ଧନଖଡ଼ ବିଜୟୀ
ଉପରାଷ୍ଟ୍ରପତି ନିର୍ବାଚନ
ନୂଆଦିଲ୍ଲୀ, ୬ା୮: ଉପରାଷ୍ଟ୍ରପତି ନିର୍ବାଚନରେ ଏନ୍ଡିଏ ପ୍ରାର୍ଥୀ ତଥା ପଶ୍ଚିମବଙ୍ଗର ପୂର୍ବତନ ରାଜ୍ୟପାଳ ଜଗଦୀପ ଧନଖଡ଼ଙ୍କ ବିପୁଳ ବିଜୟ ହୋଇଛି । ତାଙ୍କୁ ୫୨୮ ଭୋଟ୍ ମିଳିଥିବାବେଳେ ବିରୋଧୀ ଦଳମାନଙ୍କ ମିଳିତ ପ୍ରାର୍ଥୀ ମାର୍ଗାରେଟ୍ ଆଲ୍ଭା ପାଇଛନ୍ତି ୧୨୮ । ୧୫ ଭୋଟ୍ ନାକଚ ହୋଇଯାଇଛି । ୭୧ ବର୍ଷୀୟ ଧନଖଡ଼ଙ୍କୁ ୭୨.୮% ଓ ୮ଠ ବର୍ଷୀୟା ଆଲ୍ଭାଙ୍କୁ ୨୫.୧% ଭୋଟ୍ ମିଳିଛି । ଗତ ଉପରାଷ୍ଟ୍ରପତି ନିର୍ବାଚନରେ ଏମ୍. ଭେଙ୍କେୟା ନାଇଡ଼ୁଙ୍କୁ ମିଳିଥିଲା ୬୮% ଭୋଟ୍ । ବର୍ତ୍ତମାନର ଉପରାଷ୍ଟ୍ରପତି ଶ୍ରୀ ନାଇଡୁଙ୍କ କାର୍ଯ୍ୟକାଳ ଆସନ୍ତା ୧ଠ ତାରିଖରେ ଶେଷ ହେଉଛି; ଧନଖଡ଼ ଚତୁର୍ଦ୍ଦଶ ଉପରାଷ୍ଟ୍ରପତି ଭାବେ ୧୧ ତାରିଖରେ ଶପଥ ନେବେ ।
ଶନିବାର ପୂର୍ବାହ୍ନ ୧ଠରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ଭୋଟ ଗ୍ରହଣ କରାଯାଇଥିଲା । ସଂସଦର ଦୁଇ ସଦନ ରାଜ୍ୟସଭା ଓ ଲୋକସଭାର ମୋଟ ୭୮ଠ ସାଂସଦଙ୍କ ମଧ୍ୟରୁ ୭୨୫ଜଣ (୯୨.୯୪%) ମତଦାନ କରିଥିଲେ । ସେଥିରୁ ୭୧ଠ (୯୭.୯୩%) ଭୋଟ୍ ବୈଧ ଥିଲା । ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ନିଯୁକ୍ତ ରିଟର୍ଣ୍ଣିଂ ଅଫିସର ଉତ୍ପଳ କୁମାର ସିଂହ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି ।
ଭୋଟ୍ ଗ୍ରହଣ ଶେଷ ହେବାର ଘଣ୍ଟାଏ ପରେ ଆରମ୍ଭ ହୋଇଥିଲା ଗଣତି ।
ଏହି ନିର୍ବାଚନରେ ଏନ୍ଡିଏ ପ୍ରାର୍ଥୀ ଧନଖଡ଼ ବିଜୟୀ ହେବା ପୂର୍ବରୁ ଜଣାଥିଲା । ତାଙ୍କ ବିଜୟ ପାଇଁ ବିଜେପି ପାଖରେ ଥିଲା ପର୍ଯ୍ୟାପ୍ତ ଭୋଟ୍ । ବିରୋଧୀ ପକ୍ଷର ବିଜେଡି, ୱାଇଏସ୍ଆର୍ କଂଗ୍ରେସ, ବିଏସ୍ପି, ଟିଡିପି, ଅକାଳୀ ଦଳ ଓ ଶିବସେନାର ଶିନେ୍ଦ ଗୋଷ୍ଠୀଙ୍କ ସମର୍ଥନ ମିଳିଥିଲା ଧନଖଡ଼ଙ୍କୁ । ଏହିସବୁ ଦଳମାନଙ୍କ ମୋଟ୍ ସାଂସଦ ସଂଖ୍ୟା ୮୧ ।
ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ନିର୍ବାଚନମଣ୍ଡଳର ମୋଟ୍ ସଦସ୍ୟ ସଂଖ୍ୟା ୭୮୮ । କିନ୍ତୁ ଜମ୍ମୁ-କଶ୍ମୀରର ୪ ଏବଂ ରାଜ୍ୟସଭାରେ ୮ ଆସନ ଖାଲି ଥିବାରୁ ୭୮ଠ ସାଂସଦ ଭୋଟ୍ ଦେବାର ଥିଲା । ତୃଣମୂଳ କଂଗ୍ରେସର ୩୬ ସାଂସଦ ଉପରାଷ୍ଟ୍ରପତି ନିର୍ବାଚନକୁ ବର୍ଜନ କରିବେ ବୋଲି ଦଳର ମୁଖିଆ ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପୂର୍ବରୁ ଘୋଷଣା କରିଥିଲେ । କିନ୍ତୁ ଟିମ୍ଏମ୍ସି ସାଂସଦ ଶିଶିର ଅଧିକାରୀ ଓ ଦିବ୍ୟେନ୍ଦୁ ଅଧିକାରୀ ମମତାଙ୍କ ନିଷ୍ପତ୍ତି ବିରୋଧରେ ଯାଇ ଭୋଟ୍ ଦେଇଛନ୍ତି । ସମାଜବାଦୀ ପାର୍ଟିର ୨ଜଣ (ମୁଲାୟମ୍ ସିଂହ ଯାଦବ ଓ ଶଫିକୁର ରହମନ ବର୍କ), ଶିବସେନାର ୨ଜଣ ଏବଂ ବିଏସ୍ପିର ଜଣେ ସାଂସଦ ଭୋଟ୍ ଦେଇନାହାନ୍ତି । (ଏବେ ଜେଲ୍ରେ ଥିବାରୁ ଶିବସେନା ସାଂସଦ ସଞ୍ଜୟ ରାଉତ ଭୋଟ୍ ଦେଇପାରିନାହାନ୍ତି । ବିଜେପି ସାଂସଦ ସନ୍ନି ଦେଓଲ ଓ ସଞ୍ଜୟ ଧୋତ୍ରେ ସ୍ୱାସ୍ଥ୍ୟ ସମସ୍ୟା ଯୋଗୁ ମତଦାନ କରିନାହାନ୍ତି ।
ସର୍ବପ୍ରଥମେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସଂସଦ ଭବନରେ ପହଞ୍ଚô ଭୋଟ୍ ଦେଇଥିଲେ । ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ଭୋଟ୍ ଦେବା ପାଇଁ ହ୍ୱିଲ୍ ଚେୟାରରେ ଆସିଥିଲେ । ରାଜସ୍ଥାନର ଝୁନ୍ଝୁନ ଜିଲ୍ଲାର ଏକ ଆଭ୍ୟନ୍ତରୀଣ ଗ୍ରାମର କୃଷକ ପରିବାରରେ ୧୯୫୧ ମେ’ ୧୮ ତାରିଖରେ ଜନ୍ମଗ୍ରହଣ କରିଥିଲେ ଜଗଦୀପ ଧନଖଡ଼ । ଛାତ୍ରୀ ଜୀବନ ଶେଷ ହେବା ପରେ ସେ ପ୍ରଥମେ ଆଇନଜୀବୀ ଭାବେ କାର୍ଯ୍ୟ ଆରମ୍ଭ କରି ପରବର୍ତ୍ତୀ କାଳରେ ସକି୍ରୟ ରାଜନୀତିକୁ ଓହ୍ଲାଇଥିଲେ । ଜନତା ଦଳରୁ ରାଜ÷ତିକ କ୍ୟାରିୟର୍ ଆରମ୍ଭ କରିଥିବା ଧନଖଡ଼ ୧୯୮୯ରେ ଜନତା ଦଳର ସାଂସଦ ରୂପେ ପ୍ରଥମଥର ପାଇଁ ନବମ ଲୋକସଭାକୁ ନିର୍ବାଚିତ ହୋଇଥିଲେ । ତକ୍ରଳୀନ ପ୍ରଧାନମନ୍ତ୍ରୀ ଚନ୍ଦ୍ରଶେଖରଙ୍କ କ୍ୟାବିନେଟ୍ରେ ସଂସଦୀୟ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇଥିଲେ । ୧୯୯୩ରେ ସେ ରାଜସ୍ଥାନର ୧ଠମ ବିଧାନସଭାର ବିଧାୟକ ରୂପେ ନିର୍ବାଚିତ ହୋଇଥିଲେ । ୨ଠ୧୯ରେ ତାଙ୍କୁ ପଶ୍ଚିମବଙ୍ଗ ରାଜ୍ୟପାଳ ରୂପେ ନିଯୁକ୍ତି ଦିଆଯାଇଥିଲା ।