ଗର୍ଭଗୃହ, ରତ୍ନସିଂହାସନ ସମ୍ପୂର୍ଣ୍ଣ ସୁରକ୍ଷିତ
ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ
ପୁରୀ (ବୁ୍ୟରୋ): ଶ୍ରୀମନ୍ଦିରର ଗର୍ଭଗୃହ, ରତ୍ନସିଂହାସନ ସମ୍ପୂର୍ଣ୍ଣ ସୁରକ୍ଷିତ ରହିଛି । ଆସନ୍ତା ବର୍ଷ ମହାପ୍ରଭୁଙ୍କ ରଥଯାତ୍ରା ସମୟରେ ଗର୍ଭଗୃହରୁ ଖସିଥିବା ଚୂନ ପ୍ଲାଷ୍ଟର ସ୍ଥାନଟି ମରାମତି କରାଯିବ । ଏଥିରେ କୌଣସି ଅସୁବିଧା ନାହିଁ । ଏପରିକି ରତ୍ନସିଂହାସନର ଯେଉଁ ସ୍ଥାନରୁ ଚୂନ ପ୍ଲାଷ୍ଟର ଖସିଥିଲା ସେହି ସ୍ଥାନଟି ସୁରକ୍ଷିତ ରହିଥିବା ନେଇ ପରିଚାଳନା ବୈଠକରେ ସୂଚନା ଦେଇଛନ୍ତି ଏଏସ୍ଆଇ ସୁପରିଟେଣ୍ଡେଣ୍ଟ ଅରୁଣ ମଲ୍ଲିକ । ଶନିବାର ସ୍ଥାନୀୟ ନୀଳାଦ୍ରି ଭକ୍ତନିବାସରେ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ବସିଥିଲା ବୈଠକ । ଉକ୍ତ ବୈଠକରେ ଶ୍ରୀମନ୍ଦିରର ଗର୍ଭଗୃହ ଠାରୁ ଆରମ୍ଭ କରି ଅନେକ ଘଟଣା ସମ୍ପର୍କରେ ବିସ୍ତୃତ ଭାବେ ଆଲୋଚନା ହୋଇଥିଲା ।
ଆଲୋଚନା ପରେ ଗଣମାଧ୍ୟମକୁ ସୂଚନା ଦେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ବୀରବିକ୍ରମ ଯାଦବ କହିଛନ୍ତି ଯେ, ଆସନ୍ତାବର୍ଷ ରଥ ଉପରେ ସମସ୍ତ ସେବାୟତ ରହିବେନି । କେବଳ ନୀତି ସହ ଜଡ଼ିତ ଥିବା ସେବାୟତହିଁ ରହିବେ । ଫଳରେ ରଥାରୂଢ଼ ଠାକୁରଙ୍କୁ ଭଲରେ ଶ୍ରଦ୍ଧାଳୁମାନେ ଦର୍ଶନ କରିପାରିବେ । ତତ୍ସହିତ ସ୍ନାନଯାତ୍ରାକୁ ମଧ୍ୟ ଶୃଙ୍ଖଳିତ କରାଯିବ ବୋଲି ନିଷ୍ପତ୍ତି ହୋଇଛି । ଅନ୍ୟପକ୍ଷରେ ୪ମାସ ମଧ୍ୟରେ ସେବାୟତଙ୍କ ଲାଗି ଆବାସ ପ୍ରକଳ୍ପ କାର୍ଯ୍ୟ ଆରମ୍ଭ କରାଯିବ । ସେହିପରି ସେବୟତଙ୍କ ପିଲାମାନଙ୍କ ପାଠପଢ଼ା ଲାଗି ଗୁରୁକୂଳ କାର୍ଯ୍ୟ ମଧ୍ୟ ଶୀଘ୍ର ହେବ । ଗତ ବୈଠକରେ ଲ୍ୟାଣ୍ଡ ସବ୍କମିଟି ନେଇଥିବା ନିଷ୍ପତ୍ତିକୁ ଅନୁମୋଦନ କରାଯାଇଛି । ଶ୍ରୀମନ୍ଦିର ପ୍ରଶାସନ ଦ୍ୱାରା ପରିଚାଳିତ ଗେଷ୍ଟହାଉସ ରୁମ୍ଗୁଡ଼ିକ ସୁବିଧାରେ ଅନ୍ଲାଇନ୍ ବୁକିଂ ପାଇଁ ଏଚ୍ଡିଏଫ୍ସି ସହିତ ଏକ ଏମଓୟୁ କରାଯିବ । ଏହାକୁ ପରିଚାଳନା କମିଟି ବୈଠକରେ ମଞ୍ଜୁରି ମିଳିଛି ।
ସେହିପରି ଶ୍ରଦ୍ଧାଳୁଙ୍କ ଲାଗି ଶୀଘ୍ର ଶ୍ରୀଗୁଣ୍ଡିଚା ମନ୍ଦିର ଖୋଲାଯିବାକୁ ନିଷ୍ପତ୍ତି ହୋଇଛି । ମନ୍ଦିରର ରତ୍ନସିଂହାସନ ଓ ରୋଷଘରକୁ କୌଣସି ଭକ୍ତଙ୍କୁ ଛଡ଼ାଯିବ ନାହିଁ । ଉକ୍ତ ଦୁଇଟି ସ୍ଥାନକୁ ବାରିକେଡ୍ ଦ୍ୱାରା ଆବଦ୍ଧ କରାଯିବ । ମନ୍ଦିର ବାକି ଅନ୍ୟ ସମସ୍ତ ସ୍ଥାନକୁ ବୁଲି ଦେଖିପାରିବେ ଭକ୍ତ । ରତ୍ନଭଣ୍ଡାର ସମ୍ପର୍କରେ ଏଏସ୍ଆଇ ପକ୍ଷରୁ କୁହାଯାଇଛି ଯେ, ଶ୍ରୀମନ୍ଦିର ପ୍ରଶାସନ ଅନୁମତି ଦେଲେ ମରାମତି କରାଯିବ । ବୈଠକରେ ଜିଲ୍ଲାପାଳ ସମର୍ଥ ବର୍ମା, ଏସ୍ପି କନୱାର ବିଶାଲ ସିଂହଙ୍କ ସମେତ ଶ୍ରୀମନ୍ଦିର ପରିଚାଳନା କମିଟିର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ ।