୨ଠ୨୪ ସୁଦ୍ଧା ଶ୍ରୀନଗର-କନ୍ୟାକୁମାରୀ ଟ୍ରେନ ଚଳାଚଳ
ଶ୍ରୀନଗର(ଏଜେନ୍ସି): ଦେଶର ବିକାଶରେ ଭାରତୀୟ ରେଳର ଅବଦାନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଦେଶର ସବୁ ଅଞ୍ଚଳରେ ରେଳ ଚଳାଚଳକୁ ପ୍ରାଧାନ୍ୟ ଦିଆଯାଉଛି । ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ଶ୍ରୀନଗର-କନ୍ୟାକୁମାରୀ ମଧ୍ୟରେ ଯାତ୍ରୀବାହୀ ଟ୍ରେନ୍ ଚଳାଚଳ ଲାଗି ଲକ୍ଷ୍ୟ ଧାର୍ଯ୍ୟ ହୋଇଛି । ମାର୍ଚ୍ଚ ୨୦୨୪ ସୁଦ୍ଧା କଶ୍ମୀର ଉପତ୍ୟକାକୁ ରେଳ ମାଧ୍ୟମରେ ଅନ୍ୟାନ୍ୟ ଅଞ୍ଚଳ ସହିତ ସଂଯୋଗ କରାଯିବା ସହିତ ଗୁରୁତ୍ୱପୂର୍ଣ୍ଣ ଉଦମପୁର-ଶ୍ରୀନଗର-ବାରମୁଲ୍ଲା ରେଳ ଲିଙ୍କ ପ୍ରକଳ୍ପ ସମ୍ପୂର୍ଣ୍ଣ କରାଯିବ ।
ଏହି ପ୍ରକଳ୍ପ ଅଧୀନରେ ନିର୍ମାଣାଧୀନ ବିଶ୍ୱର ସର୍ବୋଚ୍ଚ ଚେନାବ ବ୍ରିଜ୍ (୧୩୧୫ ମିଟର)ର ଡେକ୍ କାମ ଅଗଷ୍ଟ ୧୫ ରେ ଶେଷ ହେବ । ରେଳବାଇ ବୋର୍ଡର ପଦାଧିକାରୀମାନେ କହିଛନ୍ତି, ମାର୍ଚ୍ଚ ୨୦୨୪ରେ କଶ୍ମୀର ଉପତ୍ୟକାରୁ କନ୍ୟାକୁମାରୀ ଓ ଗୁଆହାଟୀ ପର୍ଯ୍ୟନ୍ତ ରେଳ ସଂଯୋଗ ଶେଷ ହେବା ସହିତ ଏପ୍ରିଲରୁ ଯାତ୍ରୀବାହୀ ଟ୍ରେନ୍ ସେବା ଆରମ୍ଭ ହେବ । ମୋଟ ୨୭୨ କିଲୋମିଟର ପ୍ରକଳ୍ପର କାଟ୍ରା-ବାନିହଲ୍ (୧୧୧ କିଲୋମିଟର) ସବୁଠାରୁ ଜଟିଳ ହୋଇଥିବାବେଳେ ୧୬୪ କିଲୋମିଟର ଦୈର୍ଘ୍ୟ ଟନେଲ୍ ନିର୍ମାଣ କରାଯାଉଛି । ଏଥିମଧ୍ୟରୁ ୯୭.୫୭ କିଲୋମିଟର ମୁଖ୍ୟ ଟନେଲ ଏବଂ ୬୬.୦୪ କିଲୋମିଟର ଏସ୍କେପ୍ ଟନେଲ କାମ ଚାଲିଛି । ସମୁଦାୟ ଟନେଲର ଦୈର୍ଘ୍ୟ ୧୬୪ କିଲୋମିଟର ମଧ୍ୟରୁ ୧୬୦.୫୨ କିମି ଓ ୩୭ଟି ସେତୁ ମଧ୍ୟରୁ ୨୮ଟି ସେତୁର କାମ ଶେଷ ହୋଇଛି । ବାନିହଲ-ବାରାମୁଲା ସେକ୍ସନରେ ବିଦ୍ୟୁତୀକରଣ ·ଲିଛି । ଉଦମପୁର-ଶ୍ରୀନଗର-ବାରାମୁଲ୍ଲା ରେଳ ଲିଙ୍କ ପ୍ରକଳ୍ପର ୮୫ ପ୍ରତିଶତ କାମ ଶେଷ ହୋଇଛି । କାଟ୍ରା-ବାନିହଲ୍ ସେକ୍ସନର କାର୍ମ ସମାପ୍ତ ହେବା ପରେ ଟ୍ରେନ୍ ଚଳାଚଳ କରିବ ବୋଲି ରେଳବାଇ ବୋର୍ଡର ଜଣେ କର୍ମକର୍ତ୍ତା ସୂଚନା ଦେଇଛନ୍ତି ।