ଆଇନ ଆଖିରେ ସବୁ ମହିଳା ସମାନ
୨୪ ସପ୍ତାହରେ ଗର୍ଭପାତ ମାମଲା
ନୂଆଦିଲ୍ଲୀ(ଏଜେନ୍ସି): ଏକ ମାମଲାର ଶୁଣାଣି କରିବା ପରିପ୍ରେକ୍ଷୀରେ ଦେଶର ସର୍ବୋଚ୍ଚ ନ୍ୟାୟାଳୟ ଏକ ବଡ଼ ରାୟ ଦେଇଛନ୍ତି । ସୁପ୍ରିମକୋର୍ଟ କହିଛନ୍ତି ଅବିବାହିତ ମହିଳାଙ୍କୁ ଗର୍ଭପାତ ଅଧିକାରରୁୂ ବଞ୍ଚôତ ରଖିବା ସେମାନଙ୍କ ବ୍ୟକ୍ତିଗତ ସ୍ୱାଧୀନତାର ହନନ କରିବା ସଦୃଶ ହେଉଛି । କୋର୍ଟ ଏହି ଆଇନ୍କୁ ପରିବର୍ତ୍ତନ କରିବା ସହ ଅବିବାହିତ ମହିଳାଙ୍କୁ ମଧ୍ୟ ଗର୍ଭପାତ କରିବାକୁ ଅନୁମତି ଦିଆଯିବା ଉପରେ ବିଚାର କରିବେ । ଏତଦ୍ବ୍ୟତୀତ କୋର୍ଟ ମେଡିକାଲ ଟର୍ମିନେସନ୍ ଅଫ୍ ପ୍ରେଗନାନ୍ସି ଅଧିନିୟମ (ଏମ୍ଟିପି) ଏବଂ ତତ୍୍ ସମ୍ବନ୍ଧିତ ନିୟମକୁ ମଧ୍ୟ ବ୍ୟାଖ୍ୟା କରିବେ । ଏଥିରେ ଦେଶର ଅବିବାହିତ ମହିଳାଙ୍କୁ ୨୪ ସପ୍ତାହର ଗର୍ଭକୁ ନଷ୍ଟ କରିବାକୁ ଅନୁମତି ଦିଆଯାଇପାରିବ କି ନାହିଁ ସେସମ୍ପର୍କରେ ବ୍ୟାପକ ବିଚାରବିମର୍ଶ କରାଯିବ । ଜଷ୍ଟିସ୍ ଡିୱାଇ ଚନ୍ଦ୍ରଚୂଡ଼ ଏବଂ ଜଷ୍ଟିସ୍ ଜେବି ପାରଦିୱାଲାଙ୍କୁ ନେଇ ଗଠିତ ଖଣ୍ଡପୀଠ, ଶୁକ୍ରବାର ଦିନ ଏକ ମାମଲା ଉପରେ ଶୁଣାଣି କରିବା ପରିପ୍ରେକ୍ଷୀରେ ଏହା କହିଛନ୍ତି । ଖଣ୍ଡପୀଠ କେନ୍ଦ୍ର ପକ୍ଷରୁ ମାମଲା ପରିଚାଳନା କରୁଥିବା ଅତିରିକ୍ତ ସଲିସିଟର ଜେନେରାଲ ଐଶ୍ୱର୍ଯ୍ୟା ଭାଟ୍ଟିଙ୍କୁ ଏହି ମାମଲାରେ କୋର୍ଟଙ୍କ ସହାୟତା କରିବାକୁ ମଧ୍ୟ କହିଛନ୍ତି । ଜଷ୍ଟିସ୍ ଚନ୍ଦ୍ରଚୂଡ କହିଛନ୍ତି ଯେ, ଆଇନ୍ ସମସ୍ତଙ୍କ ପାଇଁ ସମାନ ହେବା ଉଚିତ୍ । ତେଣିକି ମହିଳାଜଣକ ବିବାହିତ ହୋଇଥାନ୍ତୁ କିମ୍ବା ଅବିବାହିତ । ଦେଶର ଆଇନ୍ ବ୍ୟବସ୍ଥାରେ କୌଣସି ଠାରେ ‘ସ୍ୱାମୀ’ ଶବ୍ଦର ପ୍ରୟୋଗ ହୋଇନାହିଁ ବରଂ ପାର୍ଟନର ଶବ୍ଦର ପ୍ରୟୋଗ କରାଯାଇଛି । ଅର୍ଥାତ୍ ଆଇନ୍ କେବଳ ବିବାହିତ ମହିଳାଙ୍କ ଗର୍ଭାବସ୍ଥାକୁ ନେଇ ଚିନ୍ତିତ ନୁହେଁ, ଅବିବାହିତ ମହିଳାଙ୍କ ଗର୍ଭକୁ ନେଇ ମଧ୍ୟ ସମ୍ବେଦନଶୀଳ ରହିଛି । ଯଦି ଦେଶର ଆଇନ୍ ବିବାହିତ ମହିଳାଙ୍କୁ ଗର୍ଭପାତ କରିବାକୁ ଅନୁମତି ଦେଉଛି ତେବେ ଅବିବାହିତ ମହିଳାଙ୍କୁ ମଧ୍ୟ ଏଥିରୁ ବାଦ୍ ଦିଆଯାଇପାରିବନି । ଆଇନ୍ ଆଖିରେ ସମସ୍ତେ ସମାନ । ତେବେ ଏସବୁ ପ୍ରକ୍ରିୟା ମଧ୍ୟରେ ଗୋଟିଏ କଥା ନିଶ୍ଚିତ ଯେ, ଗର୍ଭପାତ ପାଇଁ ଡାକ୍ତରଙ୍କ ପରାମର୍ଶ ଅନିବାର୍ଯ୍ୟ ରହିବ ।
ସୂଚନାଯୋଗ୍ୟ, ଜଣେ ଅବିବାହିତ ମହିଳା ନିଜର ୨୪ ସପ୍ତାହର ଗର୍ଭକୁ ନଷ୍ଟ କରିବା ପାଇଁ ଦିଲ୍ଲୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିବା ବେଳେ ହାଇକୋର୍ଟ ଏହାକୁ ଅସ୍ୱୀକାର କରିଦେଇଥିଲେ । ଏହାପରେ ଏହି ମହିଳାଜଣକ ସୁପ୍ରିମକୋର୍ଟରେ ପିଟିସନ୍ ଦାୟର କରିଥିଲେ । ଏହା ଉପରେ ଶୁଣାଣି କରି ଶୁକ୍ରବାର ଦୁଇଜଣିଆ ଖଣ୍ଡପୀଠ ଦିଲ୍ଲୀ ହାଇକୋର୍ଟଙ୍କ ରାୟକୁ ରଦ୍ଦ କରିବା ସହ ମହିଳାଙ୍କୁ ଗର୍ଭପାତ କରିବାକୁ ସର୍ତ୍ତମୂଳକ ଅନୁମତି ଦେଇଛନ୍ତି । ସର୍ତ୍ତ ମଧ୍ୟରେ ମହିଳାଙ୍କ ଗର୍ଭପାତର ପୁରା ପ୍ରକ୍ରିୟା ଏମ୍ସରେ କରାଯିବ ଏବଂ ଏସମ୍ବନ୍ଧୀତ ସମସ୍ତ ଡାକ୍ତରୀ କାଗଜପତ୍ର କୋର୍ଟରେ ଦାଖଲ କରାଯିବ । ସେହିପରି ଏମ୍ସ ଦିଲ୍ଲୀ ଡାଇରେକ୍ଟରଙ୍କୁ ଏମ୍ଟିପି ଆକ୍ଟ ଅନ୍ତର୍ଗତ ଧାରା ୩(୨)(ଡି) ଅନୁଯାୟୀ ଏକ ମେଡିକାଲ ବୋର୍ଡ ଗଠନ କରିବାକୁ ମଧ୍ୟ ଖଣ୍ଡପୀଠ ନିଦେ୍ର୍ଦଶ ଦେଇଛନ୍ତି । ଯଦି ବୋର୍ଡ ନିଜ ରିପୋର୍ଟରେ ୨୪ସପ୍ତାହର ଗର୍ଭପାତ କରାଯିବାରେ ଉକ୍ତ ମହିଳାଙ୍କ ଜୀବନ ପ୍ରତି କୌଣସି ବିପଦ ନଥିବା ସ୍ପଷ୍ଟ କରେ, ତେବେ ଗର୍ଭପାତକୁ ଅନୁମତି ଦିଆଯିବାରେ କୌଣସି ସମସ୍ୟା ନାହିଁ ବୋଲି ସୁପ୍ରିମକୋର୍ଟ କହିଛନ୍ତି ।
ମେଡିକାଲ ସାଇନ୍ସ କ୍ଷେତ୍ରରେ ୧୯୭୧ରେ ଏମ୍ଟିପି ଆଇନ୍କୁ ଲାଗୁ କରାଯାଇଥିଲା । ଏଥିରେ କେବଳ ବିବାହିତ ମହିଳାଙ୍କୁ ଗର୍ଭପାତ କରିବାର ଅଧିକାର ଦିଆଯାଇଥିଲା । ପରେ ୨ଠଠ୩ରେ ଏହି ଆଇନ୍ରେ ସାମାନ୍ୟ ସଂଶୋଧନ କରାଯାଇଥିଲା ଏବଂ କେବଳ ଅସହମତି ଶାରୀରିକ ସମ୍ପର୍କ (ଦୁଷ୍କର୍ମ) ଆଦି ପରିସ୍ଥିତିରେ ଅବିବାହିତଙ୍କୁ ଗର୍ଭପାତ କରାଇବାକୁ ଅନୁମତି ଦିଆଯାଉଥିଲା । ଅର୍ଥାତ୍ ସହମତିରେ ହୋଇଥିବା ଶାରୀରିକ ସମ୍ପର୍କରୁ ସୃଷ୍ଟି ଭୃଣକୁ ନଷ୍ଟ କରିବାକୁ ଅନୁମତି ଦିଆଯାଉନଥିଲା । ତେବେ ୨ଠ୨୧ରେ ଏହି ଆଇନ୍ରେ ବ୍ୟାପକ ସଂଶୋଧନ କରାଯାଇଥିଲା ଏବଂ ଏଥର ଅବିବାହିତ ମହିଳାଙ୍କୁ ମଧ୍ୟ ଏଥିରେ ସାମିଲ କରାଯାଇଥିଲା । ନୂଆ ଏମ୍ଟିଏ ଆଇନ୍ ଅନ୍ତର୍ଗତ ଗମ୍ଭୀର ଶାରୀରିକ ବ୍ୟାଧିରେ ପୀଡ଼ିତ, ଦୁଷ୍କର୍ମ ପୀଡିତା, ନାବାଳିକା ସମେତ ସବୁ ମହିଳାଙ୍କୁ ୨୪ ସପ୍ତାହର ଗର୍ଭକୁ ନଷ୍ଟ କରାଇବା ପାଇଁ ଅଧିକାର ଦିଆଯାଇଛି । ତେବେ ଏସବୁ ପାଇଁ ଡାକ୍ତରୀ ପରାମର୍ଶର ଆବଶ୍ୟକତା ରହିଛି । ୨୪ ସପ୍ତାହର ଗର୍ଭପାତ କ୍ଷେତ୍ରରେ ଏକ ମେଡିକାଲ ବୋର୍ଡ ଗଠନ କରାଯିବ ଏବଂ ବୋର୍ଡ ରିପୋର୍ଟ ଆଧାରରେ ଗର୍ଭପାତକୁ ଅନୁମତି ଦିଆଯିବ କି ନାହିଁ ସେସମ୍ପର୍କରେ ନିଷ୍ପତ୍ତି ନିଆଯିବ ବୋଲି ନିୟମ ରହିଛି ।