ଜିଲ୍ଲାପାଳ ଅଫିସ୍ ଆଗରେ ବାମପନ୍ଥୀଙ୍କ ବିକ୍ଷୋଭ
ଜଗତସିଂହପୁର/ପାରାଦୀପ/ଯାଜପୁର (ସ୍ୱପ୍ର/ଆପ୍ର): ଭାରତର ଟ୍ରେଡ଼ ୟୁନିୟନ କେନ୍ଦ୍ର ସିଆଇଟିୟୁ, ଓଡିଶା କୃଷକ ସଭା ଓ କ୍ଷେତ ମଜଦୁର ୟୁନିୟନ୍ ପକ୍ଷରୁ ସର୍ବ ଭାରତୀୟ ଡାକରାରେ ଆଜି ଜଗତସିଂହପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆଇନ ଅମାନ୍ୟ ଆନେ୍ଦାଳନ କରାଯାଇଛି । ଜିଲ୍ଲା ଶ୍ରମ ଦପ୍ତରରେ ୧୫ଦଫା ଦାବି ନେଇ ବିକ୍ଷୋଭ ଓ ପ୍ରତିବାଦ କରାଯାଇଥିବା ବେଳେ ସିଆଇଟିୟୁର ରାଜ୍ୟ ସମ୍ପାଦକ ଲୋଭାକାନ୍ତ ସ୍ୱାଇଁଙ୍କ ନେତୃତ୍ୱରେ ଚାଷୀ ମୂଲିଆ, ଜନସାଧାରଣ ଓ ନିର୍ମାଣ ଶ୍ରମିକମାନେ ଏଥିରେ ଯୋଗ ଦେଇଥିଲେ ।
କରୋନା ସହାୟତା ପାଇ ନଥିବା ସମସ୍ତ ନିର୍ମାଣ ଶ୍ରମିକଙ୍କୁ ସହାୟତା ପ୍ରଦାନ, ବର୍ଷ ବର୍ଷ ଧରି ପଡିରହିଥିବା ଦରଖାସ୍ତକାରୀଙ୍କୁ ଛାତ୍ର ବୃତ୍ତି, ବିବାହ ସହାୟତା, ମୃତ୍ୟୁକାଳୀନ ସହାୟତା ପ୍ରଦାନ କରାଯାଉ, ନିର୍ମାଣ ଶ୍ରମିକଙ୍କ ନାମ ବ୍ଲକ, ପଞ୍ଚାୟତ ଭୁଲ୍ ଥିବାରୁ ତୁରନ୍ତ ସଂଶୋଧନ ସମେତ ୧୫ ଦଫା ସମ୍ବଳିତ ଅନ୍ୟାନ୍ୟ ଦାବିକୁ ଭିତ୍ତି କରି ଏହି ଆନେ୍ଦାଳନ କରାଯାଇଥିଲା । କ୍ଷେତ ମୂଲିଆ ୟୁନିୟନ୍ର ଜିଲ୍ଲା ଆବାହକ ଯୁଧିଷ୍ଠିର ଦାସ, ଓଡିଶା କୃଷକ ସଭାର ଜିଲା ଆବାହକ ଗଣେଶ ଚନ୍ଦ୍ର ମାଣିଆ, ସିଆଇଟିୟୁର ଜିଲ୍ଲା ସହ ସମ୍ପାଦକ କୃଷ୍ଣଚନ୍ଦ୍ର ବସ୍ତିଆଙ୍କ ସମେତ ଅନ୍ୟମାନେ ପ୍ରମୁଖ ସାମିଲ ହୋଇଥିଲେ ।
ଭାରତ ଛାଡ଼ ଆନେ୍ଦାଳନର ସ୍ମାରକୀ ଉପଲକ୍ଷେ ଯାଜପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ସିଆଇଟିୟୁ ଏବଂ ଓଡ଼ିଶା କୃଷକ ସଭାର ମିଳିତ ବିକ୍ଷୋଭ-ପ୍ରତିବାଦ ସଭା ଅନୁଷ୍ଠିତ ହୋଇଛି । ସିଆଇଟିୟୁ ଜିଲ୍ଲା ଆବାହକ ପ୍ରଫୁଲ୍ଲ ନାୟକଙ୍କ ସଭାପତିତ୍ୱରେ ସମସ୍ତ ଖାଦ୍ୟଦ୍ରବ୍ୟ ଉପରୁ ଜିଏସଟି ପ୍ରତ୍ୟାହାର, ଅତ୍ୟାବଶ୍ୟକ ସାମଗ୍ରୀର ଦରବୃଦ୍ଧି ବନ୍ଦ, ଶ୍ରମିକ ବିରୋଧୀ ୪ଟି ଶ୍ରମକୋଡ ବାତିଲ, ସମସ୍ତ ଫସଲର ଏମ୍ଏସ୍ପି ପାଇଁ ଆଇନଗତ ବ୍ୟବସ୍ଥା ସମେତ ଅନ୍ୟାନ୍ୟ ଦାବିକୁ ଭିତ୍ତି କରି ବିକ୍ଷୋଭ ଓ ପ୍ରତିବାଦ ସଭା କରାଯାଇଥିଲା । ସଭାରେ କୃଷକ ସଭା ଜିଲ୍ଲା ସଭାପତି ଗଣେଶ ସାହୁ, ସିଆଇଟିୟୁ ଜିଲ୍ଲା ନେତୃତ୍ୱ ବିଜୟ ନାୟକ, ଅମୂଲ୍ୟ ସାମଲ, ସାଧୁ ଚରଣ ଷଡଙ୍ଗୀ, ଡା. ନିର୍ମଳ ରଥ, ଲାଲମଣୀ ମୁଣ୍ଡା, ଦିଲ୍ଲୀପ ଦାସ ପ୍ରମୁଖ ଯୋଗ ଦେଇଥିଲେ ।
ପାରାଦୀପ ଇଣ୍ଡଷ୍ଟ୍ରିଆଲ ୱାର୍କରସ ୟୁନିୟନ (ସିଆଇଟିୟୁ) ପକ୍ଷରୁ ସଙ୍ଗଠନର ସାଧାରଣ ସମ୍ପାଦକ ଉଲ୍ଲାସ ସ୍ୱାଇଁଙ୍କ ନେତୃତ୍ୱରେ ପ୍ରଧାନମନ୍ତ୍ରୀଙ୍କ ଉଦେ୍ଦଶ୍ୟରେ ପାରାଦୀପ ଅତିରିକ୍ତ ଜିଲ୍ଲାପାଳଙ୍କୁ ୧୦ ଦଫା ସମ୍ବଳିତ ଦାବିପତ୍ର ପ୍ରଦାନ କରାଯାଇଛି । ଏହାସହ ପାରାଦୀପ ଅତିରିକ୍ତ ଜିଲ୍ଲାପାଳଙ୍କ ଅଫିସ ଆଗରେ ୟୁନିୟନ୍ର ସଦସ୍ୟମାନେ କେନ୍ଦ୍ର ଶାସନାଧୀନ ମୋଦି ସରକାରଙ୍କ ବିରୋଧରେ ବର୍ଷିଛନ୍ତି । ତୁରନ୍ତ ଚୁଡା, ମୁଢି, ଉଖୁଡା, ଗୁଡ଼ ଓ ଅଟା ଉପରୁ ଜିଏସ୍ଟି ପ୍ରତ୍ୟାହାର, ପେଟ୍ରୋଲ, ଡିଜେଲ ଓ ଗ୍ୟାସକୁ ଜିଏସ୍ଟି ଅନ୍ତର୍ଭୁକ୍ତ, ସରକାରୀ ସଂସ୍ଥାରେ ଖାଲି ଥିବା ପଦବୀ ପୂରଣ ସମେତ ୧୦ ଦଫା ସମ୍ବଳିତ ଅନ୍ୟାନ୍ୟ ଦାବିକୁ ଭିତ୍ତି କରି ବିକ୍ଷୋଭ କରାଯାଇଛି । ସରକାର ଦାବିଗୁଡ଼ିକୁ ପୂରଣ ନକଲେ ଚଳିତ ମାସ ୧୪ ତାରିଖ ଦିନ ପାରାଦୀପ ଠାରୁ ସବୁ ଜିଲ୍ଲାରେ ସାମୁହିକ ଜାଗରଣ କରାଯିବ ବୋଲି ଚେତାବନୀ ଦିଆଯାଇଛି ।