୧୧ ଯାଏ ଲଗାଣ ବର୍ଷା
ଲଘୁଚାପ ରୂପ ନେଲା ଘୂର୍ଣ୍ଣିବଳୟ
ଭୁବନେଶ୍ୱର, ୬ା୮ (ବୁ୍ୟରୋ): ସକ୍ରିୟ ରହିଥିବା ମୌସୁମୀ ପ୍ରଭାବରେ ରାଜ୍ୟରେ ବର୍ଷା ଜାରି ରହିଛି । ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ପାଶ୍ୱର୍ବର୍ତ୍ତୀ ଆନ୍ଧ୍ର ଉପକୂଳରେ ସକ୍ରିୟ ଘୂର୍ଣ୍ଣିବଳୟ ଶନିବାର ଲଘୁଚାପ ରୂପ ନେଇଛି । ଆଗାମୀ ୨୪ ଘଣ୍ଟାା ମଧ୍ୟରେ ଅଧିକ ଘନୀଭୂତ ହୋଇ ଏକ ସଦୃଶ ଲକ୍ଷୁଚାପ କ୍ଷେତ୍ରରେ ପରିଣତ ହେବା ନେଇ ସମ୍ଭାବନା ପ୍ରକାଶ ପାଇଛି । ଏହା ସମୁଦ୍ର ପତ୍ତନଠାରୁ ବାୟୁମଣ୍ଡଳର ୫.୮ କିମି ଉଚ୍ଚତା ଯାଏ ବ୍ୟାପିଛି । ଏହାର ପ୍ରଭାବରେ ରାଜ୍ୟରେ ଆସନ୍ତା ୧୧ ତାରିଖ ଯାଏ ଅବିଶ୍ରାନ୍ତ ବର୍ଷା ହେବା ସମ୍ଭାବନା ରହିଛି ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପ୍ରକାଶ ପାଇଛି ।
ପାଣିପାଗ କେନ୍ଦ୍ର ବିଶେଷଜ୍ଞ ଉମାଶଙ୍କର ଦାସଙ୍କ ସୂଚନା ଅନୁସାରେ ଆସନ୍ତାକାଲି ଅର୍ଥାତ୍ ରବିବାରଠାରୁ ରାଜ୍ୟରେ ବର୍ଷାର ପରିମାଣ ବଢ଼ିବ । ପ୍ରବଳ ବର୍ଷା ପ୍ରଭାବରେ ତଳିଆ ଅଞ୍ଚଳରେ ପାଣି ଜମିବ ସହ କଚ୍ଚା ରାସ୍ତା ଓ କଚ୍ଚା ଘର ପ୍ରଭାବିତ ହେବା ସମ୍ଭାବନା ରହିଛି । ଅତିପ୍ରବଳ ତଥା ଅତ୍ୟନ୍ତ ପ୍ରବଳ ବର୍ଷା ପ୍ରଭାବରେ ଅସୁରକ୍ଷିତ ପାହାଡିଆ ଅଞ୍ଚଳରେ ଭୂସ୍ଖଳନ ସହ ମାଟି ଅତଡ଼ା ଖସିବା ସମ୍ଭାବନା ରହିଛି । ଚାଷୀଙ୍କୁ ସାମୟିକ ଭାବେ ଜମିରେ ୧୦ ତାରିଖ ଯାଏଁ କୀଟନାଶକ,ସାର ଓ ଜଳସେଚନ ନ କରିବା ପାଇଁ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପରାମର୍ଶ ଦିଆଯାଇଛି ।
ପାଣିପାଗ କେନ୍ଦ୍ର ବୁଲେଟିନ୍ ଅନୁଯାୟୀ, ରବିବାର ରାଜ୍ୟର ୧୧ ଜିଲ୍ଲାକୁ ଅରେଞ୍ଜ ଓ ୯ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ବିଶେଷ କରି ଦକ୍ଷିଣ ଓଡ଼ିଶା ଓ ଉପକୂଳବର୍ତ୍ତୀ ଓଡ଼ିଶଶର ୧୧ ଜିଲ୍ଲା ଯଥା ମାଲକାନାଗିରି, କୋରାପୁଟ, ନବରଙ୍ଗପୁର, ନୂଆପଡ଼ା, କଳାହାଣ୍ଡି, କନ୍ଧମାଳ, ବୌଦ୍ଧ, ବଲାଙ୍ଗୀର, ଗଞ୍ଜାମ, ପୁରୀ ଓ ରାୟଗଡ଼ାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବା ନେଇ ପୂର୍ବାନୁମାନ କରାଯାଇଛି । ଉପରୋକ୍ତ ୧୧ ଜିଲ୍ଲା ପାଇଁ ପାଣିପାଗ କେନ୍ଦ୍ର ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି । ସେହିପରି ୯ ଜିଲ୍ଲା ଯଥା ଗଜପତି, ଖୋର୍ଦ୍ଧା, ନୟାଗଡ଼, ଜଗତସିଂହପୁର, କଟକ, କେନ୍ଦ୍ରାପଡ଼ା, ଅନୁଗୁଳ ଓ ବରଗଡ଼ରେ ପ୍ରବଳ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି ।
ଆସନ୍ତାକାଲି ଲଘୁଚାପ ସୃଷ୍ଟି ହେବା ପରେ ବର୍ଷାର ପରିମାଣ ବୃଦ୍ଧିପାଇବ । ଆସନ୍ତା ୮ ତାରିଖ ଦିନ ରାଜ୍ୟର ସବୁ ଜିଲ୍ଲାକୁ ପ୍ରବଳରୁ ଅତିପ୍ରବଳ ବର୍ଷା ନେଇ ୱାର୍ଣ୍ଣି ଥିବାବେଳେ ୧୪ ଜିଲ୍ଲାକୁ ଅରେଞ୍ଜ ଓ ବାକି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ମୁଖ୍ୟତଃ ୩ ଜିଲ୍ଲା ପୁରୀ, ଗଞ୍ଜାମ ଓ ଜଗତସିଂହପୁରରେ ବାଦଳଫଟା ବର୍ଷା ଦେଖିବାକୁ ମିଳିବ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ପ୍ରକାଶ ପାଇଛି । ୮ ତାରିଖ ପରି ୯ ତାରିଖ ଓ ୧୦ ତାରିଖ ଦିନ ମଧ୍ୟ ରାଜ୍ୟରେ ବର୍ଷା ବିଭିଷିକା ଦେଖିବାକୁ ମିଳିବ । ଏନେଇ ବହୁ ଜିଲ୍ଲା ପାଇଁ ପାଣିପାଗ କେନ୍ଦ୍ର ସତର୍କ ସୂଚନା ଜାରି କରିଥିବାବେଳେ ରାଜ୍ୟ ସ୍ୱତନ୍ତ୍ ରିଲିଫ୍ କମିଶନର (ଏସ୍ଆର୍ସି) ଏନେଇ ସତର୍କ ରହିବାକୁ ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି ।
ପାଣିପାଗ କେନ୍ଦ୍ର ସୂଚନା ମୂତାବକ, ଶନିବାର ରାଜ୍ୟର ଏକାଧିକ ସ୍ଥାନରେ ବିପୁଳ ବର୍ଷା ରେକର୍ଡ ହୋଇଛି । ପୁରୀରେ ସର୍ବାଧିକ ୮୭.୦ ମିମି ବର୍ଷା ହୋଇଥିବାବେଳେ ଭୁବନେଶ୍ୱରରେ ୨୪.୬ ମିମି, ପାରାଦୀପରେ ୧୫ ମିମି, ·ନ୍ଦବାଲିରେ ୧୫ମିମି, ବାଲେଶ୍ୱରରରେ ୧୩ ମିମି ଓ ଗୋପାଳପୁରରେ ୬ ମିମି ବର୍ଷା ରେକର୍ଡ କରାଯାଇଛି । ୭ ତାରିଖରୁ ପରବର୍ତ୍ତୀ ୫ ଦିନ ଯାଏ ମତ୍ସ୍ୟଜୀବୀଙ୍କୁ ଗଭୀର ସମୁଦ୍ରକୁ ମାଛମାରିବାକୁ ଯିବା ପାଇଁ ବାରଣ କରାଯାଇଛି । ଏହାସହ ୮ରୁ ୧୦ ଯାଏଁ ଓଡ଼ିଶା ଉପକୂଳକୁ ଯିବାକୁ ମନା କରାଯାଇଛି । ଲଘୁଚାପ ପ୍ରଭାବରେ ଓଡ଼ିଶା ଉପକୂଳବର୍ତ୍ତୀ ଅଞ୍ଚଳରେ ୪୫ରୁ ୫୫ କିମି ବେଗରେ ପବନ ବହିବା ସହ ସମୟ ସମୟରେ ୬୫ କିମି ବେଗରେ ପବନ ବହିବା ନେଇ ଆକଳନ କରାଯାଇଛି ।
ସେପଟେ ଏହାରି ଭିତରେ ଆହୁରି ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାକୁ ଯାଉଛି । ୧୩ରୁ ୧୪ ତାରିଖ ମଧ୍ୟରେ ଆଉ ଏକ ଲଘୁଚାପ କ୍ଷେତ୍ର ବଙ୍ଗୋପସାଗରରେ ସୃଷ୍ଟି ହେବା ନେଇ ଆକଳନ କରାଯାଉଛି । ଏବେ ମୌସୁମୀ ପ୍ରଭାବରେ ରାଜ୍ୟରେ ହାଲକାରୁ ମଧ୍ୟମ ଧରଣର ବର୍ଷା ଲାଗି ରହିଛି । କିନ୍ତୁ ଆସନ୍ତାକାଲିଠାରୁ ବର୍ଷାର ପରିମାଣ ବଢ଼ିବା ସହ ରାଜ୍ୟରେ ନିଅଣ୍ଟିଆ ବର୍ଷା ସ୍ଥିତି ଦୂର ହେବା ନେଇ ପାଣିପାଗ ବିଷାରଦମାନେ ଆଶାବାଦୀ ଅଛନ୍ତି ।