୪ ଜିଲ୍ଲାରେ ଅତିପ୍ରବଳ ବର୍ଷା

ରାଜ୍ୟରେ ଲଘୁଚାପ ସକ୍ରିୟ
ଭୁବନେଶ୍ୱର, ୮ା୮: ଦକ୍ଷିଣ ଓଡ଼ିଶା ନିକଟବର୍ତ୍ତୀ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଏବଂ ଏହାର ଆଖପାଖ ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳରେ ଥିବା ପଶ୍ଚିମ କେନ୍ଦ୍ରୀୟ ଉପସାଗର ଉପରେ ଥିବା ସ୍ପଷ୍ଟ ଚିହ୍ନିତ ଲଘୁ·ପ କ୍ଷେତ୍ର ସହ ଜଡିତ ସାମୁଦ୍ରିକ ଘୂର୍ଣ୍ଣିବଳୟ ଏବେ ସକ୍ରିୟ ରହିଛି । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଏହା ଏକ ଅବପାତରେ ପରିଣତ ହୋଇ ସମଗ୍ର ଓଡିଶାର ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗକୁ ଗତି କରିବାର ସମ୍ଭାବନା ରହିଛି ।
ଏହାର ପ୍ରଭାବରେ ଆଗାମୀ ୫ ଦିନ ପର୍ଯ୍ୟନ୍ତ ଓଡିଶାର ଜିଲ୍ଲାଗୁଡ଼ିକର ଅଧିକାଂଶ ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ସହ ବଜ୍ରପାତ ହେବାର ସମ୍ଭାବନା ରହିଛି । ଆସନ୍ତାକାଲି ପାଇଁ ରାଜ୍ୟର ସମସ୍ତ ଜିଲ୍ଲାକୁ ବିଭିନ୍ନ ବର୍ଗରେ ୱାର୍ଣ୍ଣି ଜାରି ହୋଇଥିବାବେଳେ କେନ୍ଦ୍ରୀୟ ତଥା ପଶ୍ଚିମ ଓଡ଼ିଶାର ୪ ଜିଲ୍ଲାରେ ଅତିପ୍ରବଳ ବର୍ଷା ହେବା ନେଇ ପାଣିପାଗ କେନ୍ଦ୍ର ରେଡ୍ ୱାର୍ଣ୍ଣିଂ ଜାରି କରିଛି ।
ମୌସୁମୀ ଜନିତ ନିମ୍ନଚାପରେଖା ସମୁଦ୍ର ପତନରୁ ମାତ୍ର ୦.୯ କିମି ଉପରେ ରହିଥିବାବେଳେ ଜାରି ଲଘୁଚାପ ବଳୟ ଓଡ଼ିଶାରେ ବହୁଳ ପରିମାଣର ବର୍ଷା ଆଣୁଛି । ଆସନ୍ତା ୧୧ ତାରିଖ ଯାଏ ରାଜ୍ୟରେ ବର୍ଷା ସ୍ଥିତି ଏପରି ଜାରି ରହିବା ନେଇ ପୂର୍ବାନୁମାନ କରାଯାଇଥିବାବେଳେ ୧୧ ପରେ ପାଗ ସାମନ୍ୟ ସୁଧୁରିବା ନେଇ ପୂର୍ବାନୁମାନ କରାଯାଇଛି । ସମ୍ପୃକ୍ତ ଲଘୁଚାପ ବଳୟଟି ଆସନ୍ତା ୧୧ ତାରିଖ ସୁଦ୍ଧା ଓଡ଼ିଶା ଅତିକ୍ରମ କରିବା ନେଇ ପୂର୍ବାନୁମାନ କରାଯାଇଥିବା ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଶେଷଜ୍ଞ ପ୍ରକାଶ କରିଛନ୍ତି । ଆସନ୍ତାକାଲି ରାଜ୍ୟର ବରଗଡ଼, ଅନୁଗୁଳ, ସମ୍ବଲପୁର ଓ କେନ୍ଦୁଝର ଜିଲ୍ଲାରେ ଅତିପ୍ରବଳ ବର୍ଷା ନେଇ ରେଡ୍ ୱାର୍ଣ୍ଣିଂ ଜାରି ହୋଇଛି । ସମ୍ପୃକ୍ତ ଜିଲ୍ଲାଗୁଡ଼ିକର ଅଧିକାଂଶ ଅଞ୍ଚଳ ପାହାଡ଼ିଆ ହୋଇଥିବାରୁ ସେଠାରେ ଭୁସ୍ଖଳନ ସହ ମାଟି ଅତଡ଼ା ଖସିବା ସହ ଅସ୍ଥାୟୀ ବନ୍ୟା ସ୍ଥିତି ମଧ୍ୟ ଉପୁଜିପାରେ ବୋଲି ପାଣିପାଗ କେନ୍ଦ୍ର ସତର୍କ କରାଇଛି । ଏନେଇ ସତର୍କ ରହିବାକୁ ରାଜ୍ୟ ସ୍ୱତନ୍ତ୍ର ରିଲିଫ୍ କମିଶନର (ଏସ୍ଆରସି) ସମ୍ପୃକ୍ତ ଜିଲ୍ଲାର ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି ।
ସେହିପରି ରାଜ୍ୟର ବାକି ୧୪ ଜିଲ୍ଲାକୁ ଅରେଞ୍ଜ ଓ ୧୨ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ଏନେଇ ସତର୍କ ରହିବାକୁ ପାଣିପାଗ କେନ୍ଦ୍ର ସୂଚନା ଦେଇଛି । ଆସନ୍ତା ୧୦ ତାରିଖ ଦିନ ମଧ୍ୟ ରାଜ୍ୟରେ ବର୍ଷା ବିତ୍ପାତ ଜାରି ରହିବ । ପଶ୍ଚିମ ଓଡ଼ିଶାର ପ୍ରାୟ ସମସ୍ତ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଥିବାବେଳେ ମୋଟ ୯ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି । ସେହିପରି ୯ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ମଧ୍ୟ ଜାରି ହୋଇଛି । ୧୧ ତାରିଖ ଦିନ ବର୍ଷା ପରିମାଣ ସାମାନ୍ୟ ସୁଧାର ଆସିବା ସହ ପଶ୍ଚିମ ଓଡ଼ିଶାର ୯ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି ଏବଂ ଉତ୍ତର ଓଡ଼ିଶାରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବା ସମ୍ଭାବନା ଥିବା ଆଞ୍ଚଳିକ ପାଣିପାଗ କେନ୍ଦ୍ର ସୂଚନା ଦେଇଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *