୨ ସ୍ୱର୍ଣ୍ଣ, ୧୬ ରୌପ୍ୟ ଓ ୨୩ କାଂସ୍ୟ ପଦକ । ପ୍ରଥମ ସ୍ୱର୍ଣ୍ଣ ଜିତିଥିଲେ ମୀରାବାଈ ଚାନୁ, ଶେଷ ସ୍ୱର୍ଣ୍ଣ ପଦକ ପାଇଲେ ଅଚନ୍ତା ଶରତ କମଳ ।
ରାଜ୍ୟଗୋଷ୍ଠୀ କ୍ରୀଡ଼ାର ସିଙ୍ଗଲ୍ ଇଭେଣ୍ଟରେ ସିନ୍ଧୁ ପ୍ରଥମଥର ପାଇଁ ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ବର୍ମିଂହମ୍ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ବ୍ୟାଡ୍ମିଣ୍ଟନରେ ଏହା ଭାରତ ପ୍ରଥମ ସ୍ୱର୍ଣ୍ଣ ପଦକ । ସିନ୍ଧୁଙ୍କ ପୂର୍ବରୁ ସାଇନା ନେହୱାଲ୍ ୨ଠ୧ଠ ଓ ୨ଠ୧୮ରେ ସିଙ୍ଗଲ୍ ଇଭେଣ୍ଟରେ ସ୍ୱର୍ଣ୍ଣ ପଦକ ପାଇଥିଲେ ।
ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଏଥରକୁ ମିଶାଇ ସିନ୍ଧୁ ଚାରିଥର ପଦକ ଜିତିଛନ୍ତି । ୨୦୧୪ରେ ସେ କାଂସ୍ୟ ପଦକ ପାଇଥିଲେ । ଏଥର ସିନ୍ଧୁ କୌଣସି ମ୍ୟାଚ୍ରେ ହାରି ନାହାନ୍ତି । ସେ ମୋଟ୍ ୧୯ ଗେମ୍ ଖେଳି ୧୮ରେ ବିଜୟ ହାସଲ କରିଛନ୍ତି ।
ଭାରତର ଟେବୁଲ୍ ଟେନିସ୍ ଷ୍ଟାର୍ ଅଚନ୍ତା ଶରତ କମଳ ପୁରୁଷ ସିଙ୍ଗଲ୍ ଇଭେଣ୍ଟରେ ସ୍ୱର୍ଣ୍ଣ ବିଜୟୀ ହୋଇଛନ୍ତି । ଫାଇନାଲ୍ରେ ଶରତ ଇଂଲଣ୍ଡର ଲିୟାମ ପିଚ୍ଫୋର୍ଡଙ୍କୁ ୪-୧ରେ ପରାସ୍ତ କରିଛନ୍ତି । ୪ଠ ବର୍ଷ ବୟସରେ ଶରତ ସମଗ୍ର ଟୁର୍ଣ୍ଣାମେଣ୍ଟରେ ଅଜେୟ ରହିଛନ୍ତି । ବର୍ମିଂହମ୍ରେ ଏହା ତାଙ୍କର ତୃତୀୟ ସ୍ୱର୍ଣ୍ଣ । ୧୬ ବର୍ଷ ପରେ ସେ ମେନ୍ସ ସିଙ୍ଗଲ୍ସରେ ସ୍ୱର୍ଣ୍ଣ ବିଜୟୀ ହେବା ଏକ ଉଲ୍ଲେଖନୀୟ ବିଷୟ । ପୂର୍ବରୁ ସେ ମେନ୍ସି ଟିମ୍ ଇଭେଣ୍ଟ ଓ ମିକ୍ସଡ ଡବଲ୍ସରେ ସ୍ୱର୍ଣ୍ଣ ଜିତିଥିଲେ । ଏହାଛଡ଼ା ମେନ୍ସ ଡବଲ୍ଡରେ ରୌପ୍ୟ ପଦକ ପାଇଥିଲା । ଏହିପରି ଶରତ ବର୍ମିଂହମ୍ ରାଜ୍ୟଗୋଷ୍ଠୀ କ୍ରୀଡ଼ାରୁ ୪ ପଦକ ହାତେଇଛନ୍ତି ।
ପୁରୁଷ ହକିରେ ଭାରତକୁ ମିଳିଛି ରୌପ୍ୟ ପଦକ । ଫାଇନାଲ୍ରେ ବିଶ୍ୱ ଚାମ୍ପିଅନ୍ ଟିମ୍ ଅଷ୍ଟ୍ରେଲିଆଠାରୁ ଠ-୭ରେ ହାରିଛି ଭାରତ । ଉଲ୍ଲେଖଯୋଗ୍ୟ ଯେ, ଭାରତୀୟ ପୁରୁଷ ହକି ଟିମ୍ ପ୍ରଥମ ମ୍ୟାଚ୍ରେ ଘାନାକୁ ୧୧-ଠରେ ହରାଇ ବିଜୟ ଅଭିଯାନ ଆରମ୍ଭ କରିଥିଲା । ଦ୍ୱିତୀୟ ମ୍ୟାଚ୍ରେ ଇଂଲଣ୍ଡ ବିପକ୍ଷରେ ଖେଳି ୪-୪ରେ ମ୍ୟାଚ୍ ଡ୍ର ରଖିଥିଲା । ଏହାପରେ କାନାଡ଼ାକୁ ୮-ଠରେ ପରାସ୍ତ କରିଥିଲା ଭାରତୀୟ ଦଳ । ସେମିଫାଇନାଲ୍ରେ ଦକ୍ଷିଣ ଆଫି୍ରକାକୁ ୩-୨ରେ ପରାସ୍ତ କରି ଫାଇନାଲ୍କୁ ପ୍ରବେଶ କରିଥିଲା ଭାରତ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *