ସବୁ ଆକାଉଣ୍ଟ ଯାଞ୍ଚ ହେବ
ସୋଶାଲ୍ ମିଡିଆରେ ବଢ଼ୁଛି ଫେକ୍ ନୁ୍ୟଜ୍
ନୂଆଦିଲ୍ଲୀ,୭ା୮: ସୋଶାଲ୍ ମିଡିଆ ମାଧ୍ୟମରେ ଫେକ୍ ନୁ୍ୟଜ୍ ସଂଖ୍ୟା ବଢ଼ିବା ଯୋଗୁ କେନ୍ଦ୍ର ସରକାରଙ୍କ ଦୁଶ୍ଚିନ୍ତା ବଢ଼ିଛି । ଫେକ୍ ନୁ୍ୟଜ୍ ପ୍ରସାର ରୋକିବା ପାଇଁ ସରକାର ଏବେ ଅନେକ ପଦକ୍ଷେପ ନେବାକୁ ଯାଉଛନ୍ତି । ଏହିକ୍ରମରେ ନିକଟରେ କେନ୍ଦ୍ର ଇଲେକ୍ଟ୍ରନିକ୍ସ ଓ ଆଇଟି ରାଷ୍ଟ୍ରମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର କେତେକ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି । ରାଜ୍ୟସଭାରେ ଏକ ଲିଖିତ ଉତ୍ତରରେ ସେ ଦର୍ଶାଇଛନ୍ତି ଯେ, ସୋଶାଲ୍ ମିଡିଆ କମ୍ପାନୀମାନେ ନିଜ ନିଜ ୟୁଜର୍ମାନଙ୍କୁ ସ୍ୱେଚ୍ଛାରେ ଆକାଉଣ୍ଟ ଭେରିଫିକେସନ୍ ଲାଗି କହିବା ଜରୁରୀ । ଆକାଉଣ୍ଟ ଭେରିଫିକେସନ୍ ସମ୍ବନ୍ଧୀୟ ସୂଚନା (ଫେସ୍ବୁକ୍, ଟ୍ୱିଟର୍, ଇନଷ୍ଟାଗ୍ରାମ୍ ଆଦିରେ ବ୍ଲୁ-ଟିକ୍ ସଦୃଶ) ସମ୍ପୃକ୍ତ ଆକାଉଣ୍ଟ୍ରେ ଦୃଶ୍ୟମାନ ହେବା ଦରକାର । ଦେଶର ଅଖଣ୍ଡତା ଓ ସାର୍ବଭୌମତ୍ୱ ବିରୋଧୀ ଅପରାଧ ରୋକିବା ଏବଂ ସେଥିରେ ସମ୍ପୃକ୍ତ ଲୋକଙ୍କୁ ଦଣ୍ଡବିଧାନ କରିବା ଦିଗରେ ସରକାର ଏଭଳି ପଦକ୍ଷେପ ନେଉଛନ୍ତି ।
ଏଥିଲାଗି ଦେଶର ୟୁଜର୍ମାନଙ୍କ ପାଇଁ ସୂଚନା ପ୍ରାଦ୍ୟୋଗିକୀ- ୨୦୨୧ ଅଧିସୂଚନା ଜାରି କରାଯାଇଛି । ସିଇଆର୍ଟି- ଇନ୍ (ଇଣ୍ଡିଆନ୍ କମ୍ପୁ୍ୟଟର ଇମରଜେନ୍ସି ରେସପନ୍ସ ଟିମ୍) ପକ୍ଷରୁ ମଧ୍ୟ ଅନୁରୂପ ପଦକ୍ଷେପ ନିଆଯାଉଛି ।