ଇଣ୍ଡିଜ୍କୁ ୧୮୯ ବିଜୟଲକ୍ଷ୍ୟ

ପଞ୍ଚମ ଟି-୨୦
ଲାଉଡରହିଲ୍ (ଫ୍ଲୋରିଡ଼ା), ୭ା୮ (ଏଜେନ୍ସି): ଶ୍ରେୟାସ ଆୟରଙ୍କ ଅର୍ଦ୍ଧଶତକ ସହାୟତାରେ ଟିମ୍ ଇଣ୍ଡିଆ ରବିବାର ପଞ୍ଚମ ତଥା ଟି-୨୦ ଆନ୍ତର୍ଜାତିକରେ ୱେଷ୍ଟଇଣ୍ଡିଜ୍କୁ ୧୮୯ ରନ୍ର ବିଜୟଲକ୍ଷ୍ୟ ଦେଇଛି । ରିପୋର୍ଟ ଲେଖା ଶେଷ ହେବା ବେଳକୁ ୱେଷ୍ଟଇଣ୍ଡିଜ୍ ଟିମ୍ ୭ ଓଭର୍ ଖେଳି ୩ ୱିକେଟ୍ ହରାଇ ୪୮ ରନ୍ ସଂଗ୍ରହ କରିଥିଲା । ଶିମରନ୍ ହେଟମାୟର ୨୨ ଓ ଅଧିନାୟକ ନିକୋଲାସ୍ ପୂରନ ୨ ରନ୍ କରି ଅପରାଜିତ ଥିଲେ ।
ରୋହିତ ଶର୍ମାଙ୍କୁ ଏହି ମ୍ୟାଚ୍ରୁ ବିଶ୍ରାମ ଦିଆଯାଇଛି । ଟିମ୍ ଇଣ୍ଡିଆର ଅଧିନାୟକତ୍ୱ କରୁଥିବା ହାର୍ଦ୍ଦିକ ପାଣ୍ଡ୍ୟା ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ । ଈଶାନ କିଶନ ଓ କୁଲଦୀପ ଯାଦବଙ୍କୁ ଚୂଡ଼ାନ୍ତ ଏକାଦଶରେ ସାମିଲ୍ କରାଯାଇଥିଲା ।
ଈଶାନ କିଶନ ଓ ଶ୍ରେୟାସ ଆୟର ଭାରତୀୟ ଇନିଂସ୍ ଓପନ୍ କରିଥିଲେ । ଉଭୟ ଓପନିଂ ୱିକେଟ୍ ପାଇଁ ୩୮ ରନ୍ର ଭାଗୀଦାରୀ ହୋଇଥିଲା । ଈଶାନ୍ ମାତ୍ର ୧୧ ରନ୍ କରି ଡୋମିନିକ୍ ଡ୍ରେକ୍ସଙ୍କ ବଲ୍ରେ ଆଉଟ୍ ହୋଇଥିଲେ । ଏହାପରେ ଆୟରଙ୍କ ସହ କ୍ରିଜ୍ରେ ଯୋଗ ଦେଇଥିଲେ ଦୀପକ ହୁଡ଼ା ।
ଆୟର ଟି-୨୦ ଆନ୍ତର୍ଜାତିକ କ୍ୟାରିଅରରେ ୩୦ ବଲ୍ରୁ ସପ୍ତମ ଅର୍ଦ୍ଧଶତକ ପୂରଣ କରିଥିଲେ । ୧୧ତମ ଓଭର୍ରେ ଟିମ୍ର ସ୍କୋର୍ ୧୦୦ ଅତିକ୍ରମ କରିଥିଲା । ଦ୍ୱିତୀୟ ୱିକେଟ୍ ପାଇଁ ୭୬ (୪୩ ବଲ୍ରୁ) ରନ୍ ଯୋଗ ହୋଇଥିଲା । ହୁଡ଼ା ୩୮ ରନ୍ କରି ହେଡନ୍ ୱାଲ୍ଶଙ୍କ ବଲ୍ରେ ଆଉଟ୍ ହୋଇଥିଲେ । ଟିମ୍ର ସ୍କୋର୍ ୧୨୨ ହୋଇଥିବା ବେଳେ ଆୟର (୬୪)ଙ୍କ ଅର୍ଦ୍ଧଶତକୀୟ ଇନିଂସ୍ର ଅନ୍ତ ଘଟାଇଥିଲେ ଜାସନ୍ ହୋଲ୍ଡର୍ । ଆୟର ୪୦ ବଲ୍ ଖେଳି ୮ ଚୌକା ଓ ୨ ଛକା ଲଗାଇଥିଲେ ।
ଏହାପରେ ସଞ୍ଜୁ ସାମ୍ସନ୍ ଓ ଅଧିନାୟକ ହାର୍ଦ୍ଦିକ ଇନିଂସ୍କୁ ଆଗେଇ ନେବାକୁÿୁ ପ୍ରୟାସ କରିଥିଲେ । ବିଜୁଳି ମାରିବା ଯୋଗୁଁ ୧୪.୩ ଓଭର୍ରେ ୧୩୫/୩ ସ୍କୋର୍ ହୋଇଥିବା ବେଳେ ମ୍ୟାଚ୍କୁ ବନ୍ଦ ରଖାଯାଇଥିଲା । କିଛି ସମୟ ପରେ ଖେଳ ପୁଣି ଆରମ୍ଭ ହୋଇଥିଲା । ସଞ୍ଜୁ ୧୫ ରନ୍ କରି ଓଡ଼ିଅନ୍ ସ୍ମିଥ୍ଙ୍କ ବଲ୍ରେ ଆଉଟ୍ ହୋଇଥିଲେ । ଦିନେଶ କାର୍ତ୍ତିକ ୧୨ ରନ୍ କରି ସ୍ମିଥ୍ଙ୍କ ଆଉ ଏକ ଶିକାର ହୋଇଥିଲେ ।
ହାର୍ଦ୍ଦିକ ୧୬ ବଲ୍ରୁ ୨୮ ରନ୍ କରି ଦୁର୍ଭାଗ୍ୟଜନକ ଭାବେ ରନ୍ଆଉଟ୍ ହୋଇଯାଇଥିବା ବେଳେ ଅକ୍ଷର ପଟେଲ୍ ୯ ରନ୍ କରି ସ୍ମିଥ୍ଙ୍କ ବଲ୍ରେ ପାଭିଲିଅନ୍ ଫେରିଥିଲେ । ଭାରତୀୟ ଟିମ୍ ଧାର୍ଯ୍ୟ ୨୦ ଓଭର୍ରେ ୭ ୱିକେଟ୍ ହରାଇ ୧୮୮ ରନ୍ ସଂଗ୍ରହ କରିଥିଲା । ଅଭେଶ ଖାଁ ୧ ଓ କୁଲଦୀପ ଯାଦବ କୌଣସି ସ୍କୋର୍ ନ କରି ଅପରାଜିତ ଥିଲେ । ଏଥି ପୂର୍ବରୁ ଭାରତ ଶନିବାର ଖେଳାଯାଇଥିବା ଚତୁର୍ଥ ଟି-୨୦ରେ ୱେଷ୍ଟଇଣ୍ଡିଜ୍କୁ ୫୯ ରନ୍ରେ ହରାଇ ୩-୧ରେ ଅପରାଜେୟ ଅଗ୍ରଣୀ ହାସଲ କରିଥିଲା । ଭାରତୀୟ ଟିମ୍ ଧାର୍ଯ୍ୟ ୨୦ ଓଭର୍ରେ ୫ ୱିକେଟ୍ ହରାଇ ୧୯୧ ରନ୍ ସଂଗ୍ରହ କରିଥିଲା । ଜବାବରେ ୱେଷ୍ଟଇଣ୍ଡିଜ୍ ଟିମ୍ ୧୯.୧ ଓଭର୍ରେ ୧୩୨ ରନ୍ କରି ଅଲ୍ଆଉଟ୍ ହୋଇଯାଇଥିଲା । ଅଧିନାୟକ ନିକୋଲାସ୍ ପୂରନ୍ ୨୪, ରୋଭମାନ୍ ପୱେଲ୍ ୨୪ ରନ୍ କରିଥିଲେ । ଭାରତ ପକ୍ଷରୁ ଅର୍ଶଦୀପ ସିଂହ ୧୨ ରନ୍ ଦେଇ ସର୍ବାଧିକ ୩ ୱିକେଟ୍ ଅକ୍ତିଆର କରିଥିବା ବେଳେ ଅଭେଶ ଖାଁ, ଅକ୍ଷର ଓ ରବି ୨ଟି ଲେଖାଏଁ ୱିକେଟ୍ ନେଇଥିଲେ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *