ଜିଲ୍ଲାପାଳ ଅଫିସ୍ ଆଗରେ ବସିଲେ ମା’ ମୋନାଲିସା
ଯାଜପୁର (ଆପ୍ର) : ୪ବର୍ଷର ଶିଶୁକନ୍ୟା ପିହୁ ନିଖୋଜକୁ ୨ବର୍ଷ ବିତି ଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ତାର କୌଣସି ସନ୍ଧାନ ମିଳିନାହିଁ । ପିହୁର ମା’ ମୋନାଲିସା ଘଟଣାର ସିବିଆଇ ତଦନ୍ତ ଦାବିରେ ସୋମବାର ଜିଲ୍ଲାପାଳଙ୍କ କାର୍ଯାଳୟ ଆଗରେ ଧାରଣା ଦେଇଛନ୍ତି ।
ପ୍ରକାଶ ଯେ, ବିଞ୍ଝାରପୁର ଥାନା ମଧୁସୁଦନପୁରର ୪ବର୍ଷୀୟା ଶିଶୁକନ୍ୟା ପିହୁ ଗତ ୨୦୨୦, ଅଗଷ୍ଟ ୯ରେ ଗାଁ ଦାଣ୍ଡରେ ଖେଳୁଥିବାବେଳେ ନିଖୋଜ ହୋଇଥିଲା । ଖୋଜା ଖୋଜି କରିବା ପରେ ପିହୁଙ୍କୁ ନପାଇବାରୁ ତହିଁ ପରଦିନ ପିହୁର ମା ବିଞ୍ଝାରପୁର ଥାନାରେ ଏତଲା ଦେଇଥିଲେ ମଧ୍ୟ ଏହାକୁ ରୁଜୁ କରାଯାଇନଥିଲା । ବାରମ୍ବାର ବିଞ୍ଝାରପୁର ଥାନା ଯିବା ପରେ ଅଗଷ୍ଟ ୧୪ରେ ପୁଲିସ ନିଖୋଜ ମାମଲା (୨୨୮/୨୦୨୦) ରୁଜୁ କରିଥିଲା । ହେଲେ ପୁଲିସ୍ କୌଣସି ତତ୍ପରତା ନଦେଖାଇବାରୁ ଏପର୍ଯ୍ୟନ୍ତ ତା’ର କୌଣସି ପତ୍ତା ମିଳିପାରି ନାହିଁ ।
ଅପରପକ୍ଷେ ବିଞ୍ଝାରପୁର ଥାନା ଅଧିକାରୀ ନିରଞ୍ଜନ ସବର ମୋନାଲିସାଙ୍କୁ ଗାଳିଗୁଲଜ କରି ଥାନାରୁ ତଡ଼ି ଦେଇଥିଲେ । ପରେ ପିହୁର ମାଆ ଯାଜପୁର ଏସ୍ପି, ଡିଜିପି, କ୍ରାଇମ୍ ବ୍ରାଞ୍ଚ, ରାଜ୍ୟ ମହିଳା ଓ ଶିଶୁ କମିଶନ, ମୁଖମନ୍ତ୍ରୀ ଓ ରାଜ୍ୟପାଳଙ୍କୁ ବାରମ୍ବାର ଜଣାଇବା ପରେ ଆଜି ପର୍ଯ୍ୟନ୍ତ ଏ ଦିଗରେ କୌଣସି ଦୃଢ଼ ପଦକ୍ଷେପ ଗ୍ରହଣ କରାଯାଇ ନାହିଁ । ଘଟଣାର ୨ବର୍ଷ ପରେ ବି ପିହୁର କୌଣସି ସନ୍ଧାନ ନମିଳିବାରୁ ମୋନାଲିସା ଘଟଣାର ସିବିଆଇ ତଦନ୍ତ ଦାବିରେ ଜିଲ୍ଲାପାଳ ଅଫିସ୍ ଆଗରେ ଧାରଣା ଦେଇଛନ୍ତି ।